କଟକ,(ଓ୍ବାଇଏନଏସ): ଗତ ଦୁଇ ସପ୍ତାହ ହେଲା ଗ୍ରୀଷ୍ମର ପ୍ରବାହ ବଢ଼ିବାରୁ ଲୋକେ ଅସ୍ତବ୍ୟସ୍ତ ହେଉଛନ୍ତି । ଯଦିଓ କାଳବୈଶାଖୀ କାରଣରୁ ସ୍ଥିତି ନିୟନ୍ତ୍ରଣରେ ଅଛି ତଥାପି ଗୁଳୁଗୁଳି କାରଣରୁ ଧୀରେ ଧୀରେ ଅଂଶୁଘାତ ଆଶଙ୍କା ବଢ଼ିଛି । ମାର୍ଚ୍ଚ ୧୫ରୁ ଏସ୍ସିବିରେ ଅଂଶୁଘାତ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ୱାର୍ଡ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇନାହିଁ ।
ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରଠାରୁ ଆରମ୍ଭ କରି ମେଡିସିନ୍ ବିଭାଗରେ ଅଦ୍ୟାବଧି ସ୍ୱତନ୍ତ୍ର ଭାବେ ଅଂଶୁଘାତ ୱାର୍ଡ ଖୋଲା ଯାଇନାହିଁ । ସେହିପରି ଅଂଶୁଘାତ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମେଡିସିନ୍ ବିଭାଗ ପକ୍ଷରୁ କୌଣସି ପୃଥକ ବ୍ୟବସ୍ଥା ମଧ୍ୟ ନାହିଁ । ଏପ୍ରିଲ୍ ମାସର ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଅଶୁଂଘାତ ମୁକାବିଲା ଲାଗି ପ୍ରସ୍ତୁତି ନହେବା ଏସ୍ସିବି କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଅଂଶୁଘାତ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏସି ପ୍ରକୋଷ୍ଠ ୱାର୍ଡ, ହାଇସ୍ପିଡ୍ ଫ୍ୟାନ୍ ଆଦି ସୁବିଧା ସହ ଆବଶ୍ୟକ ପରିମାଣର ବରଫ ଓ ଥଣ୍ଡା ପାଣି ମହଜୁଦ ରଖିବା, ପର୍ଯ୍ୟାପ୍ତ ଓଆରଏସ୍ ଓ ଅନ୍ୟାନ୍ୟ ଔଷଧ ସରଞ୍ଜାମ ଆଦି ଉପଲବ୍ଧ କରାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ଦେଇଛି । ଏସ୍ସିବି ରାଜ୍ୟରେ ଏକ ପ୍ରମୁଖ ମେଡିକାଲ ହୋଇଥିବାରୁ ବିଭିନ୍ନ ଆଡ଼ୁ ଅଶୁଂଘାତ ଆକ୍ରାନ୍ତ ଅଧିକ ଚିକିତ୍ସା ପାଇଁ ଏଠାକୁ ପ୍ରତିବର୍ଷ ଖରାଦିନେ ଆସିଥାନ୍ତି ।
ଏ ଦୃଷ୍ଟିରୁ ଆଶୁଚିକିତ୍ସା କେନ୍ଦ୍ରଠାରୁ ଆରମ୍ଭ କରି ମେଡିସିନ୍ ବିଭାଗ ୱାର୍ଡ, ଆଇସିୟୁରେ ପୃଥକ ବ୍ୟବସ୍ଥା କରାଯାଇଥାଏ । ମାତ୍ର ଚଳିତ ବର୍ଷ ଏସ୍ସିବିରେ ଏଯାଏ ଅଂଶୁଘାତ ପ୍ରସ୍ତୁତି ନାହିଁ । ଆଶୁଚିକିତ୍ସା କେନ୍ଦ୍ରରେ ସ୍ୱତନ୍ତ୍ର ପ୍ରକୋଷ୍ଠ ନାହିଁ । ଜୁରରୀକାଳୀନ ସ୍ଥିତିରେ ଯଦି କେହି ଆକ୍ରାନ୍ତ ଆଶୁଚିକିତ୍ସା କେନ୍ଦ୍ରରେ ଚିକିତ୍ସା ପାଇଁ ପହଞ୍ଚିବେ ତେବେ ତାଙ୍କ ଅବସ୍ଥା ଏଠାରେ ଆହୁରି ଜଟିଳ ହୋଇପଡ଼ିବାର ଆଶଙ୍କା ରହିଛି ।
କାରଣ ଆଶୁଚିକିତ୍ସା କେନ୍ଦ୍ରରେ ଅଂଶୁଘାତ ଆକ୍ରାନ୍ତଙ୍କୁ ଥଣ୍ଡା ପରିବେଶରେ ରଖିବା ପାଇଁ ସୁବିଧା ନାହିଁ । ଅନ୍ୟପକ୍ଷରେ ଗରମ ବଢ଼ୁଥିଲେ ମଧ୍ୟ ଅଚଳ ଫ୍ୟାନ୍ ମରାମତି ଦିଗରେ ଜିଇଡି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ସେହିପରି ମେଡିସିନ୍ ବିଭାଗର ୱାର୍ଡରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କେତେକ ପ୍ରକୋଷ୍ଠରେ ଫ୍ୟାନ୍ ଝୁଲୁôଥିଲେ ମଧ୍ୟ ତାହା ରୋଗୀଙ୍କୁ ଗରମରୁ ମୁକ୍ତି ଦେଇପାରୁନାହିଁ ବୋଲି ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ।
