ବ୍ରହ୍ମପୁର,(ସୁଦିପ କୁମାର ସାହୁ): ବ୍ରହ୍ମପୁର ସାନବଜାରସ୍ଥିତ ଶ୍ରୀ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ଦେବସ୍ଥାନ ୬୮ତମ ବାର୍ଷିକ ଉତ୍ସବ ଅବସରରେ ପାଞ୍ଚଦିନ ବ୍ୟାପୀ ଶ୍ରୀ ଲକ୍ଷ ତୁଳସୀ ପୂଜା ଓ ନିଜ ପାଦ ଦର୍ଶନ ସେବା ମହୋତ୍ସବ ନଭେମ୍ବର ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଭକ୍ତିମୟ ପରିବେଶରେ ପାଳିତ ହେଉଛି। କାର୍ତ୍ତିକ ମାସର ପବିତ୍ର ପଞ୍ଚୁକ ଅବସରରେ ଆୟୋଜିତ ଏହି ଧାର୍ମିକ ମହୋତ୍ସବକୁ ନେଇ ମନ୍ଦିର ପରିସରରେ ଆଧ୍ୟାତ୍ମିକ ଉତ୍ସାହ ଓ ଭକ୍ତିଭାବର ମାହୋଲ ସୃଷ୍ଟି ହୋଇଛି।
ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେଉଛି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ଦୁର୍ଲଭ ନିଜ ପାଦ ଦର୍ଶନ। ବର୍ଷକୁ କେବଳ ପଞ୍ଚୁକର ଏହି ପାଞ୍ଚଦିନ ଭକ୍ତମାନଙ୍କୁ ଠାକୁରଙ୍କ ନିଜ ପାଦ ଦର୍ଶନର ସୁଯୋଗ ମିଳୁଥିବାରୁ ଏହାର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି। ପ୍ରତିଦିନ ଭୋର ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଭକ୍ତମାନେ ଏହି ଦୁର୍ଲଭ ଦର୍ଶନ କରିବା ସହ ଠାକୁରଙ୍କ ଆଶୀର୍ବାଦ ଲାଭ କରିପାରୁଛନ୍ତି। ଏଥିସହ ମହାପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି।
ଉତ୍ସବର ପ୍ରଥମ ଦିନ ଭୋର ୪ଟାରୁ ଶ୍ରୀ ସୁପ୍ରଭାତ ସେବା, ପ୍ରଥମ ଆରତୀ, ତୁଳସୀ ପୂଜା ଓ କୁଙ୍କୁମ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଠାକୁରଙ୍କ ଦିବ୍ୟ ପାଦ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ଏହି ପୂଜା ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବର ଅନ୍ତିମ ଦିନ ନଭେମ୍ବର ୨୪ ତାରିଖରେ ଭୋର ୪ଟାରେ ସୁପ୍ରଭାତ ସେବା, ପ୍ରଥମ ଆରତୀ ଓ ନିଜ ପାଦ ଦର୍ଶନ ସହ ଶ୍ରୀ ମହାଲକ୍ଷ୍ମୀଙ୍କ ପଞ୍ଚାମୃତ ଅଭିଷେକ, ସକାଳ ୧୦ଟାରେ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀଙ୍କ ପଞ୍ଚାମୃତ ଅଭିଷେକ ଏବଂ ସନ୍ଧ୍ୟା ୬ଟାରେ ଶ୍ରୀ ସହସ୍ର (୧୦୦୮) ଦୀପାଳଙ୍କାର ସେବା ଓ ଶିଖର ଦୀପୋତ୍ସବ ଆୟୋଜିତ ହେବ। ଏହି ପବିତ୍ର ଉତ୍ସବରେ ସହର ଓ ଆଖପାଖ ଅଞ୍ଚଳର ଅଧିକରୁ ଅଧିକ ଭକ୍ତ ଯୋଗଦେଇ ଠାକୁରଙ୍କ ଦିବ୍ୟ ଦର୍ଶନ ଓ ଆଶୀର୍ବାଦ ଲାଭ କରିବାକୁ ମନ୍ଦିର ପରିଚାଳନା ପକ୍ଷରୁ ନିବେଦନ କରାଯାଇଛି।

