Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ୟୁନେସ୍କୋ ତାଲିକାରେ ପୁରୀ ରଥଯାତ୍ରାକୁ ସ୍ଥାନ ଦେବାକୁ କେନ୍ଦ୍ରକୁ ଅନୁରୋଧ

Yuva Samay 3 weeks ago

Share this article:

ଭୁବନେଶ୍ୱର: ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ୟୁନେସ୍କୋ ମାନ୍ୟତାରେ ସ୍ଥାନ ଦେବା ପାଇଁ ଓଡ଼ିଶା ସରକାର ପ୍ରୟାସକୁ ଆହୁରି ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ରଥଯାତ୍ରାର ନାମାଙ୍କନ ପ୍ରକ୍ରିୟାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଛନ୍ତି।

ଅଗଷ୍ଟ ୧ ତାରିଖରେ ଲେଖାଯାଇଥିବା ଏହି ଚିଠିରେ ସେ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୟୁନେସ୍କୋ ନାମାଙ୍କନ ପାଇଁ ଆବଶ୍ୟକ ସମସ୍ତ ଦସ୍ତାବିଜ ଓ ପ୍ରସ୍ତାବ ନିର୍ଦ୍ଧାରିତ ଫର୍ମାଟରେ ପୂର୍ବରୁ ଦାଖଲ କରିସାରିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ଭାରତର ପ୍ରାଚୀନ ସଭ୍ୟତା, ସାଂସ୍କୃତିକ ବିବିଧତା, ସମନ୍ୱୟର ପରମ୍ପରା, ଆଧ୍ୟାତ୍ମିକତା, କାରିଗରୀ କଳା, ସଙ୍ଗୀତ, ନୃତ୍ୟ ଏବଂ ସର୍ବସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣର ଏକ ଅନନ୍ୟ ପ୍ରତୀକ। ଶତାବ୍ଦୀ ଧରି ପାଳିତ ହୋଇଆସୁଥିବା ଏହି ପରମ୍ପରା ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କୁ ପୁରୀକୁ ଆକର୍ଷିତ କରିଥାଏ।

ସେ କେନ୍ଦ୍ରମନ୍ତ୍ରୀଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରି ସଂସ୍କୃତି ମନ୍ତ୍ରଣାଳୟ ସ୍ତରରେ ପ୍ରସ୍ତାବର ଶୀଘ୍ର ବିଚାର କରିବା ଏବଂ ୟୁନେସ୍କୋ ନାମାଙ୍କନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରି କହିଛନ୍ତି, ଯଦି ରଥଯାତ୍ରାକୁ ୟୁନେସ୍କୋର ସ୍ୱୀକୃତି ମିଳେ, ତେବେ ଏହି ଅନନ୍ୟ ଐତିହ୍ୟ ବିଶ୍ୱସ୍ତରରେ ଆହୁରି ପରିଚିତ ହେବ ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହାର ସଂରକ୍ଷଣ ଓ ପ୍ରଚାରକୁ ମଧ୍ୟ ଅଧିକ ସୁଦୃଢ଼ କରିବ।


About the Author

Author


Post navigation
Previous: ମଧ୍ୟାହ୍ନ ଭୋଜନରୁ ବାହାରିଲା ମଲା ଝିଟିପିଟି, ୭ ଶିଶୁ ଅସୁସ୍ଥNext: ଅଣାୟତ ହେବାରେ ଲାଗିଛି PoK ପରିସ୍ଥିତି, ମହିଳା ଆନ୍ଦୋଳନକାରୀଙ୍କ ଉପରେ ଗୁଳି ମାଡ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay