ବାଲେଶ୍ଵର,(ସରୋଜ ପଣ୍ଡା): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ପାଳନ କରାଯାଉଥିବା ଓଡ଼ିଆ ପକ୍ଷ- ୨୦୨୬ର ମଙ୍ଗଳବାର ଥିଲା ସପ୍ତମ ଦିନ l ଏହି ଅବସରରେ ସହଦେବଖୁଣ୍ଟାସ୍ଥିତ ଫିରିଙ୍ଗୀପାଟଣା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ "ଶିଶୁ କଥା ଦିବସ" ପାଳନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବାଲେଶ୍ୱର ସାଂସଦ ମାନ୍ୟବର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଡ.
ବସନ୍ତ କୁମାର ନାୟକ, ସଦର ବିଇଓ ଯୋଗେଶ୍ଵର ଜେନା ଉପସ୍ଥିତ ଥିଲେ l ସେମାନେ ବର୍ଣ୍ଣବୋଧ ଓ ଶିଶୁଲେଖା ବଣ୍ଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାର ମହତ୍ତ୍ୱ ସମ୍ବନ୍ଧରେ ବୁଝାଇଥିଲେ । ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ବାଲେଶ୍ଵରଙ୍କ ଦ୍ଵାରା ଜିଲ୍ଲା କାର୍ଯ୍ୟାଳୟରେ ପ୍ରୟାସ ବୃଦ୍ଧାଶ୍ରମ, ସାହାରା ବୃଦ୍ଧାଶ୍ରମ, କପିଳ ମୁନୀ ବୃଦ୍ଧାଶ୍ରମ, ଅମୃତଧାରା ବୃଦ୍ଧାଶ୍ରମ ଓ ବରିଷ୍ଠ ନାଗରିକ ମଞ୍ଚଙ୍କୁ ଭାଗବତ ପୁସ୍ତକ ବଣ୍ଟନ କରାଯାଇଥିଲା l ଦୈନିକ ଭାଗବତ ପଠନ ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଅନୁଷ୍ଠାନର ସଭାପତି/ସମ୍ପାଦକ ଓ ଅନ୍ତେବାସୀ ଭାଗବତ ପୁସ୍ତକ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ ଉପସ୍ଥିତ ଥିଲେ ।ଅନୁରୂପ ଭାବେ ଜିଲ୍ଲାର ଅନ୍ୟାନ୍ୟ ପ୍ରାଥମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସେଥିରେ ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସରକାରୀ ଅଧିକାରୀ ଯୋଗ ଦେବା ସହ ବର୍ଣ୍ଣବୋଧ ଓ ଶିଶୁଲେଖା ବଣ୍ଟନ କରିଥିଲେ । ସୂଚନାଯୋଗ୍ୟ, ଶିଶୁ ଲେଖା ଦିବସ ପାଇଁ ଜିଲ୍ଲାକୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ ୩୦୦ ଖଣ୍ଡ ଲେଖାଏଁ ବର୍ଣ୍ଣବୋଧ, ଶିଶୁଲେଖା ପୁସ୍ତକ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୫ଟି ଭାଗବତ ପୁସ୍ତକ ବଣ୍ଟନ ପାଇଁ ଆସିଥିଲା l

