Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଣେଶ ପୂଜାର ସୁପରିଚାଳନା ପାଇଁ ଶାନ୍ତି କମିଟି ବୈଠକ

ଗଣେଶ ପୂଜାର ସୁପରିଚାଳନା ପାଇଁ ଶାନ୍ତି କମିଟି ବୈଠକ

ବାଲେଶ୍ବର(ସରୋଜ ପଣ୍ଡା): ଆଗକୁ ହେବାକୁ ଥିବା ଗଣେଶ ପୂଜାକୁ ବାଲେଶ୍ୱରରେ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ପାଳନ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ପୂର୍ବାଞ୍ଚଳ ପୋଲିସ ରେଞ୍ଜ୍, ବାଲେଶ୍ୱର, ପୋଲିସ ଉପ-ମହାନିରୀକ୍ଷକ (DIG) ଶ୍ରୀଯୁକ୍ତ ପିନାକ ମିଶ୍ର, ବାଲେଶ୍ବର ପୌରାଞ୍ଚଳ ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଡିଏସପି ସିଟି ସୁଶ୍ରୀ ମନୀଷା ସୌଗୁନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବଜ୍ୟୋତି ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପରେଶ କୁମାର ରାଉତ, ଅତିରିକ୍ତ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ଓ ବାଲେଶ୍ୱର ସାଂସଦଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥି ମାନେ ଗଣେଶ ପୂଜା ଅବସରରେ ଆଇନଶୃଙ୍ଖଳା ବଜାୟ ରଖିବା, ଟ୍ରାଫିକ୍‌ ନିୟନ୍ତ୍ରଣ, ଭିଡ଼ ପରିଚାଳନା, ଶୋଭାଯାତ୍ରାର ସୁପରିଚାଳନା ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପୂଜା କମିଟିଗୁଡ଼ିକୁ ନିର୍ଦ୍ଧାରିତ ନିୟମ ଓ ପ୍ରଶାସନିକ ନିର୍ଦ୍ଦେଶାବଳୀ ପାଳନ କରିବା ସହିତ ଶାନ୍ତି ଓ ଶୃଙ୍ଖଳା ରକ୍ଷାରେ ପ୍ରଶାସନକୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା। ବୈଠକରେ ଡିଜେ ଓ ଉଚ୍ଚ ଶବ୍ଦଯୁକ୍ତ ମାଇକର ବ୍ୟବହାର ସମ୍ପର୍କିତ ନିୟମ ପାଳନ, ମେଢ଼ର ଉଚ୍ଚତା ସମ୍ପର୍କିତ ନିୟମ ପାଳନ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଧ୍ୱନି ପରିବେଷଣ, ଉଚ୍ଚ ଶବ୍ଦଯୁକ୍ତ ବାଣର ବାରଣ, ଶୋଭାଯାତ୍ରା ସମୟରେ ଯାତାୟାତ ବ୍ୟବସ୍ଥାକୁ ବାଧା ନଦେବା ଏବଂ ମଦ୍ୟପାନ ଠାରୁ ଦୂରେଇ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏଥିସହ ପୂଜା ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଗଣେଶ ପୂଜା ହେଉଛି ଭାଇଚାରା, ସାମାଜିକ ଏକତା ଓ ସୌହାର୍ଦ୍ଦ୍ୟର ପର୍ବ। ତେଣୁ ସମସ୍ତେ ପରସ୍ପରର ଧାର୍ମିକ ଭାବନାକୁ ସମ୍ମାନ ଦେଇ ଶାନ୍ତିପୂର୍ଣ୍ଣ ଭାବେ ପୂଜା ପାଳନ କରିବାକୁ ବୈଠକରେ ଆହ୍ୱାନ କରାଯାଇଥିଲା। ପୂଜା କମିଟି, ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ସମନ୍ୱୟ ରହିଲେ ଗଣେଶ ପୂଜା ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ, ପୋଲିସ ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ଜନପ୍ରତିନିଧି, ସାମ୍ବାଦିକ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଯୋଗଦେଇ ଗଣେଶ ପୂଜାର ସୁପରିଚାଳନା ନେଇ ଆଲୋଚନା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha