Share this article:
ଭୁବନେଶ୍ୱର, ଅଗଷ୍ଟ ୩୧: ଜୀବନ ରକ୍ଷାକାରୀ ଅଙ୍ଗ ପ୍ରତିରୋପଣ ନିମନ୍ତେ ଆବଶ୍ୟକ ମାତ୍ରାର ଅଙ୍ଗର ଘୋର ଅଭାବ ଯୋଗୁଁ ଭାରତରେ ପ୍ରତିଦିନ ହାରାହାରି ୨୦ ଜଣ ରୋଗୀଙ୍କ ମୃତ୍ୟୁ ଘଟୁଛି। ଅଙ୍ଗଦାନର ଗୁରୁତ୍ୱ ସମ୍ପର୍କରେ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି କରିବା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଷ୍ଟେଟ୍ ଅର୍ଗାନ୍ ଆଣ୍ଡ ଟିସ୍ୟୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ୍ (ସୋଟୋ)ର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିଭୂତି ଭୂଷଣ ନାୟକ ପ୍ରକାଶ କରିଛନ୍ତି।
ସୋମବାର ଶିକ୍ଷା 'ଓ' ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ସମ୍ ଅଲ୍ଟିମେଟ୍ ମେଡିକେୟାର ପକ୍ଷରୁ ଆୟୋଜିତ 'ଅଙ୍ଗଦାନ ମହୋତ୍ସବ'ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଡାକ୍ତର ନାୟକ କହିଛନ୍ତି ଯେ ଅଙ୍ଗଦାନ ଦ୍ୱାରା ଅନେକ ଜୀବନ ବଞ୍ଚାଇ ହେବ, ତେଣୁ ଲୋକଙ୍କ ମଧ୍ୟରେ ଅଙ୍ଗଦାନ ସମ୍ପର୍କରେ ସଠିକ୍ ସୂଚନା ଓ ସଚେତନତା ପହଞ୍ଚାଇବା ଅତ୍ୟନ୍ତ ଆବଶ୍ୟକ। ମଲ୍ଟି-ସୁପରସ୍ପେସିଆଲିଟି ଓ କ୍ୱାଟର୍ନାରୀ କେୟାର ହସ୍ପିଟାଲ ସମ୍ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ସୋଆର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଡାକ୍ତର ନାୟକ ଆହୁରି ମଧ୍ୟ କହିଥିଲେ ଯେ, ମୃତ ବ୍ୟକ୍ତିଙ୍କ ପରିବାର ସମୟୋଚିତ ଭାବେ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲେ ଅଙ୍ଗ ପ୍ରତିରୋପଣ ଅପେକ୍ଷାରେ ଥିବା ଅନେକ ରୋଗୀଙ୍କୁ ନୂଆ ଜୀବନ ମିଳିପାରିବ, ଯାହା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି ହେବା ଜରୁରୀ।
ଏହି ଅବସରରେ ସମ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଶ୍ୱେତପଦ୍ମା ଦାଶ ସୂଚନା ଦେଇ କହିଥିଲେ ଯେ, ଅଙ୍ଗଦାନର ମହତ୍ତ୍ୱ ସମ୍ପର୍କରେ ସମାଜରେ ସାମୂହିକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ହସ୍ପିଟାଲ ପକ୍ଷରୁ ୨୦୨୩ ମସିହାରୁ 'ଅଙ୍ଗଦାନ ମହୋତ୍ସବ' ପାଳନ କରାଯାଉଛି। ଅଙ୍ଗଦାନ ହେଉଛି ଜୀବନ ଦାନ, କିନ୍ତୁ ଅଙ୍ଗପ୍ରଦାନକାରୀଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ଥିବାରୁ ଜୀବନ ରକ୍ଷାକାରୀ ଅଙ୍ଗ ପାଇଁ ଅପେକ୍ଷା କରୁଥିବା ହଜାର ହଜାର ରୋଗୀଙ୍କ ପାଖରେ ବିକଳ୍ପ ସୀମିତ ରହିଯାଉଛି। ସମ୍ର ଦକ୍ଷ ଅଙ୍ଗ ପ୍ରତିରୋପଣ ଟିମ୍ ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବେଳେ ଜଣେ ମୃତ ଅଙ୍ଗଦାତା ଏକାଧିକ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇପାରନ୍ତି। 'ଅଙ୍ଗଦାନ ମହୋତ୍ସବ' ମାଧ୍ୟମରେ ଯୁବପିଢ଼ିଙ୍କୁ ଅଙ୍ଗଦାନ ସମ୍ପର୍କରେ ଆଲୋଚନା ଆରମ୍ଭ କରିବା ଏବଂ ପରିବାରଗୁଡ଼ିକୁ ଆବଶ୍ୟକ ସମୟରେ ସଚେତନ ଓ ସୂଚନାଭିତ୍ତିକ ନିଷ୍ପତ୍ତି ନେବାକୁ ପ୍ରେରିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଅଙ୍ଗଦାନ ପ୍ରୋତ୍ସାହନ ପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂଗଠନ ମଲ୍ଟି ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟେସନ୍ ଆଣ୍ଡ ହ୍ୟୁମାନ୍ ଆଣ୍ଡ ଏଜୁକେସନାଲ୍ ରିସର୍ଚ୍ଚ (ମଦର)ର ପ୍ରତିଷ୍ଠାତା ଇଞ୍ଜିନିୟର ତ୍ରୈଲୋକ୍ୟ ନାଥ ପଣ୍ଡା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ଅଙ୍ଗ ପ୍ରତିରୋପଣ ସଫଳତାର ସହ କରାଯାଇପାରେ ଏବଂ ଏହା ଦ୍ୱାରା ଅନେକ ଜୀବନ ବଞ୍ଚାଇ ହେବ ବୋଲି ଲୋକଙ୍କୁ ବୁଝାଇବା ଆବଶ୍ୟକ। ଓଡ଼ିଶାରେ ପ୍ରଥମ ଅଙ୍ଗଦାନ ଓ ଅଙ୍ଗ ପ୍ରତିରୋପଣ ୧୯୮୫ ମସିହାରେ ବୁର୍ଲାସ୍ଥିତ ଭିଏସ୍ଏସ୍ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲସ୍ରେ ହୋଇଥିଲା। 'ମଦର' ଦୁଇଟି ଦିଗରେ କାର୍ଯ୍ୟ କରୁଛି ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ମେଡିକାଲ କଲେଜଗୁଡ଼ିକୁ ଶରୀର ଦାନ ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା, ଯାହା ଦ୍ୱାରା ଏମ୍ବିବିଏସ୍ ଛାତ୍ରଛାତ୍ରୀମାନେ ମାନବ ଶରୀର ବିଚ୍ଛେଦ ମାଧ୍ୟମରେ ଶିକ୍ଷା ଲାଭ କରିପାରିବେ। ପୂର୍ବରୁ କେବଳ ଦାବିଦାର ନଥିବା ମୃତଦେହ ମେଡିକାଲ କଲେଜଗୁଡ଼ିକୁ ଶିକ୍ଷା ଉଦ୍ଦେଶ୍ୟରେ ପଠାଯାଉଥିଲା, ପରେ ରାଜ୍ୟ ସରକାର ସଂପୃକ୍ତ ଆଇନରେ ସଂଶୋଧନ କରିବା ପରେ ଲୋକମାନେ ସ୍ୱେଚ୍ଛାରେ ନିଜ ଶରୀର ମେଡିକାଲ କଲେଜକୁ ଦାନ କରିବାର ସୁଯୋଗ ପାଇଥିଲେ।
