କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ପ୍ରଶାସନ ଏବେ ଆକ୍ସନ ମୁଡରେ। ଦୀର୍ଘ ବର୍ଷ ଧରି ଚାଲିଥିବା ଚୋରା ମଦ ବ୍ୟବସାୟ ଉପରେ ଶନିବାର ଅପରାହ୍ନରେ ବଡ ଧରଣର ଆକ୍ରମଣ ହୋଇଛି। କାକଟପୁର ଥାନା ଅଧୀନ କୁଣ୍ଢେଇ ବଜାରରେ ସରକାରୀ ଜାଗା ଜବରଦଖଲ କରି ଗଢି ଉଠିଥିବା ଦୁଇ ବେଆଇନ ମଦ ଦୋକାନ ଉପରେ ବୁଲିଲା ବୁଲଡୋଜର। ସୂଚନା ଅନୁସାରେ, କୁଣ୍ଢେଇ ବଜାର ଅଞ୍ଚଳରେ ସରକାରୀ ଜାଗାରେ ଦୋକାନ ଘର ଭଳି କରି ଦୁଇ ବ୍ୟବସାୟୀ ଦୀର୍ଘ ଦିନ ହେବ ଚୋରା ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଥିଲେ।
ସେମାନେ କୁଣ୍ଢେଇ ଅଞ୍ଚଳରେ ଏକ ପ୍ରକାର ଚୋରା ମଦ ସାମ୍ରାଜ୍ୟ ଗଢି ତୋଳିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କରୁଥିଲେ। ଲୋକଙ୍କ ଅଭିଯୋଗ ପରେ କାକଟପୁର ପୋଲିସ ନିଜ ଆଡୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ପୋଲିସ ପକ୍ଷରୁ ଗତ ୭ ସେପ୍ଟେମ୍ବର ୨୦୨୬ରେ କେସ ନମ୍ବର ୩୨୦/୨୬ରେ ନରେନ୍ଦ୍ରପୁର ଅଞ୍ଚଳର ଦିଲ୍ଲୀପ ନାଥ ଏବଂ ଗତ ୧୬ ସେପ୍ଟେମ୍ବର ୨୦୨୬ରେ କେସ ନମ୍ବର ୩୩୮/୨୬ରେ ଛୋଟରାୟପୁର ଅଞ୍ଚଳର ଆଶିଷ ସେଣ ନାଁରେ ମାମଲା ରୁଜୁ କରାଯାଇଥିଲା।
ଏହି ଦୁଇ ଜଣ ହିଁ କୁଣ୍ଢେଇରେ ମଦ ମାଫିଆ ଭାବେ ସକ୍ରିୟ ଥିଲେ। ଶନିବାର ଅପରାହ୍ନରେ କାକଟପୁର ଥାନା ଅଧିକାରୀ ବସନ୍ତ ସାହୁ ଏବଂ କାକଟପୁର ଅତିରିକ୍ତ ତହସିଲଦାର ନିରଞ୍ଜନ ପାତ୍ରଙ୍କ ମିଳିତ ନେତୃତ୍ୱରେ ଏକ ବଡ ଧରଣର ଜବରଦଖଲ ଉଚ୍ଛେଦ ଅଭିଯାନ କରାଯାଇଥିଲା। ଏଥିରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ। ଜେସିବି ମାଧ୍ୟମରେ ସରକାରୀ ଜାଗାରେ ଗଢି ଉଠିଥିବା ଦୁଇଟି ବେଆଇନ ଦୋକାନ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଯାଇଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ଚୋରା ମଦ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି। ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ପୋଲିସର ଏହି ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ମହିଳାମାନେ ସ୍ୱାଗତ କରିଛନ୍ତି। ଆଗକୁ ଏଭଳି ବେଆଇନ କାରବାର ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

