ଆସିକା (ୱାଇଏନ୍ଏସ୍): ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ସ୍ଥାନୀୟ ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ପବିିତ୍ର ବଡ ଏକାଦଶୀ ତିଥିରେ ତୁଳସୀ ବିବାହ ଉତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଏବଂ ବିଧିବିଧାନ ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ପୂଣ୍ୟ ଓ ଧର୍ମ ଅର୍ଜନର ମାସ କାର୍ତ୍ତିକର ଶୁକ୍ଳ ପକ୍ଷ ବଡ ଏକାଦଶୀ ତିଥିରେ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ଅନୁଷ୍ଠିତ ତୁଳସୀ ବିବାହ କାର୍ଯ୍ୟକ୍ରମରେ ମନ୍ଦିର ପୂଜକ ରାମକୃଷ୍ଣ ପଣ୍ଡାଙ୍କ ମହାମନ୍ତ୍ରରେ ପରିବେଶ ପ୍ରକମ୍ପିତ ହୋଇପଡିଥିଲା ।
ଶ୍ରଦ୍ଧାଳୁ ମହିଳାମାନଙ୍କ ହରିନାମ ସଂକୀର୍ତ୍ତନରେ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ମାସ ରୂପେ ପ୍ରଚଳିତ ରହିଛି । କାର୍ତ୍ତିକ ମାସ ପରି ମାସ ନାହିଁ, ସତ୍ୟ ଯୁଗ ପରି ଯୁଗ ନାହିଁ, ବେଦ ସଦୃଶ ଶାସ୍ତ୍ର ନାହିଁ, ଗଙ୍ଗା ପରି ନଦୀ ନାହିଁ ଏହି କଥା ପ୍ରଚଳିତ ରହିଆସିଛି । ତୁଳସୀ ବିବାହ ଉତ୍ସବ ପାଳନ ଅବସରରେ ଶ୍ରଦ୍ଧାଳୁ ମହିଳାମାନେ ତୁଳସୀ ଗଛକୁ ଭଲ ଭାବରେ ଲିପାପୋଛା କରି ହଳଦୀ, ଫୁଲ, ଧୂପଦୀପ ଦେଇ ସୁନ୍ଦର ଝୋଟି ଆଙ୍କି ଗଛରେ ନାଲି ଶାଢୀ, ଶଙ୍ଖା, ସିନ୍ଦୁର, ଅଳତା ଲଗାଇ ଅତ୍ୟନ୍ତ ନିଷ୍ଠାର ସହ ପୂଜାର୍ଚ୍ଚନା କରିବା ସାଙ୍ଗକୁ ସାମୂହିକ ଭାବେ ଭଗବାନଙ୍କ ନାମ ସ୍ମରଣ, ଜପ ଓ ଭକ୍ତି ଆରାଧନା କରିଥିବା ଦେଖିବାକୁ ମିଳିଥିଲା । ଆସିକା ଖମ୍ବେଶ୍ୱରୀ ପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିସରରେ ଆୟୋଜିତ ତୁଳସୀ ବିବାହ ଉତ୍ସବ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ମହିଳା ଅମିତା ମିଶ୍ର, ଡି.ସଂଯୁକ୍ତା ପାତ୍ର, ଡି.ଶାନ୍ତିଲତା ପାତ୍ର, ସିଏଚ୍.ବବିତା ପାତ୍ର, ପ୍ରତିମା ପାଢୀ, ରାଜଶ୍ରୀ ପାଢୀ, ଲିଲି ସ୍ୱାଇଁ, ପ୍ରମିଳା ସାସମଲ, ଇତିଶ୍ରୀ ପାଢୀ, ଡି.ସ୍ୱର୍ଣ୍ଣ କୁମାର ପାତ୍ର, କ୍ରିଷ୍ଣା କୁମାରୀ ସାହୁଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

