Share this article:
ବ୍ରହ୍ମପୁର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ସନ୍ଧ୍ୟାରେ ବ୍ରହ୍ମପୁର ଜେଲରୁ ବାହାରିଛନ୍ତି। ପିତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ବିକ୍ରମ ପଣ୍ଡାଙ୍କୁ ଗତକାଲି ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ। ଜାମିନ ମିଳିବାର ଗୋଟିଏ ଦିନ ପରେ ସେ ଜେଲରୁ ବାହାରିଛନ୍ତି।
ବିକ୍ରମ ପଣ୍ଡାଙ୍କୁ ସ୍ୱାଗତ କରିବା ପାଇଁ ବିଜେଡିର ବହୁ ବରିଷ୍ଠ ନେତା ଓ ଶତାଧିକ ଦଳୀୟ କର୍ମୀ ଜେଲ ବାହାରେ ଉପସ୍ଥିତ ଥିଲେ। ଚନ୍ଦ୍ରଶେଖର ସାହୁ, ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା, ସଞ୍ଜୟ ଦାସବର୍ମା, ମାନସ ମଙ୍ଗରାଜ, ଚିନ୍ମୟ ସାହୁ ଓ ଇପ୍ସିତା ସାହୁଙ୍କ ସମେତ ବହୁ ନେତା ଓ କର୍ମୀ ତାଙ୍କୁ ସ୍ୱାଗତ କରିଥିଲେ।
ସୂଚନା ଅନୁସାରେ, ପିତବାସ ପଣ୍ଡା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ବିକ୍ରମ ପଣ୍ଡାଙ୍କୁ ୨୦୨୫ ଅକ୍ଟୋବର ୨୨ ତାରିଖରେ ଗିରଫ କରାଯାଇଥିଲା। ସେବେଠାରୁ ସେ ନ୍ୟାୟିକ ହେପାଜତରେ ଥିଲେ। ତଳ କୋର୍ଟରେ ତାଙ୍କ ଜାମିନ ଆବେଦନର ଶୁଣାଣି ପରେ ସେ ଜାମିନ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଜାମିନ ଦେବା ସମୟରେ ହାଇକୋର୍ଟ ବିକ୍ରମ ପଣ୍ଡାଙ୍କ ପାସପୋର୍ଟ ଜମା କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏଥିସହ ସେ ଯେପରି ମାମଲାର ସାକ୍ଷୀମାନଙ୍କୁ ପ୍ରଭାବିତ ନକରନ୍ତି କିମ୍ବା ଚାଲିଥିବା ତଦନ୍ତରେ କୌଣସି ବାଧା ସୃଷ୍ଟି ନକରନ୍ତି, ସେଥିପାଇଁ କୋର୍ଟ କିଛି ସର୍ତ୍ତ ଲାଗୁ କରିଛନ୍ତି।
ହାଇକୋର୍ଟ ତାଙ୍କୁ ତଦନ୍ତରେ ସହଯୋଗ କରିବା ସହ ଅନୁମତି ନନେଇ ରାଜ୍ୟ ବାହାରକୁ ନଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
About the Author
Author
Post navigation
Previous: ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଅମନ ମାହେଶ୍ୱରୀଙ୍କୁ ବୋର୍ଡରେ ନିର୍ଦ୍ଦେଶକ ଭାବେ ନିଯୁକ୍ତିNext: NEET ବିକ୍ଷୋଭକାରୀଙ୍କୁ ବଡ଼ ଆଶ୍ୱସ୍ତି, ଏଫଆଇଆର୍ ରଦ୍ଦ କଲେ ସୁପ୍ରିମକୋର୍ଟ
