Dailyhunt
ପଞ୍ଚାୟତ କାର୍ଯ୍ୟାଳରେ ଜନ ଅଭିଯୋଗ ଶୁଣାଣୀ

ପଞ୍ଚାୟତ କାର୍ଯ୍ୟାଳରେ ଜନ ଅଭିଯୋଗ ଶୁଣାଣୀ

ଟକ (ଓ୍ବାଇଏନଏସ): କଟକ ଟାଙ୍ଗୀ ଚୌଦ୍ଵାର ବ୍ଳକର ଡାଳିଯୋଡା ବ୍ରହ୍ମପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି। ମହିସାଲଣ୍ଡା ଓ ବ୍ରହ୍ମପୁର ଗ୍ରାମପଞ୍ଚାୟତ ପାଇଁ ଏହା ଉଦ୍ଦିଷ୍ଟ ଥିଲା । ଏହି ଦୁଇଟି ପଞ୍ଚାୟତ ରୁ ମୋଟ ୧୧୨ଟି ଅଭିଯୋଗ ହସ୍ତଗତ ହୋଇଛି। ସେଥିମଧ୍ୟରୁ ୭୪ ଗୋଟି ପ୍ରଧାନ ମନ୍ତ୍ରୀ ଆବାସ ପ୍ରାପ୍ତି ପାଇଁ ହୋଇଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ୨୮ ରାସନ୍ ପାଇଁ ୬ ଓ ରାସ୍ତା ଏଵଂ ଅନ୍ୟାନ୍ୟ ପାଇଁ ୪ଗୋଟି ମିଳିଥିବା ର ସୁଚନା ମିଳିଛି।

ତେବେ ୬ ଗୋଟି ବାର୍ଦ୍ଧକ୍ୟ ଭତ୍ତା ସମ୍ବନ୍ଧୀୟ ଦରଖାସ୍ତ୍ ର ତ୍ୱରିତ ସମାଧାନ କରିଛନ୍ତି ମଣ୍ଡଳ ଉନ୍ନୟନ ଅଧିକାରୀ। ଅନ୍ୟାନ୍ୟ ମଧ୍ୟରୁ ଗୋଟିଏ ରହିଛି ସାଙ୍ଘାତିକ ଅଭିଯୋଗ । ମହିସାଲଣ୍ଡା ପଞ୍ଚାୟତର କେଦାରନାଥ ଦାସ ଓ ଯଶୋବନ୍ତ ରାଉତ ଏହି ଅଭିଯୋଗ ପତ୍ରଟି ପ୍ରଦାନ କରିଛନ୍ତି। ଅଭିଯୋଗ ମୁତାବକ ୨୦୨୧ ମସିହାରେ ମହିସାଲଣ୍ଡା ପଞ୍ଚାୟତରେ ପାଇଖାନା, ଆବାସ, କାଜୁପ୍ଲାଣ୍ଟେସନ, ଗଭୀର ନଳକୂପ ଆଦିରେ ବହୁ ଦୁର୍ନୀତି ହୋଇଥିବାର ଲୋକ ଲୋଚନକୁ ଆସିଥିଲା ।

ଏହାର ସତ୍ୟତା ଜାଣିବା ପାଇଁ ସେମାନେ ସୁଚନା ଅଧିକାର ଆଇନରେ ତଥ୍ଯ ମାଗିଥିଲେ। ତଥ୍ଯ ରୁ ମଧ୍ଯ ଦୁର୍ନୀତି ସ୍ପଷ୍ଟ ହୋଇଥିଲା । ବ୍ଳକ ତରଫରୁ ଏହା ଉପରେ ସ୍ଵତନ୍ତ୍ର ତଦନ୍ତ କରାଯାଇ ଦୁର୍ନୀତି କଥା ଜାଣିବାକୁ ପାଇଥିଲେ । ସେ ସମୟରେ ଅଭିଯୋଗ ପରେ ମଧ୍ୟ ଦୋଷିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ଗଲାନାହିଁ ।

ଶେଷରେ ଜନ ଅସନ୍ତୋଷ ସ୍ୱରୂପ ୫୦୦ରୁ ଉର୍ଦ୍ଧ୍ବ ଲୋକ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଫଳ ସ୍ୱରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚିଠି ନମ୍ୱର ୦୮ ତା ୨/୧/୨୦୨୩ରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଚିଠି ଲେଖିଥିଲା ବ୍ଳକ ପ୍ରଶାସନ । ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏଯାଏ ଚିଠି ଫେରୁନି। ଏଥିରେ ସମ୍ପୃକ୍ତ ଥିବା ସ୍ୱଚ୍ଛ ଭାରତ ମିଶନ ଓ ଉଦ୍ୟାନ ବିଭାଗର ଦୁଇ ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ଜଣେ ବଦଳି ହୋଇ ଅନ୍ୟତ୍ର ଚାଲି ଯାଇଥିବା ବେଳେ ସ୍ବଚ୍ଛ ଭାରତ ମିଶନ ର କନିଷ୍ଠ ଯନ୍ତ୍ରୀ, ପୁରସ୍କାର ସ୍ୱରୂପ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇ ସେଇ ଚୌକିରେ ବସିଛନ୍ତି । ତେବେ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ଦାସ ଓ ରାଉତ । ଏହି ଶିବିରରେ ଟାଙ୍ଗୀ ଚୌଦ୍ଵାର ମଣ୍ଡଳ ଉନ୍ନୟନ ଅଧିକାରୀ ଏନ୍ ଏନ୍ ରାଜଲକ୍ଷ୍ମୀ ଓଝା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଶାଶ୍ବତ କୁମାର ଜେନା, ସରପଞ୍ଚ କଲ୍ୟାଣୀ ଦାସ, ସମିତିସଭ୍ୟା ପ୍ରତିଭାମୟୀ ମହାନ୍ତିଙ୍କ ସହ ବିଭିନ୍ନ ବିଭାଗର ୧୬ଜଣ ଅଧିକାରୀ ଯୋଗ ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha