Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପରବ-୨୦୨୬ର ସଫଳ ଆୟୋଜନ ପାଇଁ ପ୍ରଶାସନର ଜୋରଦାର ପ୍ରସ୍ତୁତି

ପରବ-୨୦୨୬ର ସଫଳ ଆୟୋଜନ ପାଇଁ ପ୍ରଶାସନର ଜୋରଦାର ପ୍ରସ୍ତୁତି

କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ଆଦିବାସୀ କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଅନନ୍ୟ ମହାକୁମ୍ଭ ଜାତୀୟସ୍ତରୀୟ ଲୋକ ମହୋତ୍ସବ 'ପରବ-୨୦୨୬'ର ସଫଳ ଓ ସୁବ୍ୟବସ୍ଥିତ ଆୟୋଜନ ନିମନ୍ତେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ମହୋତ୍ସବକୁ ଆକର୍ଷଣୀୟ, ଶୃଙ୍ଖଳିତ ଓ ସ୍ମରଣୀୟ କରିବା ସହ ଦର୍ଶକ, କଳାକାର ଓ ଅତିଥିମାନଙ୍କ ପାଇଁ ଆବଶ୍ୟକ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।

ଏହି ପରିପ୍ରେକ୍ଷୀରେ ଶନିବାର କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଜନପ୍ରତିନିଧିମାନେ ପରବ ମହୋତ୍ସବ ପଡ଼ିଆ ପରିଦର୍ଶନ କରି ବିଭିନ୍ନ ପ୍ରସ୍ତୁତିର ଅଗ୍ରଗତି ଓ ସ୍ଥିତି ଅନୁଧ୍ୟାନ କରିଥିଲେ। ପରିଦର୍ଶନ ସମୟରେ ମହୋତ୍ସବର ମୁଖ୍ୟ ମଞ୍ଚ ନିର୍ମାଣ, ଦର୍ଶକଙ୍କ ବସିବା ବ୍ୟବସ୍ଥା, ଯାନବାହନ ପାର୍କିଂ, ପ୍ରବେଶ ଓ ପ୍ରସ୍ଥାନ ପଥ, ଆଲୋକୀକରଣ, ପାନୀୟ ଜଳ ଯୋଗାଣ ଏବଂ ପରିମଳ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରାଯାଇଥିଲା। ମହୋତ୍ସବ ସମୟରେ ବହୁ ସଂଖ୍ୟାରେ ଦର୍ଶକ, ପର୍ଯ୍ୟଟକ ଓ କଳାକାରଙ୍କ ସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ମହୋତ୍ସବ ପଡ଼ିଆରେ ଯେପରି ଶୃଙ୍ଖଳିତ ପରିବେଶ ବଜାୟ ରହିବା ସହ ଦର୍ଶକମାନେ ନିର୍ବିଘ୍ନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ, ସେଥିପ୍ରତି ଧ୍ୟାନ ଦିଆଯାଇଥିଲା।

ପରବ କେବଳ ଏକ ମନୋରଞ୍ଜନଧର୍ମୀ ଉତ୍ସବ ନୁହେଁ, ବରଂ କୋରାପୁଟର ଆଦିବାସୀ ଜୀବନଧାରା, ଲୋକକଳା, ଲୋକସଂସ୍କୃତି, ପାରମ୍ପରିକ ଖାଦ୍ୟ, ହସ୍ତଶିଳ୍ପ ଓ ଜନଜାତିୟ ଐତିହ୍ୟକୁ ଜାତୀୟ ସ୍ତରରେ ପରିଚିତ କରାଇବାର ଏକ ଅନନ୍ୟ ମଞ୍ଚ। ଏହି ମହୋତ୍ସବ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଜନଜାତି ସମ୍ପ୍ରଦାୟର ସ୍ୱତନ୍ତ୍ର ପରମ୍ପରା, ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ବିବିଧତାର ମନୋରମ ଝଲକ ଦେଖିବାକୁ ମିଳିବ। ପରିଦର୍ଶନ ସମୟରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା, ସିଡିଏ ବେଣୁଧର ଶବର, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, କୋରାପୁଟ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ଏବଂ ପୌରପାଳିକା ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାର ସାଂସ୍କୃତିକ ଗୌରବ ଓ ଆଦିବାସୀ ପରିଚୟକୁ ଆହୁରି ସମୃଦ୍ଧ କରିବା ସହ ଏହି ମହୋତ୍ସବକୁ ଏକ ସଫଳ ଜାତୀୟସ୍ତରୀୟ ଆୟୋଜନରେ ପରିଣତ କରିବା ଦିଗରେ ଜିଲ୍ଲା ପ୍ରଶାସନର ଏହି ପ୍ରସ୍ତୁତିକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha