Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଷ୍ଟାର୍ଟଅପ୍ ଓଡ଼ିଶାର ବଡ଼ ସଫଳତା: ରାଷ୍ଟ୍ରପତି ଭବନରେ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କଲେ ରାଜ୍ୟର ୩ ଯୁବ ଉଦ୍ୟୋଗୀ

Yuva Samay 1 month ago

Share this article:

ଭୁବନେଶ୍ୱର, ୩୧ ଜୁଲାଇ ୨୦୨୬: ଓଡ଼ିଶାର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ପାଇଁ ଏକ ଅତ୍ୟନ୍ତ ଗୌରବମୟ ମୁହୂର୍ତ୍ତ ସାମ୍ନାକୁ ଆସିଛି। 'ଷ୍ଟାର୍ଟଅପ୍ ଓଡ଼ିଶା' ସହଯୋଗରେ ଆଗକୁ ବଢ଼ୁଥିବା ତିନିଟି ପ୍ରମୁଖ ଷ୍ଟାର୍ଟଅପ୍‌ ଶୁକ୍ରବାର ଦିନ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନସ୍ଥିତ କଲଚରାଲ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ଭାଗନେଇ ନିଜ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କରିଛନ୍ତି।

ଏହି ସୁଯୋଗ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରେ ରହିଛନ୍ତି ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ, ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ଏବଂ ଆର୍ବାନ୍-ହାଇଫି ବାୟୋସାଇନ୍ସ। 'ଅଟଳ ଇନୋଭେସନ ମିଶନ' ଅଧୀନରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନ ହୋଇ ଆସିଥିବା ତୃଣମୂଳ ସ୍ତରର ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଓଡ଼ିଶାର ଏହି ତିନିଜଣ ପ୍ରତିନିଧି ସାମିଲ ହୋଇ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ନିଜର ନବସୃଜନକୁ ଉପସ୍ଥାପନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଏହି ସଫଳତା ପାଇଁ ରାଜ୍ୟର ଯୁବ ଉଦ୍ୟୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତ ଏକ ବିକଶିତ ଓ ଦୃଢ଼ ଅର୍ଥନୀତି ଭାବେ ଗଢ଼ି ଉଠୁଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଦେଶର ନବସୃଜନ କେନ୍ଦ୍ରରେ ପରିଣତ ହୋଇଛି। ଜାତୀୟ ସ୍ତରରେ ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକୁ ମିଳିଥିବା ଏହି ସ୍ୱୀକୃତି କେବଳ ସେମାନଙ୍କର ବ୍ୟକ୍ତିଗତ ସଫଳତା ନୁହେଁ ବରଂ ଭାରତୀୟ ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ପ୍ରତିଫଳିତ କରୁଛି।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ପ୍ରକାଶ କରିଛନ୍ତି ଯେ 'ଓଡ଼ିଶା ଷ୍ଟାର୍ଟଅପ୍‌ ନୀତି' ରାଜ୍ୟର ଯୁବ ଉଦ୍ୟୋଗୀ ଓ ନବସୃଜନକାରୀଙ୍କ ଅନନ୍ୟ ପ୍ରତିଭାକୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି, ଯାହା ଫଳରେ ସେମାନେ ଲଗାତାର ଜାତୀୟ ସ୍ତରରେ ସଫଳତା ହାସଲ କରି ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି। ସେହିପରି ଷ୍ଟାର୍ଟଅପ୍‌ ଓଡ଼ିଶାର ସିଇଓ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି ଯେ ଯୁବ ଓ ମହିଳା ଉଦ୍ୟୋଗୀମାନଙ୍କ ସୃଜନଶୀଳ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ଏକ ସଶକ୍ତ ଇକୋସିଷ୍ଟମ ଗଢ଼ି ତୋଳୁଛି ଏବଂ 'ଷ୍ଟାର୍ଟଅପ୍‌ ଓଡ଼ିଶା' ମାଧ୍ୟମରେ ଆର୍ଥିକ ସହାୟତା ତଥା ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।

ପ୍ରଦର୍ଶିତ ହୋଇଥିବା ଉତ୍ପାଦଗୁଡ଼ିକ ମଧ୍ୟରେ ଶୀତଲ ଜିମାନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ସ୍ୱୟଂଚାଳିତ ଟ୍ରାନ୍ସଫର୍ମେବଲ୍ ବେଡ୍-ଚେୟାର ଓ ଏକ୍ସୋସ୍କେଲେଟନ୍ ଭଳି ଆଧୁନିକ ରୋବୋଟିକ୍ ଉପକରଣ ପ୍ରସ୍ତୁତ କରାଯାଇଛି। ଅନୁପ ପାଇକରାୟଙ୍କ ଦ୍ୱାରା ସ୍ଥାପିତ ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସର ଉତ୍ପାଦ 'ଚୁଲିଭ୍' ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ଇନ୍ଧନ ସଞ୍ଚୟକାରୀ ଓ ସ୍ୱାସ୍ଥ୍ୟକର ରୋଷେଇ ପ୍ରଣାଳୀକୁ ପ୍ରୋତ୍ସାହିତ କରୁଛି। ଅନ୍ୟପଟେ, ଅଧିରାଜ ମହାପାତ୍ରଙ୍କ ଆର୍ବାନ୍-ହାଇଫି ବାୟୋସାଇନ୍ସ କୃଷି ବର୍ଜ୍ୟବସ୍ତୁ ଓ ଛତୁରୁ ଆଧୁନିକ-ଚମଡ଼ା ବିକଶିତ କରି ପଶୁ ଚମଡ଼ାର ଏକ ପରିବେଶ ଅନୁକୂଳ ବିକଳ୍ପ ଠିଆ କରିଛି। ରାଜ୍ୟରେ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରି ସେମାନଙ୍କ ଉଦ୍ଭାବନକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ 'ଷ୍ଟାର୍ଟଅପ୍ ଓଡ଼ିଶା' ନିରନ୍ତର ପ୍ରୟାସ ଜାରି ରଖିଛି, ଯାହା ଆଗାମୀ ଦିନରେ ଅନ୍ୟ ଯୁବକମାନଙ୍କୁ ପ୍ରେରଣା ଯୋଗାଇବ।


About the Author

Author


Post navigation
Previous: ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନNext: କମିଲା LPG ସିଲିଣ୍ଡର ମୂଲ୍ୟ, ବଢ଼ିଲା ₹୫ ATF ମୂଲ୍ୟ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay