Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୋରୁଗାଈଙ୍କୁ ବ୍ୟାପୁଛି ଚର୍ମରୋଗ "ଲମ୍ଫି"

ଗୋରୁଗାଈଙ୍କୁ ବ୍ୟାପୁଛି ଚର୍ମରୋଗ "ଲମ୍ଫି"

ସିକା (ୱାଇଏନ୍‍ଏସ୍‍) : ଗତ କିଛି ଦିନ ହେଲା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ଅଞ୍ଚଳରେ ଗୋରୁୁଗାଈଙ୍କୁ ବ୍ୟାପିବାରେ ଲାଗିଛି ଚର୍ମରୋଗ ଲମ୍ଫି (ଚର୍ମବଣ୍ଡି ବସନ୍ତ) । ଏହି ରୋଗ କବଳରେ ବହୁ ଗାଈଗୋରୁ ଆକ୍ରାନ୍ତ ହୋଇସାରିଥିଲା ବେଳେ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ ଶେଖର ବେହେରା ଓ ପ୍ରାଣୀ ଚିକିତ୍ସକ ଡାକ୍ତର ଆଶୁତୋଷ ଚୌଧୁରୀଙ୍କ ନେତୃତ୍ୱରେ ପ୍ରାଣୀଧନ ନୀରିକ୍ଷକ ସୁଦର୍ଶନ ନାୟକ, ପିଆଜନ କହଁର, ସୁଶାନ୍ତ ଡାକୁଆ, ସ୍ମୃତିରଂଜନ ବିଶ୍ୱାଳ, ଆଲୋକ କୁମାର ପାତ୍ର, ସସ୍ମିତା ପଣ୍ଡାଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ବିଭିନ୍ନ ଗ୍ରାମାଞ୍ଚଳକୁ ଗସ୍ତ କରି ତଥ୍ୟ ସଂଗ୍ରହ କରିବା ସାଙ୍ଗକୁ ଗତ ଜୁଲାଇ ମାସ ୧୬ ତାରିଖରୁ ଚଳିତ ମାସ ଶେଷ ସୁଦ୍ଧା ଅଦ୍ୟାବଧି୨୫୦ ରୁ ଉର୍ଦ୍ଧ୍ୱ ଗାଈଗୋରୁଙ୍କୁ ଚିକିତ୍ସା କରାଯାଇଛି ଏବଂ ପ୍ରାୟ ୪୪୦୦ ଚର୍ମରୋଗ ଲମ୍ଫି ପ୍ରତିରୋଧକ ଟୀକାକରଣ କରାଯାଇଥିବା ଜଣାପଡିଛି ।

ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ଅଞ୍ଚଳରେ ଦୃତ ଗତିରେ ଗୋରୁଗାଈଙ୍କୁ ଚର୍ମରୋଗ ଲମ୍ଫି ବ୍ୟାପିବାରେ ଲାଗିଥିବା ଜଣାପଡିଛି । ବିଶେଷକରି ବାଛୁରୀଙ୍କ ପାଇଁ ଏହି ଚର୍ମରୋଗ ଲମ୍ଫି ବିପଦପୂର୍ଣ୍ଣ ସାଜୁଥିବା ଜଣାପଡିଛି । ଚର୍ମରୋଗ ଲମ୍ଫି କେତେକ ଅଞ୍ଚଳରେ ବ୍ୟାପିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । ଏହି ଚର୍ମରୋଗ ଲମ୍ଫି (ଚର୍ମବିଣ୍ଡି ବସନ୍ତ)ରୋଗକୁ ଗୋରୁଗାଈଙ୍କ ଶରୀରରୁ ମୂଳପୋଛ କରିବା ପାଇଁ ଟୀକାକରଣର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ଥିବା ଯୋଗୁଁ ରୋଗ ହେବା ପୂର୍ବରୁୁ ଗାଈଗୋରୁଙ୍କୁ ଏହି ଟୀକା ଦେବା ପାଇଁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ଚର୍ମବିଣ୍ଡି ରୋଗ ଲମ୍ଫିକୁ ନେଇ କେତେକ ଗୋପାଳକ ଚିନ୍ତିତ ହୋଇପଡିଥିଲା ବେଳେ ଗାଈଗୋରୁଙ୍କୁ ରୋଗରୁ ସୁସ୍ଥ ହେବା ପାଇଁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିବା ଜଣାପଡିଛି । ଲମ୍ଫି ଏକ ଚର୍ମରୋଗ ହୋଇଥିଲା ବେଳେ ସାଧାରଣତଃ 'କାପ୍ରିପକ୍ସ' ଭୂତାଣୁ ଦ୍ୱାରା ଏହି ରୋଗ ଗାଈଗୋରୁଙ୍କୁ ବ୍ୟାପିଥାଏ । ଏହି ରୋଗର ମୁଖ୍ୟ ଲକ୍ଷ୍ୟଣ ହେଲା ଗାଈଗୋରୁଙ୍କ ଚର୍ମରେ ଫୋଟକା ହେବା । ଏହି ରୋଗ ହେଲେ ଗାଈଗୋରୁଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗୋଲାକାର ମାଂସଳ ଫୋଟକା କିମ୍ବା ଗଣ୍ଠି ପରି ବାହାରିଥାଏ ଏବଂ ଗାଈଗୋରୁଙ୍କୁ ପ୍ରବଳ ଜ୍ୱର ହୁଏ ।

ତା ସାଙ୍ଗକୁ ଗାଈଗୋରୁଙ୍କ ଆଖି ଓ ନାକରୁ ପାଣି ଗଡିବା ସହ ଲାଳ ମଧ୍ୟ ବାହାରିଥାଏ । ଗାଈଗୋରୁଙ୍କ ଗୋଡ ଫୁଲିଯିବା ସାଙ୍ଗକୁ ସେମାନେ ଚାଲିବାରେ ମଧ୍ୟ କଷ୍ଟ ଅନୁଭବ କରିବା ସାଙ୍ଗକୁ କ୍ଷୀର ଦେବା କ୍ଷମତା ଏବଂ ଖାଇବା କ୍ଷମତା କମାଇ ଦେଇଥାନ୍ତି । ଏହି ଲମ୍ଫି ରୋଗ ଭୂତାଣୁଜନିତ ହୋଇଥିବା ବେଳେ ଏହା ମଶା, ମାଛି, ଉକୁଣୀ ଓ ଟିଙ୍କ ଭଳି ରକ୍ତଶୋଷକ କୀଟଙ୍କ ଦ୍ୱାରା ବ୍ୟାପିଥାଏ । ଏପରିକି ସଂକ୍ରମିତ ଗୋରୁୁଗାଈଙ୍କ ଲାଳ, ନାକ ଓ ଆଖିରୁ ଗଡୁଥିବା ପାଣି କିମ୍ବା କ୍ଷୀର ସଂସ୍ପର୍ଶରେ ଆସି ଅନ୍ୟ ସୁସ୍ଥ ଗୋରୁ ମଧ୍ୟ ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ଥାଏ ।

ସେହିପରି ସଂକ୍ରମିତ ଗୋରୁଗାଈଙ୍କ ଅଇଁଠା ଖାଇଲେ ମଧ୍ୟ ଏହି ଲମ୍ଫି ରୋଗ ଅନ୍ୟ ଗୋରୁଗାଈଙ୍କୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ଥାଏ । ବିଶେଷକରି ଏହି ଲମ୍ଫି ରୋଗ ବର୍ଷା ଦିନେ ଗାଈଗୋରୁଙ୍କୁ ବ୍ୟାପିଥାଏ । ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ୍‍ ନଥିବାରୁ ଗୋରୁଗାଈଙ୍କୁ ସୁସ୍ଥ ହେବାକୁ ସମୟ ଲାଗିଥାଏ ଏବଂ ଟୀକାକରଣ ଦ୍ୱାରା ଏହି ରୋଗର ମୂଳୋତ୍ପାଟନ ସମ୍ଭବ ହୋଇଥାଏ । ଚର୍ମରୋଗ ଲମ୍ଫିର ମୂଳୋତ୍ପାଟନ ପାଇଁ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରତିଶେଧକ ବ୍ୟବସ୍ଥା ସ୍ୱରୂପ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha