Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାଣିରେ ଲୋଟିଛି ଧାନଗଛ, ଚିନ୍ତାରେ ଚାଷୀକୁଳ

ପାଣିରେ ଲୋଟିଛି ଧାନଗଛ, ଚିନ୍ତାରେ ଚାଷୀକୁଳ

ହାଟଡିହି, (ଓ୍ବାଇଏନଏସ): ଚାଷୀଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ। ବର୍ଷକର ପରିଶ୍ରମ ଓ ଆଶାକୁ ଉଜାଡ଼ି ଦେଇଛି ବାତ୍ୟା 'ଅକଭାନ୍‌'। ଲଗାଣ ବର୍ଷା ଓ ପବନ ପ୍ରଭାବରେ ବିଲରେ ପାଚିଲା ଓ କଞ୍ଚା ଧାନଗଛ ମାଟିରେ ଲୋଟି ପଡ଼ିଥିବା ବେଳେ ଅନେକ ଚାଷଜମିରେ ବର୍ଷାପାଣି ଜମି ରହିଛି। ଫଳରେ ଧାନ ଅମଳ ଆଶା ମଉଳିବାକୁ ବସିଥିବା ବେଳେ ଫସଲ ନଷ୍ଟ ହେବା ଆଶଙ୍କାରେ ଚିନ୍ତାରେ ପଡ଼ିଛନ୍ତି ହାଟଡିହି ବ୍ଲକ୍‌ର ଚାଷୀକୁଳ।

ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ଜୋର ଧରିଛି। ସୂଚନା ଅନୁଯାୟୀ, ହାଟଡିହି ବ୍ଲକ୍‌ରେ ଚଳିତ ବର୍ଷ ପ୍ରାୟ ୧୭ ହଜାର ୫୭୦ ହେକ୍ଟର ଜମିରେ ଧାନଚାଷ କରାଯାଇଥିଲା। ତେବେ ଚାଷ ଆରମ୍ଭରୁ ହିଁ ଚାଷୀଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ବାରମ୍ବାର ଲଘୁଚାପଜନିତ ବର୍ଷା ଯୋଗୁଁ ଧାନତଳି ନଷ୍ଟ ହୋଇଥିବାରୁ ଚାଷ କାର୍ଯ୍ୟ ବିଳମ୍ବିତ ହୋଇଥିଲା।

ଫଳରେ ବହୁ ବିଳମ୍ବରେ ରୁଆପୋତା କାମ ଶେଷ ହୋଇଥିଲା। ଏବେ କେତେକ ଜମିରେ ଧାନ ଥୋଡ଼ ବାହାରୁଥିବା ବେଳେ ଆଉ କେତେକ ଜମିରେ ଧାନ ଅଗପଚା ଅବସ୍ଥାରେ ରହିଛି। ଠିକ୍‌ ଏହି ସମୟରେ ବାତ୍ୟାର ପ୍ରଭାବ ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ବାତ୍ୟା 'ଅକଭାନ୍‌' ପ୍ରଭାବରେ ଲଗାତାର ତିନିଦିନ ଧରି ବର୍ଷା ହେବାରୁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳର ଚାଷଜମିରେ ପାଣି ଜମି ରହିଛି।

ଅନେକ ସ୍ଥାନରେ ଧାନଗଛ ପବନରେ ଶୋଇ ପଡ଼ିଥିବା ବେଳେ ପାଚିଲା ଧାନ ମଧ୍ୟ ପାଣିରେ ବୁଡ଼ି ରହିଛି। ଯଦି ଜମିରୁ ଶୀଘ୍ର ଜଳ ନିଷ୍କାସନ ନହୁଏ, ତେବେ ପାଚିଲା ଧାନ କେଣ୍ଡାରେ ଗଜା ହେବା ସହ ଧାନର ଗୁଣବତ୍ତା ନଷ୍ଟ ହେବାର ଆଶଙ୍କା ରହିଛି। ସେହିପରି କଞ୍ଚା ଧାନଗଛ ପାଣିରେ ଦୀର୍ଘ ସମୟ ରହିଲେ ଗଛ ପଚିଯିବା ସହ ଧାନ ଅଗାଡ଼ି ହେବାର ଭୟ ରହିଛି। ଏହାଦ୍ୱାରା ଚାଷୀଙ୍କ ଅମଳ ଯଥେଷ୍ଟ ହ୍ରାସ ପାଇବା ଆଶଙ୍କା କରାଯାଉଛି।

ସିମିଳିଆ ଗ୍ରାମର ଚାଷୀ ରମାକାନ୍ତ ରାଉତ, ଦୟାନିଧି ପଳତା, ବିନୋଦ ଓଝା ଓ ବିଜୟ କୁମାର ପଳତା ପ୍ରମୁଖ କହିଛନ୍ତି ଯେ, ଧାନ ଫୁଲ ଖେଳାଇବା ଓ କେଣ୍ଡା ଧରିବାର ଗୁରୁତ୍ୱପୂର୍ଣ୍ଣ ସମୟରେ ବାତ୍ୟା ପବନ ଯୋଗୁଁ ଧାନଗଛଗୁଡ଼ିକ ଭାଙ୍ଗି ମାଟିରେ ଲୋଟି ପଡ଼ିଛି। ଅନ୍ୟପଟେ ଜମିରୁ ପାଣି ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିବାରୁ ପାଣି ଜମି ରହିଛି। ଏଭଳି ସ୍ଥିତିରେ ଧାନ ଫୁଲ ଖେଳାଇବା ଓ ଭଲ ଅମଳ ହେବା କଷ୍ଟକର। ସେମାନଙ୍କ ଆକଳନ ଅନୁଯାୟୀ, ସିମିଳିଆ ଅଞ୍ଚଳରେ ୭୦ରୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ଧାନଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।

ସେହିପରି ଶାସଙ୍ଗ, ଚୋରଗାଡ଼ିଆ, ବଞ୍ଚୋ, ଭାତକରୁଆ, ଅକରୁଆ, ଶିବନାରାୟଣପୁର, ମୁଗୁପୁର, ସୁଲଣ, ହାଟଡିହି, ଗୋପ, ପନ୍ଦାଡୋ, ରମ୍ପାସ, ଇଞ୍ଚୋଳ, ଓରାଳି, ଆଦି ଗ୍ରାମରେ ମଧ୍ୟ ଅନେକ ଚାଷୀଙ୍କ ଧାନଜମିର ସମାନ ଅବସ୍ଥା ଦେଖିବାକୁ ମିଳିଛି। ବିଶେଷକରି କଳାଚମ୍ପା ଧାନ ଚାଷ କରିଥିବା ଚାଷୀମାନେ ଅଧିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହି କିସମର ଧାନଗଛ ଅପେକ୍ଷାକୃତ ଉଚ୍ଚା ହୋଇଥିବାରୁ ବାତ୍ୟା ପବନରେ ଅଧିକ ସଂଖ୍ୟାରେ ଗଛ ମାଟିରେ ଲୋଟି ପଡ଼ିଛି। ଫଳରେ ଚାଷୀମାନେ ଧାନ ଅମଳକୁ ନେଇ ଆଶଙ୍କାରେ ରହିଛନ୍ତି।

ଏ ସମ୍ପର୍କରେ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟଙ୍କୁ ପଚାରିବାରୁ ଧାନଫସଲ କ୍ଷୟକ୍ଷତି ସମ୍ପର୍କରେ ଅଭିଯୋଗ ମିଳିଥିବା ସେ କହିଛନ୍ତି। ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶ ଆସିବ, ସେହି ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସହକାରୀ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ କହିଛନ୍ତି ଯେ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ ଜାରି ରହିଛି। ତେବେ ଚାଷୀଙ୍କ ଅଭିଯୋଗ ଓ ବର୍ତ୍ତମାନର କ୍ଷେତ୍ରସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ କ୍ଷୟକ୍ଷତିର ସଠିକ୍‌ ଆକଳନ କରିବା ସହ ଜଳ ନିଷ୍କାସନ ବ୍ୟବସ୍ଥାକୁ ସୁଧାରିବା ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ ସରକାରୀ ସହାୟତା ଯୋଗାଇଦେବାକୁ ଚାଷୀକୁଳ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha