Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଜେପି କର୍ମୀ ମହଲରେ କୁହୁଳୁଛି ଅସନ୍ତୋଷ

ବିଜେପି କର୍ମୀ ମହଲରେ କୁହୁଳୁଛି ଅସନ୍ତୋଷ

ପାଟଣା: ଅଢେଇ ବର୍ଷର ଭାଜପା ସରକାର ଶାସନ କରିବା ପରେ ସୋମବାର ପାଟଣା ନିର୍ବାଚନ ମଣ୍ଡଳୀରେ ଭାଜପା କର୍ମୀ ଓ ନେତାମାନେ ଖୋଲାଖୋଲି କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ କାର୍ଯ୍ୟଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରି ପାଟଣା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏମ୍‌ପି ଓ ବିଧାୟକ କର୍ମକର୍ତାଙ୍କୁ ଅଣଦେଖା କରି ତାଙ୍କ ପ୍ରତିନିଧିଙ୍କ ଜରିଆରେ ଗୋଟେ କାର୍ଯ୍ୟକୁ ୨/୩ ଜଣଙ୍କୁ କାର୍ଯ୍ୟାଦେଶ ଦେଉଥିବାର ଅଭିଯୋଗ କରି ପାଟଣା ବ୍ଲକକୁ ଶତାଧିକ ସନ୍ତୋଷ ଭାଜପା କର୍ମୀ, ନେତା ଓ ସମର୍ଥକ ଘେରାଉ କରିଛନ୍ତି।

ସୂଚନାଯୋଗ୍ୟ, ଭାଜପା ସରକାର ପୂର୍ବରୁ ବିଜେଡି ସରକାର ସମୟରେ ହେଉଥିବା ବିଭିନ୍ନ ଦୁର୍ନୀତି ଓ ହେରଫେର ବିରୋଧରେ ଏମାନେ ସ୍ୱର ଉଠାଇ ଆସିଥିଲେ। ଭାଜପାର ସରକାର କ୍ଷମତାକୁ ଆସିବା ପରେ ବି ବ୍ୟବସ୍ଥାର ସୁଧାର ଆସି ନାହିଁ ବୋଲି ପାଟଣା ମଣ୍ଡଳ ଭାଜପାର ପୂର୍ବତନ ସଭାପତି ରମେଶ ଚନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଶତାଧିକ ଭାଜପା ନେତା, କର୍ମୀ ଏବଂ ସମର୍ଥକ ବିଡିଓଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ରାଉରକେଲା ଏନ୍‌ଆଇଟିକୁ ଅପମିଶ୍ରିତ…

ବ୍ୟବହୃତ ଜଳକୁ ପୁନଃ ବ୍ୟବହାରଯୋଗ୍ୟ…

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏମ୍‌ପି ପ୍ରତିନିଧି, ବିଧାୟକ ପ୍ରତିନିଧି ଏବଂ ବ୍ଲକ କର୍ତୃପକ୍ଷଙ୍କ ମଧୁଚନ୍ଦ୍ରିକାରେ ଗୋଟିଏ କାର୍ଯ୍ୟାଦେଶ ୨ରୁ ୩ ଜଣଙ୍କୁ ବଂଟା ହେଉଛି। ଏପରିକି କାର୍ଯ୍ୟାଦେଶ ଦେବା ପାଇଁ ଆଗୁଆ ପ୍ରତିନିଧିମାନେ ପିସି ଆଡଭାନ୍ସ ଉଠେଇ ନେଉଛନ୍ତି ବୋଲି ଅଭିଯୋଗ ହୋଇଛି। ବାହାର ଅଂଚଳର ଲୋକଙ୍କୁ କାମ ମିଳୁଛି ପଛେ ନିଜ ଗାଁ, ପଂଚାୟତ ଲୋକଙ୍କୁ କାମ ମିଳିପାରୁନାହିଁ ବୋଲି ପାଟଣା ଭାଜପା ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ କହିଛନ୍ତି। ଯାହା ଫଳରେ ଗାଁ ଗାଁ ଭିତରେ କଳି ହେଉଛି, କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ବିଜୁ ଜନତା ଦଳ ସମୟରେ ଯେଉଁମାନେ ଠିକାଦାରୀ କରୁଥିଲେ, ଆଜି ବି ସେହିମାନେ ହିଁ ଠିକାଦାରୀ କରିବା ଦୁର୍ଭାଗ୍ୟଜନକ ବୋଲି କଲ୍ୟାଣ ମହାନ୍ତ କହିଛନ୍ତି।

ଭାଜପା ନେତା ଓ କର୍ମୀମାନେ ପାଟଣା ବିଡିଓ ମାନସ ରଞ୍ଜନ ଦଣ୍ଡପାଟଙ୍କୁ ଏହି ମର୍ମରେ ଦାବିପତ୍ର ଦେଇଛନ୍ତି ଯେପର୍ଯ୍ୟନ୍ତ ବିଧାୟକ, ଏମ୍‌ପିଙ୍କ ସହିତ ଏ ସମସ୍ୟାର ସମାଧାନ ନେଇ ବାଟ ପ୍ରସ୍ତୁତ ନ ହୋଇଛି, ସେ ପର୍ଯ୍ୟନ୍ତ ବ୍ଲକର ସମସ୍ତ କାର୍ଯ୍ୟାଦେଶକୁ ବନ୍ଦ ରଖାଯାଉ। ଏମ୍‌ପି ଓ ବିଧାୟକଙ୍କ ପ୍ରତିନିଧି ଦ୍ୱାରା ଦିଆ ଚିଠାକୁ ଅଧିକାରୀ ଅଗ୍ରାହ୍ୟ କରି ମଣ୍ଡଳ ସଭାପତିଙ୍କ ମାଧ୍ୟମରେ ସମସ୍ତ କାର୍ଯ୍ୟାଦେଶ ବଂଟନ କରା ନଗଲେ ଆଗକୁ ଆନ୍ଦୋଳନ ତୀବ୍ରରୂପ ନେବ ବୋଲି ଚେତାବନୀ ଦିଆଯାଇଛି। ଭାଜପାର ଶତାଧିକ ବରିଷ୍ଠ କର୍ମୀମାନଙ୍କ ଏତାଦୃଶ କାର୍ଯ୍ୟର ସମାଧାନ କୋଉ ମୋଡ଼ ନେଉଛି; ତାହା ଦେଖିବା ବାକି ରହିଛି। କର୍ମୀ ଅସନ୍ତୋଷକୁ ଉଭୟ ଏମ୍‌ପି ଏବଂ ବିଧାୟକ କିଭଳି ସମାଧାନ କରୁଛନ୍ତି ସେ ନେଇ ନାନା ସ୍ତରରେ ଉତ୍ସାହ ପ୍ରକାଶ ପାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News