Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆମେରିକାରେ ଓଡ଼ିଆ ସଂସ୍କୃତିର ଜୟଗାନ: ୫୭ତମ 'ଓସା' ସମ୍ମିଳନୀରେ ଯୋଗଦେଲେ ଅଚ୍ୟୁତ ସାମନ୍ତ

Yuva Samay 1 month ago

Share this article:

ଭୁବନେଶ୍ୱର/ମିନିଆପୋଲିସ, ୪ ଜୁଲାଇ (୨୦୨୬): ଆମେରିକାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆମାନେ ନିଜର ମାଟିଠାରୁ ଦୂରରେ ରହି ମଧ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବେଶ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଆସୋସିଏସନ୍‍ ଇନ୍‍ ଆମେରିକା (ଓସା)ର କାର୍ଯ୍ୟଧାରାକୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଚ୍ଚ ପ୍ରଶଂସା କରିଛନ୍ତି।

ଆମେରିକାର ମିନିଆପୋଲିସଠାରେ ଶନିବାର ଅନୁଷ୍ଠିତ ଓସାର ୫୭ତମ ବାର୍ଷିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଶ୍ରୀ ସାମନ୍ତ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଓସା ପକ୍ଷରୁ ଆୟୋଜିତ ଏହି ମିଳନ ପର୍ବ ବାସ୍ତବରେ ଏକ ବିରଳ ଅନୁଭୂତି, ଯାହାକୁ ଆମେରିକା ଓ ଓଡ଼ିଶାର ଅନେକ ଲୋକ ଅପେକ୍ଷା କରିଥାନ୍ତି।

ଓଡ଼ିଶାର ବିକାଶ ସହ ଓଡ଼ିଆ ପରିଚୟ ଏବଂ ସଂସ୍କୃତିର ସଂରକ୍ଷଣରେ ଏହି ସଂଗଠନର ଅବଦାନ ଅତୁଳନୀୟ। ସମ୍ମିଳନୀରେ ସମବେତ ୧ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ପରିବାରକୁ ସମ୍ବୋଧିତ କରିବା ସହ ତାଙ୍କୁ ଆମନ୍ତ୍ରଣ କରିଥିବାରୁ ଶ୍ରୀ ସାମନ୍ତ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇଥିଲେ। କିଟ୍‍ ଓ କିସ୍‍ ସହିତ ଆମେରିକାର ବିଭିନ୍ନ ଶିକ୍ଷାନୁଷ୍ଠାନର ଥିବା ଦୃଢ଼ ସଂପର୍କ ବିଷୟରେ ସୂଚନା ଦେଇ ସେ କହିଥିଲେ ଯେ, ପ୍ରତିବର୍ଷ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୦୦ ଜଣ ରିସୋର୍ସ ପର୍ସନ ନିୟମିତ ଭାବେ କିଟ୍‍-କିସ ପରିଦର୍ଶନ କରି ବକ୍ତୃତା ପ୍ରଦାନ ସହ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥାନ୍ତି।

ଏହି ଭବ୍ୟ ସମାରୋହ ଅବସରରେ କିଟ୍‍-କିସ୍‍ ଓ ଓସା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କିଟ୍‍-କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଓସା ପକ୍ଷରୁ ଏହାର ସଭାପତି ନାଗେଶ୍ୱର ରଜନଲା ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ଚୁକ୍ତି ଅନୁସାରେ ଉଭୟ ଅନୁଷ୍ଠାନ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବେ। ଏହା ବ୍ୟତୀତ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନ, ଷ୍ଟାର୍ଟଅପ୍ ଇନକ୍ୟୁବେଟର, ନବସର୍ଜନା ପ୍ରୟୋଗଶାଳା ଏବଂ ବୃତ୍ତିଗତ ବିନିମୟ କାର୍ଯ୍ୟକ୍ରମ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ନେଇ ଏହି ବୁଝାମଣାପତ୍ରରେ ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ହସ୍ପିଟାଲର ପ୍ରତିଷ୍ଠାତା ଡାକ୍ତର ସୀତାକାନ୍ତ ଦାଶ, ଚିକାଗୋରେ ଭାରତର କନସଲ ଜେନେରାଲ ସୋମନାଥ ଘୋଷ, ଡକ୍ଟର ଓମକାର ନାଥ ମହାନ୍ତି, ଓସା ସଭାପତି ନାଗେଶ୍ୱର ରାଜନଳା, ଉପସଭାପତି ଉତ୍କଳ ନାୟକ, ସମ୍ପାଦକ ସ୍ନିଗ୍ଧା ହୋତା ଏବଂ କୋଷାଧ୍ୟକ୍ଷ ସଞ୍ଜୀବ ରାଉତଙ୍କ ସମେତ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାର ଅନେକ ବିଶିଷ୍ଟ ପ୍ରବାସୀ ଓଡ଼ିଆ ଉପସ୍ଥିତ ଥିଲେ।


About the Author

Author


Post navigation
Previous: ସୋଆ ପକ୍ଷରୁ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତNext: ରଥଯାତ୍ରା ସୁରକ୍ଷା ସମୀକ୍ଷା କଲେ ଡିଜିପି: ନିରାପଦ ରଥଯାତ୍ରା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ, ଜାରି ହେବ ସ୍ୱତନ୍ତ୍ର ଟ୍ରାଫିକ ଗାଇଡଲାଇନ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay