Dailyhunt
ସ୍ନାତକମାନେ ଚାକିରି ଖୋଜିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହେବାକୁ ରାଜ୍ୟପାଳଙ୍କ ଆହ୍ୱାନ

ସ୍ନାତକମାନେ ଚାକିରି ଖୋଜିବା ଅପେକ୍ଷା ନିଯୁକ୍ତି ସୃଷ୍ଟିକାରୀ ହେବାକୁ ରାଜ୍ୟପାଳଙ୍କ ଆହ୍ୱାନ

Yuva Samay 1 week ago

ଭୁବନେଶ୍ୱର,୦୪/୦୪:ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ସ୍ନାତକମାନଙ୍କୁ ଚାକିରି ଖୋଜିବା ପରିବର୍ତ୍ତେ ନିଯୁକ୍ତି ସୃଷ୍ଟିକାରୀ ହେବାକୁ ଆହ୍ୱାନ ଜଣାଇଛନ୍ତି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍‍ ଅଫ ମ୍ୟାନେଜମେଣ୍ଟ ସମ୍ବଲପୁରର ୧୦ମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ସେ ଉଦ୍ୟମିତା ଓ ନବସୃଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ରାଜ୍ୟପାଳ କହିଥିଲେ ଯେ, ଦେଶରେ "ଅଭୂତପୂର୍ବ ଷ୍ଟାର୍ଟଅପ୍ ବିପ୍ଳବ" ଚାଲିଛି, ଯାହା ଷ୍ଟାର୍ଟଅପ ଇଣ୍ଡିଆ,ଡିଜିଟାଲ ଇଣ୍ଡିଆ,ମେକ୍ ଇନ୍ ଇଣ୍ଡିଆ ଓ ସ୍କିଲ ଇଣ୍ଡିଆ ପରି ପ୍ରମୁଖ ପଦକ୍ଷେପ ଦ୍ୱାରା ସମର୍ଥିତ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସ୍ଥିର ଭାବରେ ଷ୍ଟାର୍ଟଅପ୍, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ପାଇଁ ବିଶ୍ୱରେ ଏକ କେନ୍ଦ୍ର ଭାବରେ ଉଭା ହୋଉଛି ଯାହା ପାଣ୍ଠି, ପରାମର୍ଶ ଏବଂ ନୀତି ସମର୍ଥନର ଏକ ଦୃଢ଼ ଇକୋସିଷ୍ଟମ୍ ଦ୍ୱାରା ସମର୍ଥିତ ହୋଇଛି।
ସେ IIM ସମ୍ବଲପୁରକୁ ନବସୃଜନ, ସମାବେଶୀ ଶିକ୍ଷା ଓ ଉତ୍କର୍ଷତାର ପ୍ରତୀକ ବୋଲି ବର୍ଣ୍ଣନା କରି ସ୍ନାତକମାନଙ୍କୁ ଜୀବନରେ ସତ୍ୟନିଷ୍ଠା ଓ ଉଦ୍ଦେଶ୍ୟ ସହିତ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ।ପ୍ରଯୁକ୍ତି ସହ ତାଳ ମେଳ ରଖିବାର ଆବଶ୍ୟକତା ଉପରେ ଜୋର ଦେଇ ସେ ନୋକିଆର ଉଦାହରଣ ଦେଇଥିଲେ। ସେହିପରି ପରାଗ ଅଗ୍ରୱାଲଙ୍କ ଉଦାହରଣ ଦେଇ ବିଫଳତା ପରେ ପୁନଃଉତ୍ଥାନର ଗୁରୁତ୍ୱ ଉପସ୍ଥାପନ କରିଥିଲେ।
ଓଡ଼ିଶାରେ ଶିଳ୍ପ, ଖଣି, ଆଇଟି ଓ ନବୀକରଣୀୟ ଶକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି ବୋଲି କହି ସ୍ନାତକମାନଙ୍କୁ ରାଜ୍ୟର ବିକାଶରେ ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ।

ସମାବର୍ତ୍ତନ ଅବସରରେ ଏମବିଏ, ଏକଜିକ୍ୟୁଟିଭ୍ ଏମବିଏ ଓ ୱାର୍କିଂ ପ୍ରଫେସନାଲ୍ ସ୍ନାତକମାନଙ୍କୁ ଡିଗ୍ରୀ ପ୍ରଦାନ ସହ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା।ଏହି ଅବସରରେ ପ୍ରତିଭା ମହାପାତ୍ର, ପ୍ରଫେସର ମହାଦେଓ ପ୍ରସାଦ ଜୟସ୍ୱାଲ ଓ ପ୍ରଫେସର ଚନ୍ଦନ ଚୌଧୁରୀ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay