Dailyhunt
ଅବହେଳିତ ଐତିହାସିକ ବ୍ରାହ୍ମଣୀଦେବୀ ପୀଠ

ଅବହେଳିତ ଐତିହାସିକ ବ୍ରାହ୍ମଣୀଦେବୀ ପୀଠ

କୁଆରମୁଣ୍ଡା: ସୁନ୍ଦରଗଡ କୁଆରମୁଣ୍ଡା ବ୍ଳକ ଅନ୍ତର୍ଗତ ଚଇନପୁରର ସର୍ବପୁରାତନ ଐତିହାସିକ ବ୍ରାହ୍ମଣୀଦେବୀ ପୀଠ। ବ୍ରାହ୍ମଣୀନଦୀ କୂଳର ପ୍ରାକୃତିକ ସୌନ୍ଦର୍ଯ୍ୟ ଜଙ୍ଗଲଘେରା ପାହାଡର ମଧ୍ୟଭାଗରେ କେନ୍ଦୁଗଛ ମୂଳରେ ମାନବ ଆକୃତିର ପଥର ପୂଜା ପାଉଛନ୍ତି ମା'। ଆଜିକୁ ପ୍ରାୟ ୨୦୦ ବର୍ଷରୁ ଅଧିକ ସମୟ ଧରି ପୂଜା ପାଉଥିବା ପୀଠଟି ସବୁ ଦିଗରୁ ଅବହେଳିତ।

ପର୍ବପର୍ବାଣୀ ନୁହେଁ ମରୁଡି ବେଳେ ବର୍ଷା ଲାଗି ମା'ଙ୍କ ନିକଟରେ ହଜାର ହଜାର ଲୋକଙ୍କ ଭିଡ ଜମିଥାଏ। ବିଶ୍ୱାସ ରହିଛି, ମା'ଙ୍କୁ ଶହ ଶହ କଳସରେ ପାଣି ଢାଳି ପୂଜାର୍ଚ୍ଚନା କରାଯାଏ। ପରେ ଗୋବର ସମ୍ପୂର୍ଣ୍ଣ ଢାଙ୍କି ଦେବାପରେ ବର୍ଷା ହୋଇଥାଏ।

ଚାଷୀମାନେ ମରୁଡିରୁ ଆଶ୍ୱସ୍ତି ପାଇଥାନ୍ତି।ଏଥିପାଇଁ ମା'ଙ୍କର ଅନ୍ୟନାମ ବର୍ଷାଦେବୀ, କହନ୍ତି ମୁଖ୍ୟ ପୂଜକ ଜନ୍ମେଜୟ ରାଉତ। ଜନ୍ମେଜୟ କହନ୍ତି, ପୂର୍ବପୁରୁଷରୁ ମା' ତାଙ୍କରି ପରିବାର ହାତରେ ପୂଜା ପାଇ ଆସୁଛନ୍ତି। ତାଙ୍କ ଅଜା ଗଣେଶ୍ୱର ରାଉତ ପୂଜା କରୁଥିଲେ। ଅଜାଙ୍କ ମୃତ୍ୟୁ ପରେ ତାଙ୍କ କାକା ଅଭିନୟ ରାଉତ ପୂଜାରମ୍ଭ କରିଥିଲେ। କାକାଙ୍କ ପରେ ଏବେ ପ୍ରାୟ ୩୦ ବର୍ଷରୁ ଅଧିକ ଦିନ ଧରି ପୂଜାର୍ଚ୍ଚନା କରି ଆସୁଛନ୍ତି। ଆଷାଢ଼ ମାସରେ ମା'ଙ୍କ ନିକଟରେ କୁଆରମୁଣ୍ଡା, ତେଲିପୋଷ, ଚଇନପୁର, କଚାରୁ, ଭାଲୁଡୁମେର, ନାଇକେନ ବାହାଲ, ଚୁଟିଆଟୋଲା, ପୁଟୁରିଖମଣ, କାଲୋସିହରିଆ, ଲାଞ୍ଜିବେର୍ଣ୍ଣା, ଜମୁନାନାକୀ, ସାନଦଲିକୀ ସମେତ ଏହାର ଆଖପାଖର ଅଂଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ।

ଗୁରୁଗ୍ରାମରେ ବିପିସିଏଲ୍‌…

ବିଧାୟକ ଆବାସିକ କମ୍‌ପ୍ଲେକ୍ସ…

ଧାଡ଼ିର ଶେଷ ମଣିଷ ନିକଟରେ ପହଂଚିବ…

ମରୁଡି ହେଉ କିମ୍ବା ବର୍ଷା କମ୍‌ ହେଲେ ସ୍ଥାନୀୟ ଅଂଚଳର ଶହ ଶହ ମହିଳା କଳସ ଯାତ୍ରାରେ ଚାଲି ଚାଲି ପ୍ରାୟ ୧୦ କି.ମି. ଦୂର କୁଆରମୁଣ୍ଡାର ଜମିଦାର ସଞ୍ଜୀବ ପ୍ରତାପ ସିଂଦେଓ ଓ ରବୀନ୍ଦ୍ର ପ୍ରତାପ ସିଂହଦେଓଙ୍କ ଘରକୁ ଯାଇଥାନ୍ତି। ବର୍ଷାଦେବୀଙ୍କୁ ପାଣି ଢାଳି ପୂଜାର୍ଚ୍ଚନା କରିବାକୁ ଅନୁମତି ଲୋଡିଥାନ୍ତି। ଜମିଦାର ଅନୁମତି ଦେବା ପରେ ମା' ଶହ ଶହ କଳସ ପାଣିରେ ଗାଧୋଇ ଦିଆଯାଇଥାଏ। ପରେ ଗୋବରରେ ଢାଙ୍କି ଦେବା ପରେ ବର୍ଷା ହୋଇଥାଏ ବୋଲି ପୂଜକ ଜନ୍ମେଜୟ କହିଛନ୍ତି। ଐତିହାସିକ ପୀଠର ବିକାଶ କେବଳ ଭଙ୍ଗା ପାଚେରି ଓ ଶ୍ରଦ୍ଧାଳୁଙ୍କ ବସିବାକୁ ଖଣ୍ଡିଏ ସେଡ୍‌ରେ ସୀମିତ ରହିଛି।

ସ୍ଥାନୀୟ ଲୋକଙ୍କ ଦାବି ପରେ ତତ୍କାଳୀନ କୁଆରମୁଣ୍ଡା ବିଡିଓ ପୀୟୁଷ ଲୋହାର ବ୍ରାହ୍ମଣୀଦେବୀ ପୀଠର ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ କରିଥିଲେ। ଗତ ୨୦୨୨-୨୩ରେ କୁଆରମୁଣ୍ଡା ସରପଂଚ ରାଜେଶ ହାଁସଦା ଶ୍ରଦ୍ଧାଳୁଙ୍କ ବସିବାକୁ ବିଶ୍ରାମାଗାର ନିର୍ମାଣ କରିଥିଲେ। କେବଳ ଦୁଇଟି କାମରେ ପୀଠରେ ବିକାଶ ସରିଯାଇଛି।

ପର୍ଯ୍ୟଟନ ସ୍ଥଳ ଓ ଐତିହାସିକ ପୀଠର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ କୁଆରମୁଣ୍ଡାର ଏହି ସର୍ବପୁରାତନ ପୀଠକୁ ସ୍ଥାନୀୟ ପ୍ରଶାସନ ଓ ସରକାର ପାସୋରି ଯାଇଛନ୍ତି ବୋଲି କହିଛନ୍ତି ସରପଂଚ ରାଜେଶ ହାଁସଦା ଓ ସଞ୍ଜୀବ ପ୍ରତାପ ସିଂହଦେଓ। ଐତିହାସିକ ପୀଠସ୍ଥଳର ବିକାଶ ହେଲେ ପର୍ଯ୍ୟଟକମାନଙ୍କ ଭିଡ ହେବା ସହ ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶ ହେବ। ପର୍ଯ୍ୟଟନବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଂଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News