Share this article:
ଲକ୍ଷ୍ନୌ: ଶିଳ୍ପ ଓ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଉତ୍ତରପ୍ରଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ରାଜ୍ୟରେ ସେମିକଣ୍ଡକ୍ଟର ଚିପ୍ ତିଆରି କାରଖାନା ନିର୍ମାଣ କାମ ଚାଲିଥିବା ବେଳେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମଧ୍ୟ ତିଆରି ହେଉଛି। ଅପରେସନ୍ ସିନ୍ଦୂର ସମୟରେ ଶତ୍ରୁପକ୍ଷକୁ ଭୟଭୀତ କରିଥିବା ବ୍ରହ୍ମୋସ୍ ଏବେ ଉତ୍ତରପ୍ରଦେଶରେ ନିର୍ମାଣ ହେଉଛି ବୋଲି ଶନିବାର ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ହର୍ମୁଜ୍ ପ୍ରଣାଳୀକୁ ନେଇ ସଙ୍କଟ ସୃଷ୍ଟି ହେବା ପରେ ଦେଶରେ ରୋଷେଇ ଗ୍ୟାସ୍ ଯୋଗାଣକୁ ନେଇ ଅନେକ ଆଶଙ୍କା ପ୍ରକାଶ ପାଇଥିଲା। ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଧାଡ଼ି ଲାଗିବା ସହ ଏଲ୍ପିଜି ଗ୍ୟାସ୍ ମିଳିବାରେ ସମସ୍ୟା ହେବ ବୋଲି କେତେକ ଲୋକ କହିଥିଲେ। ଏଭଳି ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରତିଦିନ ଅତି କମ୍ରେ ଏକ ଲକ୍ଷ ପିଏନ୍ଜି ଗ୍ୟାସ୍ ସଂଯୋଗ ଦେବାକୁ ଯୋଜନା କରିଥିଲେ ବୋଲି ମୋଦୀ କହିଥିଲେ।
ଏହି ଯୋଜନାର ଅଗ୍ରଗତି ସମ୍ପର୍କରେ ପଚାରିବାରୁ ଅଧିକାରୀମାନେ ପ୍ରତିଦିନ ମାତ୍ର ୧୫ରୁ ୨୦ ହଜାର ସଂଯୋଗ ଦେଇପାରୁଥିବା କହିଥିଲେ। ଏହାର କାରଣ ପଚାରିବାରୁ ପାଇପ୍ ସଂଯୋଗ କରିବା ପାଇଁ ପର୍ଯ୍ୟାପ୍ତ ପ୍ଲମ୍ବର ମିଳୁନଥିବା ଜଣାଇଥିଲେ। ପ୍ଲମ୍ବରଙ୍କ ଅଭାବ ଯୋଗୁଁ କାମ ଆଗେଇ ପାରୁନଥିବା ସେମାନେ କହିଥିଲେ। ଅନ୍ୟପକ୍ଷରେ, ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଭାରତରେ ଏଲ୍ପିଜିର ଘୋର ଅଭାବ ଦେଖାଦେବ ବୋଲି ଯେଉଁମାନେ ଆଶଙ୍କା କରିଥିଲେ, ସେମାନଙ୍କ କଥା ସତ ହୋଇନାହିଁ ବୋଲି ମୋଦୀ କହିଥିଲେ। ଖବରକାଗଜରେ ସେତେବେଳେ ଏ ସମ୍ପର୍କରେ ଅନେକ ଖବର ପ୍ରକାଶ ପାଇଥିଲା, କିନ୍ତୁ ଆଶଙ୍କା କରାଯାଇଥିବା ଭଳି ସ୍ଥିତି ସୃଷ୍ଟି ହୋଇନଥିଲା ବୋଲି ସେ କହିଥିଲେ।
କୃତ୍ରିମ ବୁଦ୍ଧିମତା ବା ଏଆଇ ଯୋଗୁଁ ଲୋକଙ୍କ ଚାକିରି ଚାଲିଯିବ ବୋଲି ଚାଲିଥିବା ଚର୍ଚ୍ଚା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ମତ ରଖିଥିଲେ। ତାଙ୍କ କହିବା ଅନୁସାରେ, ଆଜିକାଲି ଏଆଇକୁ ନେଇ ଅନେକ କଥା କୁହାଯାଉଛି। ଏଆଇ ମଣିଷର କାମ କରିଦେବ ଏବଂ ଚାକିରି ଛଡ଼ାଇ ନେବ ବୋଲି ଅନେକ ଭାବୁଛନ୍ତି। କିନ୍ତୁ ଯେଉଁ ବ୍ୟକ୍ତିଙ୍କ ପାଖରେ ଭଲ କାମ କରିବାର ଦକ୍ଷତା ଓ ଜ୍ଞାନ ରହିଛି, ତାଙ୍କ ଚାକିରି କେହି ନେଇପାରିବେ ନାହିଁ। ତେଣୁ ଯୁବପିଢ଼ି ନିଜର କାମ କରିବାର ଦକ୍ଷତା ବଢ଼ାଇବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଥିଲେ।
ଦେଶର ସବୁଠାରୁ ବଡ଼ ସଫଳତା ସମ୍ପର୍କରେ କହିବାକୁ ଯାଇ ମୋଦୀ କହିଥିଲେ, ସ୍ୱାଧୀନତା ପରଠାରୁ ଏବେ ସୁଦ୍ଧା ୫୦ କୋଟି ଲୋକ ଦାରିଦ୍ର୍ୟରୁ ବାହାରି ପାରିଛନ୍ତି। ଏହା ଦେଶର ଏକ ବଡ଼ ସଫଳତା। ଏହି ଅଗ୍ରଗତି ହିଁ ବିକଶିତ ଭାରତ ଗଠନରେ ସହାୟକ ହେବ। ସରକାର ଗରିବ ଲୋକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ସହ ସେମାନଙ୍କୁ ଆତ୍ମନିର୍ଭର ଓ ସଶକ୍ତ କରିବାକୁ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଥିଲେ।
ଆସନ୍ତା ୨୦୨୭ରେ ଭାରତରେ ୱାର୍ଲ୍ଡସ୍କିଲ୍ସ ଏସିଆ ପ୍ରତିଯୋଗିତା ଆୟୋଜନ ହେବ। ଏଥିରେ ଏସିଆ ସମେତ ବିଶ୍ୱର ବିଭିନ୍ନ ଦେଶର ଯୁବକଯୁବତୀ ଭାଗ ନେବେ। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ଏହି ପ୍ରତିଯୋଗିତା ହେବ ବୋଲି ମୋଦୀ ସୂଚନା ଦେଇଥିଲେ। ଉତ୍ତରପ୍ରଦେଶ ଏବେ ଏକ୍ସପ୍ରେସ୍ୱେ ନିର୍ମାଣ କ୍ଷେତ୍ରରେ ଆଗୁଆ ରାଜ୍ୟ ଭାବେ ପରିଚିତ ହୋଇଛି। ଏଥିପାଇଁ ରାଜ୍ୟବାସୀ ଗର୍ବ ଅନୁଭବ କରୁଛନ୍ତି ବୋଲି ସେ କହିଥିଲେ।
About the Author
Author
Post navigation
Previous: ନିଆଁରେ ଉଜୁଡ଼ିଗଲା ହସଖୁସିର ପରିବାର! ଗଲା ମା'ଙ୍କ ଜୀବନ, ସ୍ତ୍ରୀ ଗୁରୁତରNext: ନବରଙ୍ଗପୁରରେ ଟିପିଏସ୍ଓଡିଏଲ୍ର ସୋଲାର ରଥ ଶୁଭାରମ୍ଭ
