Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପରିତ୍ୟକ୍ତ ଅବସ୍ଥାରେ ବେଲଗୁଣ୍ଠା ଏନଏସି. ପାର୍ଶ୍ୱରେ ଥିବା ପରିସ୍ରାଗାର

ପରିତ୍ୟକ୍ତ ଅବସ୍ଥାରେ ବେଲଗୁଣ୍ଠା ଏନଏସି. ପାର୍ଶ୍ୱରେ ଥିବା ପରିସ୍ରାଗାର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ସ୍ୱଚ୍ଛ ଭାରତ ମିଶନ ଅଧୀନରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା ଓ ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସରକାର ବିଭିନ୍ନ ସ୍ଥାନରେ ସାର୍ବଜନୀନ ପରିସ୍ରାଗାର ଓ ଶୌଚାଳୟ ନିର୍ମାଣ କରିଛନ୍ତି। ମାତ୍ର ଦୁଃଖ ଓ ପରିତାପର ବିଷୟ, ବେଲଗୁଣ୍ଠା ଏନ୍.ଏ.ସି. କାର୍ଯ୍ୟାଳୟ ପାର୍ଶ୍ୱରେ ନିର୍ମିତ ସାର୍ବଜନୀନ ପରିସ୍ରାଗାର ଟି ଆଜି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି।

ଯାହା ସାଧାରଣ ଲୋକଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିଲା,ତାହା ଏବେ ଅବହେଳା ଓ ଅଯତ୍ନର ଏକ ନିରବ ସାକ୍ଷୀ ପାଲଟିଛି। ଦୀର୍ଘ ଦିନ ଧରି ଏହି ପରିସ୍ରାଗାର କୌଣସି ରକ୍ଷଣାବେକ୍ଷଣ ହେଉନଥିବାରୁ ଏହାର ଚତୁଃପାର୍ଶ୍ୱରେ ଅଳିଆ ଆବର୍ଜନା ଜମି ରହିଛି। ଅପରିଷ୍କାର ପରିବେଶ, ଦୁର୍ଗନ୍ଧ ଏବଂ ଅବସ୍ଥା ଯୋଗୁଁ ସାଧାରଣ ଲୋକ ଏହାକୁ ବ୍ୟବହାର କରିବାକୁ ଭୟ କରୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ଏହି ପରିସ୍ରାଗାର କେବଳ ନାମକୁ ରହିଛି, ବାସ୍ତବରେ ଏହା ସମ୍ପୂର୍ଣ୍ଣ ଅକାମୀ ହୋଇପଡ଼ିଛି।

ଏହି ପରିସ୍ରାଗାର ଟି ପରିବା ବଜାର ନିକଟରେ ରହିଥିବା ହେତୁ ପ୍ରତିଦିନ ଏହି ଅଞ୍ଚଳ ଦେଇ ଶତାଧିକ ଲୋକଙ୍କ ଯାତାୟାତ ହେଉଥିବା ସତ୍ତ୍ୱେ ପ୍ରଶାସନର ନଜର ଏହା ଉପରେ ପଡ଼ୁନାହିଁ। ଏନ୍.ଏ.ସି. କାର୍ଯ୍ୟାଳୟ ନିକଟରେ ଥାଇ ମଧ୍ୟ ଏପରି ଅବ୍ୟବସ୍ଥା ସୃଷ୍ଟି ହେବା ପ୍ରଶାସନିକ ଦାୟିତ୍ୱବୋଧକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁରୁଷ ମାନେ ଏଣେ ତେଣେ ପରିଶ୍ରା କରୁଥିବା ବେଳେ ମହିଳା ମାନେ ନା ନା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଲୋକଙ୍କ ସୁବିଧା ପାଇଁ ସରକାରୀ ଅର୍ଥ ବ୍ୟୟ କରାଯାଇଥିଲେ ମଧ୍ୟ ଯଦି ଏହାର ଉଚିତ ରକ୍ଷଣାବେକ୍ଷଣ ନ ହୁଏ, ତେବେ ଏହି ପ୍ରକଳ୍ପର ଉଦ୍ଦେଶ୍ୟ କେତେଦୂର ସଫଳ ହେଉଛି ତାହା ଏବେ ବଡ଼ ପ୍ରଶ୍ନ। ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ଯେ, ପ୍ରଶାସନ ତୁରନ୍ତ ଏହି ପରିତ୍ୟକ୍ତ ପରିସ୍ରାଗାର ମରାମତି, ପରିଷ୍କାର-ପରିଚ୍ଛନ୍ନତା ଓ ନିୟମିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା କରନ୍ତୁ। ନଚେତ୍ ସ୍ୱଚ୍ଛତା ଓ ଜନସ୍ୱାସ୍ଥ୍ୟ ପ୍ରତି ସରକାରଙ୍କ ଅଙ୍ଗୀକାର କେବଳ ସ୍ଲୋଗାନରେ ସୀମିତ ରହିଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha