ହାଟଡିହି (ଓ୍ବାଇଏନଏସ) : ଆନନ୍ଦପୁର ଉପଖଣ୍ଡ ରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ ସ୍ଥାନରୁ ଝରକା, କବାଟ ତାଡି ଲୁଟ ହେଉଥିବା ବେଳେ ପୋଲିସ ଏହାର ସାମାନ୍ୟ ତମ ସୁରାକ ପାଇ ପାରୁନି। ସେହିପରି ଛେନାପଦି ଛକର ଏକ ଦୋକାନରୁ ଦୁଇଜଣ ଯୁବକ ମନି ପର୍ସ ଖୋଜିବା ବାହାନାରେ ୩୦ହଜାର ଟଙ୍କା ଲୁଟି ନେଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାଇ ଗତ ୨ ତାରିଖ ରାତି ୧୧ଟା ବେଳେ ଦୁଇଜଣ ଯୁବକ ଛେନା ପଦି ଛକରେ ଥିବା ଯୁଧିଷ୍ଠିର ସାହୁଙ୍କ ସାଇ ବ୍ରେକରି ଦୋକାନକୁ ଆସି ପିଜା କିଣିଥିଲେ। ପିଜା ନେଇ ଯିବାର କିଛି ସମୟ ପରେ ଫେରିଆସି ଆମ ମନି ପର୍ସ ଛାଡି ଦେଇ ଯାଇଛୁ କହି ଖୋଜା ଖୋଜି କରିଥିଲେ। ଏହି ବାହାନାରେ ସେମାନେ ଦୋକାନର କ୍ୟାସ ଡ୍ର ଭିତରୁ ୩୦ ହଜାର ଟଙ୍କା ଜୋର ଜବରଦସ୍ତ ନେଇ ପଳାଇଥିଲେ। ସମସ୍ତ ଘଟଣା ସି ସି ଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ବ୍ୟବସାୟୀ ଜଣକ ଗତକାଲି ନନ୍ଦିପଦା ଥାନାରେ ଅଭିଯୋଗ କରିବା ପରେ ନନ୍ଦିପଦା ପୋଲିସ କେସ ନଂ ୩୭୩ /୨୦୨୬ ରେ ମାମଲା ରୁଜୁ କରି ସିସିଟିଭି ଆଧାରରେ ତଦନ୍ତ ଚଳାଇଛି।