ଏହି ସମାବେଶରେ ସମ୍ର କ୍ରିଟିକାଲ କେୟାର ବିଭାଗର ମୁଖ୍ୟ ତଥା ସିନିୟର କନ୍ସଲ୍ଟାଣ୍ଟ ଡାକ୍ତର ବାନାମ୍ବର ରାୟ କହିଥିଲେ ଯେ ଛାତ୍ରଛାତ୍ରୀମାନେ ସମାଜରେ ଅଗ୍ରଣୀ ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିପାରିବେ। ସମ୍ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର କହିଥିଲେ ଯେ, ଜଣେ ମୃତ ଦାତାଙ୍କ ଅଙ୍ଗ ଚାରିରୁ ପାଞ୍ଚ ଜଣଙ୍କ ଜୀବନ ବଞ୍ଚାଯାଇପାରେ ବୋଲି ଲୋକମାନେ ବୁଝିଲେ ହିଁ ଅଙ୍ଗଦାନ ସମ୍ପର୍କିତ ଏହି ଉଦ୍ୟମ ସଫଳ ହୋଇପାରିବ। ସୋଆ ବିଶ୍ୱବିଦ୍ୟାଳୟର ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତିରଞ୍ଜନ ଦାସ ସ୍ୱତନ୍ତ୍ର ବକ୍ତା ଭାବେ ଯୋଗଦେଇ ଅଙ୍ଗଦାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଶିକ୍ଷା ଓ ଅନୁସନ୍ଧାନର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡାକ୍ତର) ମନୋଜରଞ୍ଜନ ନାୟକ ତାଙ୍କ ବାର୍ତ୍ତାରେ ଜଣାଇଥିଲେ ଯେ, "ଅଙ୍ଗଦାନ ହେଉଛି ମାନବିକତାର ସର୍ବୋଚ୍ଚ ପ୍ରକାଶ। ଜୀବନ ପରେ ମଧ୍ୟ ଜୀବନ ଦେବାର ଏକ ମହାନ୍ ଉପହାର। ସୋଆ ହସ୍ପିଟାଲ୍ଗୁଡ଼ିକ ମାଧ୍ୟମରେ ଆମେ ଏପରି ଏକ ସଂସ୍କୃତି ଗଢ଼ି ତୋଳିବାକୁ ପ୍ରତିବଦ୍ଧ, ଯେଉଁଠାରେ ଅଙ୍ଗଦାନର ସାହସ, ଦୟା, କରୁଣା ଓ ମାନବିକତାର ଏକ ମହାନ୍ ପରମ୍ପରା ସୃଷ୍ଟି ହୋଇପାରିବ ଏବଂ ଅନ୍ୟମାନଙ୍କୁ ଅମୂଲ୍ୟ ଜୀବନ ବଞ୍ଚିବାର ସୁଯୋଗ ମିଳିବ।" ଏହି କାର୍ଯ୍ୟକ୍ରମରେ ବାର୍ତ୍ତା ଦିଆଯାଇଥିଲା ଯେ ଅଙ୍ଗଦାନ କେବଳ ଏକ ଚିକିତ୍ସାଗତ ନିଷ୍ପତ୍ତି ନୁହେଁ, ଏହା ମାନବିକତା, କରୁଣା ଓ ଉଦାରତାର ଏକ ମହାନ୍ ପ୍ରତୀକ। କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତରମାନଙ୍କ ଦ୍ୱାରା ଅଙ୍ଗ ଓ ଟିସ୍ୟୁ ଦାନ, ଅଙ୍ଗ ପ୍ରତିରୋପଣ, ସମ୍ମତି, ଯୋଗ୍ୟତା ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କିତ ସଚେତନତାମୂଳକ ଆଲୋଚନା ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶେଷରେ ସମ୍ରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଅଙ୍ଗଦାନ ସମ୍ପର୍କିତ ଏକ ସ୍ୱତନ୍ତ୍ର ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା।
About the Author
Author
Post navigation
Previous: ପେଟ୍ରୋଲରେ କେତେ ଇଥାନଲ୍ ଅଛି ହୋଇଥିବା PIL କୁ ଖାରଜ କଲେ ସୁପ୍ରିମକୋର୍ଟNext: ଭୁବନେଶ୍ୱର ମଣିପାଲ ହସ୍ପିଟାଲରେ ଅତ୍ୟାଧୁନିକ ପିଇଟି/ସିଟି ସ୍କାନିଂ ଫ୍ୟାସିଲିଟି ଓ ନୂତନ ଓପିଡ଼ି ସେବାର ଶୁଭାରମ୍ଭ