ଏଇ ନିକଟରେ ଏକ କୋଠା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦୁଇଜଣ ଶ୍ରମିକ ଅଂଶୁଘାତଜନିତ ସମସ୍ୟାରେ ପଡ଼ି ଏସ୍ସିବି ଆଶୁଚିକିତ୍ସା ଚିକିତ୍ସା କେନ୍ଦ୍ରକୁ ଆସିଥିଲେ । କିନ୍ତୁ ଉପଯୁକ୍ତ ଚିକିତ୍ସା ନ ମିଳିବାରୁ ତାଙ୍କ ସହଯୋଗୀମାନେ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ । ତେଣୁ ଅଂଶୁଘାତ ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କେବଳ କାଗଜପତ୍ରରେ ସୀମିତ ରହିଥିବା ସ୍ପଷ୍ଟ ହୋଇଯାଇଛି । ସେହିପରି ଶିଶୁ ଭବନ ସମେତ ବିଭିନ୍ନ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ପ୍ରସ୍ତୁତି ନଥିବା ଅଭିଯୋଗ ହେଉଛି ।
ଟ୍ରମା ଆଇସିୟୁରେ ଅଗ୍ନିକାଣ୍ଡ ପରଠାରୁ ଏସ୍ସିବି ମେଡିକାଲରେ ଆଇସିୟୁ ସମସ୍ୟା ଲାଗି ରହିଛି । ବିଶେଷ କରି ଗୁରୁତର ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ପାଇଁ ଆଇସିୟୁ ସଙ୍କଟ ସୃଷ୍ଟି ହୋଇଛି । ଫଳରେ ସେଣ୍ଟ୍ରାଲ୍ ଆଇସିୟୁ ଉପରେ ଏବେ ଗୁରୁତର ରୋଗୀଙ୍କ ଚିକିତ୍ସା ଭାର ବଢ଼ିଛି । ତେଣୁ ସେଣ୍ଟ୍ରାଲ୍ ଆଇସିୟୁରେ ଅଗ୍ନି ନିରାପତ୍ତା କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବା ପାଇଁ ଜିଇଡି ବିଭାଗ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିବା ସୂଚନା ମିଳିଛି ।
ଟ୍ରମା କେୟାର୍ ବିଲ୍ଡିଂରେ ସେଣ୍ଟ୍ରାଲ୍ ଆଇସିୟୁ ରହିଛି । ସେଠାରେ ୨୪ ଶଯ୍ୟା ରହିଛି । ତେଣୁ ସେଣ୍ଟ୍ରାଲ୍ ଆଇସିୟୁକୁ ହଠାତ୍ ବନ୍ଦ କରି ଦେଲେ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଅଭାବନୀୟ ସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଏହାର ବିକଳ୍ପ ବ୍ୟବସ୍ଥା ପାଇଁ ହସ୍ପିଟାଲ ପକ୍ଷରୁ ପଦକ୍ଷେପ ନେବା ପାଇଁ ଯୋଜନା ରହିଛି । ତେଣୁ ଉକ୍ତ ସେଣ୍ଟ୍ରାଲ୍ ଆଇସିୟୁ ନିକଟରେ ଥିବା ଷ୍ଟେପ୍ ଡାଉନ୍ରେ ଭେଣ୍ଟିଲେଟର ଆଦି ସୁବିଧା ଉପଲବଧ୍ କରାଇବା ପାଇଁ ପ୍ରସ୍ତୁତି ଚାଲିଛି ।
ସେହିପରି ସର୍ଜରୀ ବିଭାଗରେ ନବନିର୍ମିତ ଆଇସିୟୁର ସମସ୍ତ କାର୍ଯ୍ୟ ଶେଷ ହେବାକୁ ଯାଉଛି । ଉକ୍ତ ଆଇସିୟୁରେ ୧୮ ଟି ବେଡ୍ ରହିଛି । ଉକ୍ତ ଆଇସିୟୁ କାମ ସରିବାକୁ ଆଉ ୩ ସପ୍ତାହ ଲାଗିବ ବୋଲି ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ସର୍ଜରୀ ବିଭାଗରେ ଆଇସିୟୁ ନଥିବାରୁ ଅପରେସନ୍ ପରେ ଗୁରୁତର ହୋଇପଡ଼ୁଥିବା ରୋଗୀ ସେଣ୍ଟ୍ରାଲ୍ ଆଇସିୟୁ ଉପରେ ନିର୍ଭର କରିଥାନ୍ତି । ଟ୍ରମା ଆଇସିୟୁରେ ନିଆଁ ଲାଗିବା ପରେ ସେଣ୍ଟ୍ରାଲ୍ ଆଇସିୟୁକୁ ଅନେକ ସମୟରେ ଗୁରୁତର ଦୁର୍ଘଟଣାଗ୍ରସ୍ତଙ୍କୁ ସ୍ଥାନାନ୍ତର କରାଯାଉଛି । ତେଣୁ ସେଣ୍ଟ୍ରାଲ୍ ଆଇସିୟୁ ଉପରେ ଚାପ ବଢ଼ୁଛି ।

