Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଟ୍ରକ୍ ଡ୍ରାଇଭରକୁ ଅପହରଣ ପରେ ହତ୍ୟା

ଟ୍ରକ୍ ଡ୍ରାଇଭରକୁ ଅପହରଣ ପରେ ହତ୍ୟା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମର ଟ୍ରକ୍ ଡ୍ରାଇଭର ବାପୁଜୀ ସ୍ୱାଇଁ ଙ୍କୁ ୯ ଦିନ ପୂର୍ବେ ଅପହରଣ କରାଯାଇ ହତ୍ୟା କରାଯାଇଛି। ତାଙ୍କର ଗୋଟିଏ ପୁଅ ଓ ୨ ଝିଅ ଥିବା ବେଳେ ଗତ ଜୁନ ୨୫ ତାରିଖରୁ ତାଙ୍କ ପତ୍ତା ମିଳିନଥିଲ। ତାଙ୍କ ସ୍ୱାମୀଙ୍କୁ ଛତ୍ରପୁର ଅଞ୍ଚଳର ଜଣେ ଟ୍ରକ୍ ମାଲିକ ଏବଂ ଅନ୍ୟଜଣେ ଡ୍ରାଇଭର ଅପହରଣ କରି ହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପ୍ରଭାସିନୀ ସ୍ବାଇଁ ଅଭିଯୋଗ କରିଛନ୍ତି।

ଗୁରୁବାର ତାଙ୍କ ରକ୍ତାକ୍ତ ମୃତଦେହ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ - ପଲାସା ମଧ୍ୟବର୍ତ୍ତୀ ଟ୍ରେନ ଲାଇନ ନିକଟ ଏକ ଜଙ୍ଗଲରୁ ମିଳିଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ନିଖୋଜ ଥିବା ଟ୍ରକ୍ ଡ୍ରାଇଭର ବାପୁଜୀ କିଛିବର୍ଷ ହେଲା ଛତ୍ରପୁର ଆସି କବାଡି ଦୋକାନ କରିଥିବା ଜଣେ ବ୍ୟବସାୟୀ ଙ୍କ ଟ୍ରକ୍ ଚଳାଉଥିଲେ ବୋଲି ଜଣାପଡିଛି। ବାପୁଜୀ ବ୍ରହ୍ମପୁର ସଦର ଥାନା ଆଙ୍କୁଶପୁର ଗ୍ରାମର ଏକ ଭଡ଼ା ଘରେ ପରିବାର ସହ ରହି ଛତ୍ରପୁର ଯା ଆସ କରୁଥିଲେ।

ସ୍ତ୍ରୀ ପ୍ରଭାସିନୀ ଙ୍କ କହିବା ଅନୁଯାୟୀ, ଗତ ଜୁନ୍ ୨୫ ତାରିଖ ସକାଳେ ତାଙ୍କ ସ୍ଵାମୀ ଛତ୍ରପୁର ସ୍ଥିତ ଟ୍ରକ୍ ମାଲିକଙ୍କ ପାଖକୁ ଯାଉଥିବା କହି ଘରୁ ଯାଇଥିଲେ। ଛତ୍ରପୁର ରୁ ସେ ଟ୍ରକ୍ ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଥିଲେ। ସେହିଦିନ ରାତି ପ୍ରାୟ ୮ଟା ରେ ବାପୁଜୀ ଗୋଳନ୍ଥରା ର ଏକ ହୋଟେଲ ରେ ରାତ୍ରି ଭୋଜନ ସମୟରେ ସ୍ତ୍ରୀଙ୍କ ସହ ଶେଷ ଥର ପାଇଁ ମୋବାଇଲ ଫୋନରେ କଥା ହୋଇଥିଲେ। କଥା ହେବା ସମୟରେ ପାଖରେ ଥିବା କୌଣସି ବ୍ୟକ୍ତି ସ୍ବାମୀ ଙ୍କ ସହ ବଚସା ହେଉଥିବା ସେ ଶୁଣିଥିଲେ।

ଏନେଇ ସେ ସ୍ବାମୀ ଙ୍କୁ ପଚାରିବାରୁ ସେ କିଛି କହିନଥିଲେ। ପରଦିନ କାମରୁ ଫେରିବି। ପିଲା ମାନଙ୍କ ଦାୟିତ୍ଵ ନେଇ ଶୋଇ ପଡ଼ିବା କୁ କହି ଫୋନ କାଟି ଦେଇଥିଲେ।ପରଦିନ ଭୋର ପ୍ରାୟ ୬ ଟାରେ ସ୍ତ୍ରୀ ପ୍ରଭାସିନୀ ତାଙ୍କ ସହ କଥା ହେବାପାଇଁ ଫୋନ୍ କରିବାରୁ ସ୍ଵାମୀଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିବା ଜଣାପଡିଥିଲା । ଯେଉଁ ଟ୍ରକ୍ ଚଳାଇ ବାପୁଜୀ ଆନ୍ଧ୍ର ଯାଉଥିଲେ।ସେହି ଟ୍ରକ୍ ଟି ଗୋଳନ୍ଥରା ଥାନା ନିକଟ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ଥିବା ନେଇ ଟ୍ରକ୍ ମାଲିକ ତାଙ୍କୁ ଫୋନ ରେ ଜଣାଇବା ସହ ଟ୍ରକ୍ ରେ ଚାବି ଲାଗିଥିବା ବେଳେ ସେଠାରେ ବାପୁଜୀ ଙ୍କ ଚପଲ ସେଠାରେ ପଡ଼ି ରହିଛି।

ବାପୁଜୀ ସେଠାରେ ନଥିବା ସେ କହିଥିଲେ। ସ୍ତ୍ରୀ ପ୍ରଭାସିନୀ ଗୋଳନ୍ଥରା ରେ ତାଙ୍କ ସ୍ବାମୀ ଙ୍କୁ ଖୋଜିବା ସହ ଟ୍ରକ୍ କୁ ସେଠାରୁ ନନେବା ପାଇଁ ଟ୍ରକ୍ ମାଲିକଙ୍କୁ ଅନୁରୋଧ କରିଥିଲେ। ହେଲେ ଟ୍ରକ୍ ଚୋରି ହୋଇଯିବ କହି ମାଲିକ ଟ୍ରକ୍ ଟିକୁ ଛତ୍ରପୁର ନେଇଯାଇଥିଲେ। ପ୍ରଭାସିନୀ ଗୋଳନ୍ଥରା ଥାନାକୁ ଯାଇ ଏତଲା ଦେଇଥିଲେ।ସେଠାକାର ପୋଲିସ ଏତଲା ଗ୍ରହଣ ନକରି ତାଙ୍କୁ ଛତ୍ରପୁର ଥାନାକୁ ଯାଇ ଏତଲା ଦେବାକୁ ପରାମର୍ଶ ଦେଇ ଫେରାଇ ଦେଇଥିଲେ।

ସେ ଛତ୍ରପୁର ଥାନାକୁ ଯିବାରୁ ଜଣେ ପୋଲିସ ଅଧିକାରୀ ସମୁଦାୟ ଘଟଣା ତାଙ୍କଠାରୁ ଶୁଣିବା ପରେ ତୁମ ସ୍ବାମୀ ବ୍ରହ୍ମପୁର ସଦର ଥାନା ଆଙ୍କୁଶପୁର ଘରୁ ଯାଇଛନ୍ତି। ତେଣୁ ବ୍ରହ୍ମପୁର ସଦର ଥାନାକୁ ଯାଇ ରିପୋର୍ଟ ଦେବାକୁ କହିଥିଲେ। ବ୍ରହ୍ମପୁର ସଦର ଥାନାକୁ ପ୍ରଭାସିନୀ ଯିବାରୁ ସଦର ପୋଲିସ ତୁମ ସ୍ବାମୀ ଙ୍କ ଆଧାରକାର୍ଡ ଦିଗପହଣ୍ଡି ଥାନା କୋଟିନଡ଼ା ଗ୍ରାମର। ସେ ସେଠାକାର ମୂଳ ବାସିନ୍ଦା।

ତେଣୁ ତୁମେ ଦିଗପହଣ୍ଡି ଥାନାକୁ ଯାଇ ସେଠାରେ ରିପୋର୍ଟ ଦେବାକୁ କହିଥିଲେ। ସେ ନିରୁପାୟ ହୋଇ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବାରୁ ଯେ ହେତୁ ତୁମ ସ୍ବାମୀ ଛତ୍ରପୁର ରୁ ଟ୍ରକ୍ ନେଇ ଆନ୍ଧ୍ର ଯାଉଥିଲେ। ତେଣୁ ଛତ୍ରପୁର ପୋଲିସ ହିଁ ଏହାର ତଦନ୍ତ କରିବ କହି ଜଣେ ପୋଲିସ କର୍ମଚାରୀ ତାଙ୍କୁ ଫେରାଇ ଦେଇଥିଲେ। ପ୍ରଭାସିନୀ ପୁଣି ଛତ୍ରପୁର ଥାନାରେ ପହଞ୍ଚି ଏତଲା ଦେବା ପରେ ଆଇଆଇସି ସବ୍ୟସାଚ୍ଚି ମଲ୍ଲ ଥାନାରେ ଏକ ନିଖୋଜ ମାମଲା ରୁଜୁ କରି ତାଙ୍କ ଠାରୁ ଫୋନ ନଂ ସଂଗ୍ରହ କରି ତୁମକୁ ଫୋନ କରାଯିବ କହି ଘରକୁ ଫେରିଯିବାକୁ କହିଥିଲେ। ପ୍ରଭାସିନୀ ଙ୍କ ଅଭିଯୋଗ ଅନୁସାରେ ଛତ୍ରପୁର ର କବାଡି ଦୋକାନୀ ତଥା ଟ୍ରକ୍ ମାଲିକ ଏବଂ ତାଙ୍କ ପାଖରେ ପୂର୍ବରୁ କାମ କରୁଥିବା ଡ୍ରାଇଭର ବାବୁଲା ମିଶି ବାପୁଜୀ ଙ୍କୁ ଅପହରଣ କରି କେଉଁଆଡେ ନେଇଯାଇଥିଲେ।ସ୍ବାମୀ ଙ୍କୁ ଖୋଜିବା ପାଇଁ ସେ ଗୋଟିଏ ଥାନାରୁ ଅନ୍ୟ ୪ ଥାନାକୁ ଭୋକ ଓପାସ ରେ ଦୌଡ଼ି ଦୌଡ଼ି ଶେଷରେ ତାଙ୍କ ମୃତଦେହ ମିଳିଥିବା ଖବର ପାଇଥିବା କହିଛନ୍ତି।ବାପୁଜୀ ଙ୍କୁ କିଏ କାହିଁକି ଅପହରଣ କରିଥିଲେ। ତାଙ୍କୁ କେହି କଣ ପାଇଁ ହତ୍ୟା କଲେ ସେ ନେଇ ଛତ୍ରପୁର ଏବଂ ଆନ୍ଧ୍ର ର ପଲାସା ଥାନା ପୋଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି ଅପରପକ୍ଷରେ ଆନ୍ଧ୍ର ପ୍ରଦେଶ ପଲାସା ଥାନା ପୋଲିସ ଟ୍ରକ୍ ମାଲିକ ଏବଂ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଛତ୍ରପୁର ରୁ ଉଠାଇ ନେଇ ମାରାଥନ ଜେରା ଚଳାଇଛନ୍ତି। ମୃତଦେହ କୁ ପଲାସା ଗୁରୁବାର ଅପରାହ୍ନ ରେ ଜବତ କରିଛନ୍ତି।ପୋଲିସ ର ତଦନ୍ତରେ ଅବହେଳା କାରଣରୁ ବାପୁଜୀ ଙ୍କୁ ଅପହରଣକାରୀ ମାନେ ହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିବା ସହ ପୁଣି ଥରେ ଥାନାରେ ଏତଲା ଦିଆଯିବ ବୋଲି କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha