Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୌରାଂଚଳରେ ଶୁଭାରମ୍ଭ ହେଲା ୬ଟି ପୋଖରୀର ଉନ୍ନତିକରଣ ପ୍ରକଳ୍ପ

ପୌରାଂଚଳରେ ଶୁଭାରମ୍ଭ ହେଲା ୬ଟି ପୋଖରୀର ଉନ୍ନତିକରଣ ପ୍ରକଳ୍ପ

ବାଲେଶ୍ବର(ସରୋଜ ପଣ୍ଡା): ବାଲେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ପୂର୍ବ ପ୍ରତିଶୃତି ଅନୁଯାୟୀ ନିରନ୍ତର ପଦକ୍ଷେପ ନେଉଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ଅଟକଳରେ ବାଲେଶ୍ୱର ପୌରାଂଚଳର ବିଭିନ୍ନ ୱାର୍ଡରେ ଥିବା ପୋଖରୀଗୁଡିକର ଉନ୍ନତି ସହ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆରମ୍ଭ ହୋଇଛି ।

ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧିନରେ ବାଲେଶ୍ୱର ପୌର ପାଳିକା ପକ୍ଷରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏ ନେଇ ଆୟୋଜିତ ପୃଥକ ପୃଥକ କାର୍ଯ୍ୟକ୍ରମରେ ସଦର ବିଧାୟକ ଯୋଗଦେଇ ପ୍ରକଳ୍ପଗୁଡିକର ଶିଳାନ୍ୟାସ କରିଥିଲେ । ପ୍ରଥମେ ୨୦ନଂ ୱାର୍ଡରେ ଶୋଭାରାମପୁର ସହରୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ପୋଖରୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ରାଜ୍ୟର ଲୋକପ୍ରିୟ ସରକାର ସହରଗୁଡିକର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଆରମ୍ଭ ସହ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଅନୁଦାନ ପ୍ରଦାନ କରୁଛନ୍ତି ।

ଏହି ସୁତ୍ରରେ ବାଲେଶ୍ୱର ସହରର ବିକାଶ ପାଇଁ ନିରନ୍ତର ଉଦ୍ୟମ ଜାରି ରହିଛି । ଏହି ପ୍ରକଳ୍ପରେ ପୋଖରୀର ସମ୍ପୂର୍ଣ୍ଣ ପଙ୍କୋଦ୍ଧାର ସହିତ ଗାର୍ଡୱାଲ ଓ ଷ୍ଟିଲ ବ୍ୟାରେକେଟିଂ କରାଯିବ । ଧାର୍ଯ୍ୟ ସମୟସୀମା ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପୌରାଧ୍ୟକ୍ଷା ସବିତା ସାହୁ ଏଥିରେ ପୌରହିତ୍ୱ କରିବା ସହିତ ବାଲେଶ୍ୱର ସହରରେ ପୋଖରୀ ପୁନରୁଦ୍ଧାର ଯୋଜନାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟରେ କିଛି ପୋଖରୀର ଉନ୍ନତିକରଣ କରାଯାଇଥିଲା । ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୬ଟି ପୋଖରୀର ପୁନରୁଦ୍ଧାର ସହ ସୌନ୍ଦର୍ଯ୍ୟକରଣ କରାଯାଉଛି । ତେବେ ସମସ୍ତ ପୋଖରୀର ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏଥିପାଇଁ ପୌରପାଳିକା ପକ୍ଷରୁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା ରହିଛି ବୋଲି ଶ୍ରୀମତୀ ସାହୁ ସୂଚନା ଦେଇଥିଲେ । ଆଗାମୀ ଦିନରେ ସହର ମଧ୍ୟରେ ଥିବା ଅନ୍ୟ ପୋଖରୀ ଚିହ୍ନଟ ସହ ସେଗୁଡିକର ଉନ୍ନତି କରାଯିବ ବୋଲି ସେ କହିଛନ୍ତି । ଏହା ପରେ ୨୧ନଂ ୱାର୍ଡ଼ର ଗୋଡ଼ିପଦା ମହାବୀର ପୋଖରୀ, ୨୨ନଂ ୱାର୍ଡ଼ର ବାଳାଶ୍ରମ ପୋଖରୀ, ୨୩ ନଂ ୱାର୍ଡ଼ର ଚନ୍ଦନ ପୋଖରୀ ଓ ଗୋଶାଳାପଦା ପୋଖରୀ ଏବଂ ୮ନଂ ୱାର୍ଡ଼ର ବିଶ୍ରାମ ପୋଖରୀ ପ୍ରଭୃତିର ଉନ୍ନତି ପାଇଁ ଶିଳାନ୍ୟାସ କରାଯାଇଥିଲା । ପୌରନିର୍ବାହୀ ଅଧିକାରୀ ସିରିୟଲ ଶୁଭ୍ର ପଟେଲ, ପୌରଯନ୍ତ୍ରୀ ସୀମାଂଚଳ ମିଶ୍ର, କନିଷ୍ଠ ଯନ୍ତ୍ରୀ ପ୍ରଦୀପ ନାୟକ, ୨୦ନଂ ୱାର୍ଡ଼ କାଉନସିଲର ନିରୂପମା ଦାଶ, ୨୧ନଂ ୱାର୍ଡ଼ କାଉନସିଲର ସୁଚିସ୍ମିତା ପଣ୍ଡା, ୨୨ନଂ ୱାର୍ଡ଼ କାଉନସିଲର ଦେବାଶିଷ ସିଂ, ୨୨ନଂ ୱାର୍ଡ଼ କାଉନସିଲର ଶଶୀରେଖା ମହାନ୍ତି, ୮ନଂ ୱାର୍ଡ଼ କାଉନସିଲର ପ୍ରିତିଲତା ସେଠୀ ପ୍ରମୁଖଙ୍କ ସହ ବରିଷ୍ଠ ନେତା ଗୌରାଙ୍ଗ ଦାସ, ଭାଗବତ ସାହୁ, ଗଙ୍ଗାଧର ରାଉତ, ଚିତ୍ତରଞ୍ଜନ ପଣ୍ଡା, ରାଜେନ୍ଦ୍ର ଚାଟାର୍ଜୀ, ଉପେନ୍ଦ୍ର ଶତପଥୀ, ସୁଧାଂଶୁ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ପ୍ରମୁଖ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମଗୁଡିକରେ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha