Dailyhunt
ଢୋଲ ବାଦ୍ୟରେ ଦୁଲୁକିଲା କଳିଙ୍ଗରୋଡ ମୁଖ୍ୟରାସ୍ତା

ଢୋଲ ବାଦ୍ୟରେ ଦୁଲୁକିଲା କଳିଙ୍ଗରୋଡ ମୁଖ୍ୟରାସ୍ତା

ସିକା (ୱାଇଏନ୍‍ଏସ୍‍) : ଆସିକା ସହରର କଳିଙ୍ଗରୋଡ ମୁଖ୍ୟରାସ୍ତାରେ ସୋମବାର ହିଞ୍ଜିଳିକାଟୁ ସାନପାର୍ଟି ଦଣ୍ଡଦଳର ଦଣ୍ଡନୃତ୍ୟ ପରିବେଷଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଲକ୍ଷ୍ୟ କରାଯାଇଛି । କଳିଙ୍ଗରୋଡ ଅଞ୍ଚଳର ଦଣ୍ଡକାଳୀ ଗ୍ରୁପ ଓ ଆଧ୍ୟାତ୍ମିକ ପ୍ରେମୀ ସୋମବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ସାନପାର୍ଟି ଦଣ୍ଡଦଳକୁ ବିଧିବିଧାନ ଅନୁଯାୟୀ ଆମନ୍ତ୍ରଣ କରିଥିଲେ ।

ପୂର୍ବାହ୍ନରେ ହିଞ୍ଜିଳିକାଟୁ ସାନପାର୍ଟି ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆମାନେ ଜଗାବଳିଆ ଗ୍ୟାରେଜ୍‍ ନିକଟରେ ପହଞ୍ôଚ ଦଣ୍ଡନୃତ୍ୟ ପାଳନର ରୀତିନୀତି ଉପରେ ଢୋଲ ବାଦ୍ୟର ତାଳେ ତାଳେ ଗୀତ ମାଧ୍ୟମରେ ଅବଗତ କରିବା ପରେ ପ୍ରଚଣ୍ଡ ଖରାରେ ଦଣ୍ଡୁଆମାନେ ଧୁଳିଦଣ୍ଡ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କଳିଙ୍ଗରୋଡ ଅଞ୍ଚଳର ଆଧ୍ୟାତ୍ମିକପ୍ରେମୀ ଜଗବନ୍ଧୁ ଗୌଡ ଏହି କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ନିଷ୍ଠାର ସହ ସଂପାଦନ କରିଥିବା ଦେଖିବାକୁ ମିଳିଥିଲା । ବାଣିବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିର ପାଶ୍ୱର୍ସ୍ଥ ଋଷିକୂଲ୍ୟା ନଦୀରେ ମାନସିକଧାରୀ ଦଣ୍ଡୁଆ ମାନେ ଅପରାହ୍ନରେ ପାଣିଦଣ୍ଡ ସଂପନ୍ନ କରିବା ପରେ ବିଳମ୍ବିତ ରାତ୍ରରେ ଅଗ୍ନିଦଣ୍ଡ ପରିବେଷଣ କରିଥିଲେ । କଳିଙ୍ଗରୋଡ ସ୍ଥିତ ଜଗାବଳିଆ ଗ୍ୟାରେଜ୍‍ ପଛପଟ ପଡିଆ ପରିସରରେ ହିଞ୍ଜିଳିକାଟୁ ସାନପାର୍ଟି ଦଣ୍ଡଦଳର ସାଂନ୍ଧ୍ୟ ଆଳତୀ ସମୟରେ ଦେବଦେବ ମହାଦେବ ଓ ମହାମାୟୀ ମା' କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା ।

ହିଞ୍ଜିଳିକାଟୁ ସାନପାର୍ଟି ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆ ଓ ଶ୍ରଦ୍ଧାଳୁ ଭକ୍ତମାନେ ମା' ଦଣ୍ଡକାଳୀ ଓ ଦେବାଧିଦେବ ମହାଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ବିଭୋର ହୋଇପଡିଥିଲେ । ରାତ୍ରରେ ମହାନ୍‍ ସାମାଜିକ ନାଟକ ଗୁହାରି ଶୁଣ ଦିନବନ୍ଧୁ ମଞ୍ଚସ୍ଥ ହୋଇଥିଲା। ହିଞ୍ଜିଳିକାଟୁ ସାନପାର୍ଟି ଦଣ୍ଡଦଳରେ ମାନସିକଧାରୀ ଦଣ୍ଡଭୁକ୍ତାମାନେ ପାରମ୍ପରିକ ବସ୍ତ୍ର ପିନ୍ଧି ମୟୁର ପିଞ୍ଛ, ପତକା ଧରି ଗିନି ଓ ଢୋଲର ତାଳେ ତାଳେ ଖଟୁଳୀରେ ଶିବ, ପାର୍ବତୀ ଓ ଦଣ୍ଡକାଳୀଙ୍କୁ ଧରି କଳାରୁଦ୍ରମଣିକୁ ଭଜ ହେ ନିନାଦରେ କଳିଙ୍ଗରୋଡ ଅଞ୍ଚଳ ପରିକ୍ରମା କରିଥିଲେ । ଐତିହ୍ୟ ସଂସ୍କୃତି ଓ ଭାଇଚାରାର ଅଞ୍ଚଳ ରୂପେ ପରିଚିତ ଥିବା କଳିଙ୍ଗରୋଡର ଆଧ୍ୟାତ୍ମିକପ୍ରେମୀ ଶ୍ରଦ୍ଧାଳୁ ଭକ୍ତମାନେ ନିଜନିଜ ଘର ସମ୍ମୁଖରେ ଗୋବର ଲିପି, ଝୋଟି ଆଙ୍କି ପୂର୍ଣ୍ଣ କୁମ୍ଭ ସହ ଦୀପ ଓ ଭୋଗ ବାଢି ଠାକୁରଙ୍କ ଆଶିଷ ପାଇଁ ରାସ୍ତାରେ ଦଣ୍ଡାୟମାନ ହୋଇ ଆଶିର୍ବାଦ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । କଳିଙ୍ଗରୋଡ ଅଞ୍ଚଳର ଅଧ୍ୟାତ୍ମିକ ପ୍ରେମୀ ଓ ଶ୍ରଦ୍ଧାଳୁ ଭକ୍ତ ଏବଂ ଯୁବପିଢୀଙ୍କ ସମେତ ଦଣ୍ଡକାଳୀ ଗ୍ରୁପର ସଦସ୍ୟ ସୁଶାନ୍ତ ବେହେରା, ଶତୃଘ୍ନ ନାୟକ, ସନ୍ୟାସୀ ଭଂଜ, ମନୋଜ ଭଂଜ, ସଂଜୟ ଭଂଜ, ନାରାୟଣ ପାଣିଗ୍ରାହୀ, କାଳିଆ ମହାରଣା, ବିଭୁତି ପାଢୀ, ବସନ୍ତ ତ୍ରିପାଠୀ, ପ୍ରତାପ ଗୌଡ, ଚିତ୍ରସେନ ମହାରଣା, ସୁଶାନ୍ତ ନାୟକ, ଲିଙ୍ଗରାଜ ପ୍ରଧାନ, ସାଗର ପ୍ରଧାନ, ଜଗନ୍ନାଥ ସାହୁ, ପପୁ ମହାରଣା, ବଳରାମ ମହାନ୍ତି, ନାରାୟଣ ସାହୁ ପ୍ରମୁଖ ଏହି ଦଣ୍ଡଯାତ୍ରାକୁ ସୁପରିଚାଳନା କରିବା ଦିଗରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha