Dailyhunt
ବୋତଲ ନୂଆ ମଦ ପୁରୁଣା

ବୋତଲ ନୂଆ ମଦ ପୁରୁଣା

କ୍ସାଇଟ ନିଅ ବକ୍ସାଇଟ। ମୁମ୍ବାଇର ଦଲାଲ ଷ୍ଟ୍ରିଟରେ ଏବେ ବିକ୍ରି ହେଉଛି ବକ୍ସାଇଟ। ଓଡିଶା ସରକାରଙ୍କ ରାଜସ୍ୱ ବୃଦ୍ଧି ଆଳରେ ମନ୍ତ୍ରୀ ଓ ଅମଲାତନ୍ତ୍ରୀ ବୁଲି ବୁଲି ବିକୁଛନ୍ତି ବକ୍ସାଇଟ। ସିଜିମାଳିର ବକ୍ସାଇଟ, କୋଡିଙ୍ଗା ମାଳିର ବକ୍ସାଇଟ, ମାଳି ପର୍ବତର ବକ୍ସାଇଟ, ସେରୁବନ୍ଧ, ବାଲଦା ଓ କର୍ଣ୍ଣକୋଣ୍ଡା ମାଳିର ବକ୍ସାଇଟ।

ବକ୍ସାଇଟ ହେତୁ ଯେ ଅଂଚଳରେ ଅନେକ ଝରଣା ବୋହିଯାଇଛି ସେ କଥାକୁ ସେମାନେ କାହାକୁ କହୁନାହାନ୍ତି। କହୁଛନ୍ତି ବକ୍ସାଇଟରୁ ବାହାରେ ଆଲୁମିନା, ସେଥିରୁ ପୁଣି ତିଆରି ହୁଏ ଆଲୁମିନିୟମ। ଆଲୁମିନିୟମରୁ ତିଆରି ହୁଏ ଅଟୋମୋବାଇଲ, ବିଲଡିଙ୍ଗରେ ଲାଗୁଥିବା ଝରକା, ଖାଦ୍ୟରେ ପ୍ୟାକ ହେଉଥିବା ଫଏଲ। ପୁଣି ଆଲୁମିନିୟମରୁ ତିଆରି ହୁଏ ଏରୋପ୍ଲେନ। ଆଲୁମିନିୟମରୁ ତିଆରି ହୁଏ ମିସାଇଲ, ରକେଟ ଓ ଡ୍ରୋନ୍‌। ଭାରତ କେବେ ସିନା ଶାନ୍ତିର ବାର୍ତା ଦେଉଥିଲା। ଆଜି କିନ୍ତୁ ଶାନ୍ତି ପ୍ରସ୍ତାବ ବନ୍ଧା ପଡିଛି ଇସ୍ରାଏଲ ଓ ଆମେରିକା ପାଖରେ ନହେଲେ ଅନ୍ତର୍ଜାତୀୟ ସେୟାର ବଜାରରେ।

ମୁଖ୍ୟମନ୍ତ୍ରୀଙ୍କ 'ଦ୍ୱିତୀୟ ଶିଳ୍ପ ବିପ୍ଲବ'ର ଆହ୍ୱାନ ଶୁଣିବାକୁ ମିଳୁଛି କାଶିପୁର କଂଟାମାଳରେ ରାତି ଅଧିଆ ପୁଲିସର ଅତର୍କିତ ଆକ୍ରମଣ ଓ ଲୁହବୁହା ଗ୍ୟାସର ସେଲ ଭିତରୁ। ଏପ୍ରିଲ ୦୭ ତାରିଖ ଗଣତନ୍ତ୍ର ଇତିହାସରେ କଳା ଦିନ ହୋଇରହିବ। ରାୟଗଡା ଏସ୍‌ପିଙ୍କ ଯୁକ୍ତି ଯେ ଏକ ଅଭିଯୁକ୍ତକୁ ଗିରଫ କରିବା ଲାଗି ସମଗ୍ର ପୁଲିସ ବାହିନୀ ସେଦିନ କଂଟାମାଳ ଯାଇଥିଲେ। ଏହା କ'ଣ ରାଜ୍ୟର ଅନ୍ୟ ପ୍ରାନ୍ତରେ ବି ଘଟୁଛି ଯେ କୌଣସି ଏକ ଅପରାଧୀକୁ ଧରିବା ଲାଗି ଏତେ ବିରାଟ ସଶସ୍ତ୍ର ଅପରେସନ କରିବାକୁ ପଡୁଛି ନା ଏହି ଯୋଜନା ପୂର୍ବ ପ୍ରସ୍ତୁତ ଥିଲା! ଗାଁର ପିଲା ବୁଢା ସମସ୍ତେ ଅଭିଯୁକ୍ତର ସୁରକ୍ଷାରେ କଣ ଲାଗିଥିଲେ? ପୁଲିସର ଆକ୍ରମଣ ତ ସମସ୍ତଙ୍କ ଉପରେ ହୋଇଛି।

ଗଣତନ୍ତ୍ରରେ ପ୍ରତିବାଦ ଏକ ଅପରାଧ ବୋଧେ। କାଶୀପୁର ଅଂଚଳର କଂଟାମାଳ, ଶୃଙ୍ଗର ଓ ସାଗବାରି ଇତ୍ୟାଦି ଗ୍ରାମବାସୀମାନେ ନା ମାଗୁଛନ୍ତି କିଛି ନା ଲୁଟି ନେଉଛନ୍ତି କିଛି। କେବଳ ନିଜର ପାହାଡର ସୁରକ୍ଷା ଦାବି କରୁଛନ୍ତି। ସେମାନଙ୍କୁ ଆଜି ସରକାର ଅପରାଧି ଘୋଷଣା କରୁଛନ୍ତି। ସେମାନଙ୍କ ପ୍ରତିବାଦର ଜବାବ ଦିଆଯାଉଛି ବୁଟ୍‌ରେ, ଲୁହ ବୁହା ଗ୍ୟାସ୍‌ ସେଲରେ, କବାଟ ଭାଙ୍ଗି, ମହିଳାଙ୍କୁ ଆଘାତ ଦେଇ, ଗାଈଗୋରୁଙ୍କୁ ମାରି, ଘରର ଟାଇଲକୁ ଫଟାଇ। (ହଁ ଏଠି କିନ୍ତୁ ଗୋରକ୍ଷକମାନେ ଆସି ପହଂଚୁନାହାନ୍ତି। କାରଣ ଏଠି ମୁସଲମାନ ନାହାନ୍ତି ଅଛନ୍ତି ତାଙ୍କର ସରକାର)। ରାୟଗଡା ଅଂଚଳରେ ଅବସ୍ଥିତ ସିଜିମାଳୀ ପାହାଡରୁ ବେଦାନ୍ତ କମ୍ପାନୀ ଜବରଦସ୍ତି ବକ୍ସାଇଟ ନେଇଯିବାକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ଲଢେଇ ଦୀର୍ଘ ଦିନ ହେଲା ଚାଲିଛି। ଆଜି ବି ଏହି କାରଣରୁ ୨୩ ଜଣ ଗ୍ରାମବାସୀ ଉଭୟ ଭବାନୀପାଟଣା ଓ ରାୟଗଡା ଜେଲରେ ଅଛନ୍ତି। ଏହା ସମ୍ବିଧାନର ଅନୁସୂଚୀତ ଅଂଚଳରେ ଆସୁଥିବା ହେତୁ ଗ୍ରାମବାସୀଙ୍କ ମତକୁ ଉପେକ୍ଷା କରି ରାଜ୍ୟ ସରକାର ଜବରଦସ୍ତି କୌଣସି କମ୍ପାନୀକୁ ଖଣି ଲିଜ ଦେବାକୁ 'ବିକାଶ' କୁହାଯାଇ ନପାରେ। ରାଷ୍ଟ୍ର ଦ୍ୱାରା ଦମନ କରି ବିକାଶ କରାଯିବାକୁ ବିକାଶ ନୁହେଁ ବରଂ ଦେଶୀୟ ସମ୍ପଦକୁ କମ୍ପାନୀଙ୍କ ଲାଭ ପାଇଁ ହସ୍ତାନ୍ତର କୁହାଯିବ। ପ୍ରକୃତି ବକ୍ସାଇଟ ସୃଷ୍ଟି କରିଥିଲା କଦାପି କିଛି କମ୍ପାନୀ ଓ ସେମାନଙ୍କ ଶେୟର ହୋଲ୍ଡରଙ୍କ ଲାଭ ଓ ସରକାରୀ ଦଳର ସଦସ୍ୟଙ୍କ ଲୋଭ ପାଇଁ ନୁହେଁ। ସ୍ଥାନୀୟ ଗୋଷ୍ଠୀଙ୍କୁ ଉଦବାସ୍ତୁ କରି କମ୍ପାନୀଙ୍କୁ ଲିଜ ଦେଇ ଖଣି ଖୋଳାଯିବା କାରଣରୁ ଆଜି ପ୍ରକୃତି ଧ୍ୱଂସମୁଖି।

ସମଗ୍ର ସରକାରୀ ପୁଲିସ ଓ ପ୍ରଶାସନିକ ଶକ୍ତି ଯେଉଁଭଳି ବେଦାନ୍ତ କମ୍ପାନୀର ଖଣି ଲିଜକୁ କାର୍ଯ୍ୟକାରୀ କରିବା ଲାଗି ଦୀର୍ଘ କିଛି ବର୍ଷ ହେଲା ଲାଗିଛନ୍ତି ତାହା ପୂର୍ବର ବିଜୁ ଜନତା ଦଳର ସରକାର ଠାରୁ ଆଦୌ ଭିନ୍ନ ନୁହେଁ। ଡିସେମ୍ବର ୧୬, ୨୦୦୦ ମସିହାରେ ଏହି ଭଳି ଜଣେ 'ଅଭିଯୁକ୍ତ'କୁ ଧରିବା ବାହାନାରେ ସଶସ୍ତ୍ର ପୁଲିସ ସଂପୂର୍ଣ୍ଣ ଗାଁଟିକୁ ଘେରାଉ କରିଥିଲେ। ଲୋକଙ୍କ ଉପରକୁ ଗୁଳି ଚଳାଇ ତିନି ଜଣ ଆଦିବାସୀଙ୍କୁ ହତ୍ୟା କରିଥିଲେ, ଆଠ ଜଣଙ୍କୁ ଆଘାତ କରିଥିଲେ। ରାଜ୍ୟବାସୀଙ୍କ ଦାବିରୁ ବଂଚିବା ଲାଗି ତକ୍ରାଳୀନ ବିଜୁ ଜନତା ଦଳ ସରକାର ପିକେ ମିଶ୍ର କମିଶନ ବସାଇଥିଲେ। କମିଶନ ନିଜର ରିପୋର୍ଟରେ (୨୦୦୩) ପୁଲିସର 'ମାତ୍ରାଧିକ କାର୍ଯ୍ୟର' ନିନ୍ଦା କରିଥିଲେ। କମିଶନ ସରକାରୀ ଦଳର ଦୋଷତ୍ରୁଟିକୁ ଦର୍ଶାଇ ଉଲ୍ଲେଖ କରିଥିଲେ, 'ଯଦି ପ୍ରତିବାଦକାରୀମାନଙ୍କୁ ପାନେ ଚଖେଇବା ଉଦ୍ଦେଶ୍ୟ ନଥାନ୍ତା, ତାହା ହେଲେ ଗାଁ ଭିତରକୁ ଏତେ ବଡ ପୁଲିସ ବାହିନୀ ପଶିବାର କୌଣସି ଔଚିତ୍ୟ ନଥିଲା। ରାଜ୍ୟର ଅନେକ ସ୍ଥାନରେ ବିଶେଷ କରି ଅପେକ୍ଷାକୃତ ଅନୁନ୍ନତ ଇଲାକାରେ ଏକ ପ୍ରକାର ଧାରଣ ଦୃଢୀଭୂତ ହୋଇଛି ଯେ ରାଜନୈତିକ ପ୍ରଭୁ ବା ଧନୀ ଓ ପ୍ରଭାବଶାଳୀମାନଙ୍କ ପ୍ରଭାବରେ ପୁଲିସ କାର୍ଯ୍ୟ କରେ। ଏ ପ୍ରକାର ଧାରଣା ଅମୂଳକ ନୁହେଁ।'

ପିକେ ମିଶ୍ର କମିଶନ ରିପୋର୍ଟ ବିଧାନସଭାରେ ୧ ସେପ୍ଟେମ୍ବର ୨୦୦୫ରେ ଉପସ୍ଥାପିତ ହୋଇଥିଲା। ସରକାର ପ୍ରତିଶୃତି ଦେଇଥିଲେ ଯେ ଏଭଳି ଭୁଲ ଭବିଷ୍ୟତରେ ହେବ ନାହିଁ। କିନ୍ତୁ କେବଳ କାଶିପୁର ନୁହେଁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଅଂଚଳରେ ପୁଲିସର ଏହିଭଳି ଦମନମୂଳକ କାର୍ଯ୍ୟ ରହିଆସିଛି। ୨୦୦୦ ମସିହାରେ ଆଦିତ୍ୟ ବିରଳା - ଉତ୍କଳ ଆଲୁମିନା କମ୍ପାନୀ ଲାଗି ବିଜେଡି ସରକାର ଆଇନକୁ ହାତକୁ ନେଇ ଗୁଳିଚାଳନା କରିଥିଲେ। ୨୦୨୬ ମସିହାରେ ଭାରତୀୟ ଜନତା ପାର୍ଟି ସରକାର ବେଦାନ୍ତ କମ୍ପାନୀର ସ୍ଥାପନ ଲାଗି ସେହି ଭୁଲକୁ ଦୋହରାଉଛନ୍ତି।

ଘରର ଏହି ଦିଗରେ ଲଗାନ୍ତୁ ଆଇନା;…

ରୋଷେଇ ଘରେ ଏହି ଦିଗରେ ଲଗାନ୍ତୁ…

ପିଲାଙ୍କ ପାଠ ପଢ଼ାରେ ମନ ଲାଗୁନି;…

ପଇଡ଼ ପାଣି ଫାଇଦା

ସରକାରଙ୍କ ନିର୍ଦ୍ଦେଶରେ ପୁଲିସର ଦମନମୂଳକ କାର୍ଯ୍ୟ ମୋତେ ୧୯୪୭ର ପୂର୍ବ ସ୍ଥିତିକୁ ନେଇଯାଉଛି। ଏହିଭଳି ଅତ୍ୟାଚାର ସମ୍ପର୍କରେ ମୁଁ 'ଭୁଲିବୁ ନାହିଁ' ପୁସ୍ତକରେ ପଢିଥିଲି। ସ୍ୱାଧୀନତା ପୂର୍ବର କଥା। ଲେଖକ ବ୍ରଜ କିଶୋର ଧଳ ପ୍ରତ୍ୟକ୍ଷ ଅନୁଭୂତିକୁ ନେଇ ଲେଖୁଛନ୍ତି, 'ଢେଙ୍କାନାଳ ରାଜାଙ୍କ ଅତ୍ୟାଚାରର ସୀମା ନଥିଲା। ଯାବତୀୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ଗୃହଦାହ, ନାରୀ ଧର୍ଷଣ, ମିଥ୍ୟା ମକଦ୍ଦମାରେ ଜେଲଦଣ୍ଡ ଦେଇ ପ୍ରଜାମାନଙ୍କୁ ହଇରାଣ କରାଯାଉଥିଲା। ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଏହି ହେତୁ ଭାଙ୍ଗି ପଡିଲା।

ଦେଶରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଚାଲିଥିଲା। ଏହାର ପ୍ରଭାବ ଢେଙ୍କାନାଳ ଉପରେ ପଡିଲା। ଲୋକେ ପ୍ରତିବାଦ କଲେ। ବେଠି ଖଟିବା ଲାଗି ମନା କରିଦେଲେ। ଲୋକଙ୍କୁ ଜବତ କରିବା ଲାଗି ରାଜା ତିନି ଶହ ବ୍ରିଟିଶ ପୁଲିସ ମଗାଇଲା। ପଲିଟିକାଲ ଏଜେଂଟ୍‌ ମେଜର ବେଜେଲଗେଟ ତାହାର ନେତୃତ୍ୱ ନେଇ ଆସିଥିଲେ। ସେ ଢେଙ୍କାନାଳ ଭିତରେ ଗୁଳିକାଣ୍ଡ, ଲୁଟ ତରାଜ, ନାରୀ ଧର୍ଷଣ, ଗୃହଦାହ ଭଳି ଅତି ଜଘନ୍ୟ ଅତ୍ୟାଚାର କରି ଶେଷରେ ରଣପୁର ଯାଇ ଲୋକଙ୍କ ହାତରେ ଜୀବନ ଦେଲେ।'

ଗଣତନ୍ତ୍ରରେ ପ୍ରତିବାଦ ଯେତେବେଳେ ଅପରାଧ ବୋଲି ଗଣାଯାଏ ସେତେବେଳେ ନିଜେ ଗଣତନ୍ତ୍ର ବି କାଠଗଡାରେ ଠିଆ ହୁଏ। ରାୟଗଡା ଜିଲ୍ଲାପାଳ ଓ ଏସପିଙ୍କ ବକ୍ତବ୍ୟ ମୋତେ ଆଚମ୍ବିତ ଓ ଦୁଃଖିତ କରିଛି। ମସୁରୀର ଲାଲ ବାହାଦୁର ଶାସ୍ତ୍ରୀ ଏକାଡେମି ମଧ୍ୟରେ ଟ୍ରେନିଂ ନେବା ସମୟରେ ସେମାନେ ଶପଥ ନେଇଥିଲେ ଲୋକଙ୍କ ଅଧିକାରର ସୁରକ୍ଷା ଲାଗି ସମ୍ବିଧାନର ରାସ୍ତାରେ ନିଜର ପ୍ରଶାସନିକ ଦାୟିତ୍ୱ ତୁଲାଇବେ। ମିଡିଆରେ ସେମାନେ 'ଲୋକଙ୍କ ସେବା କରିବେ' ପ୍ରତିଶୃତି ମଧ୍ୟ ଦେଇଥିବେ। ଏବେ ସେମାନେ କରୁଛନ୍ତି କଣ? ସେମାନେ ଗଣତନ୍ତ୍ରକୁ କାଠଗଡାରେ ଠିଆ କରେଇ ଦେଇଛନ୍ତି। ହୁଏତ ସେମାନେ ଆଜି ରାୟଗଡାରେ ଅଛନ୍ତି, କାଲି ଆଉ କେଉଁଠି ଥିବେ। କିନ୍ତୁ ସେମାନଙ୍କ କାର୍ଯ୍ୟ ଲିପିବଦ୍ଧ ହୋଇରହିବ କାଳ କାଳକୁ।

ବର୍ଷ ପରେ ବର୍ଷ ବିତିଯାଉଛି। ସରକାର ଯାଇ ନୂଆ ସରକାର ଆସୁଛି। ପୂର୍ବ ସରକାର ବାଫଳାମାଳି ଓ କୋଡିଙ୍ଗା ମାଳିକୁ ଆଦିତ୍ୟ ବିରଳା କମ୍ପାନୀ ଓ ନିୟମଗିରିକୁ ବେଦାନ୍ତ କମ୍ପାନୀକୁ ହସ୍ତାନ୍ତର କରିଥିଲେ। ଏବେ ସିଜିମାଳିଠାରୁ କର୍ଣ୍ଣକୁଣ୍ଡା ମାଳି ପର୍ଯ୍ୟନ୍ତ ବେଦାନ୍ତ କମ୍ପାନୀକୁ ଦିଆଯାଉଛି। ସରକାର ବଦଳି ଥାଇପାରେ କିନ୍ତୁ କ୍ଷମତାଶାଳୀଙ୍କ ଭାଷା ସମାନ ରହିଛି। ସେମାନେ ବି ଏମିତି ବକ୍ସାଇଟର ଟୋକେଇ ଧରି ମେକ୍‌ ଇନ୍‌ ଇଣ୍ଡିଆ କନକ୍ଲେଭ ଠାରୁ ଲଣ୍ଡନ ଓ ପ୍ୟାରିସ ପର୍ଯ୍ୟନ୍ତ ଘୁରି ବୁଲୁଥିଲେ। ଆଜି ନୂଆ ସରକାର ସମସ୍ତ ବକ୍ସାଇଟର ଟୋକେଇ ଧରି ଗୋଟିଏ କମ୍ପାନୀର ଦୁଆରୁ ଆଉ ଏକ କମ୍ପାନୀର ଦୁଆର ପର୍ଯ୍ୟନ୍ତ ଘୁରି ବୁଲୁଛନ୍ତି।

ବକ୍ସାଇଟ ନିଅ ବକ୍ସାଇଟ। ନିର୍ବାଚନ ଆସିଲେ ଗଣତନ୍ତ୍ରରେ ଲୋକେ ସର୍ବଶ୍ରେଷ୍ଠ ବୋଲି କହୁଛନ୍ତି। ପୁଣି ବାକି ଦିନମାନଙ୍କରେ ଲୋକଙ୍କ ବିରୁଦ୍ଧରେ ପୋଲିସକୁ ଶକ୍ତିଶାଳୀ କରିବାର ସମସ୍ତ ଚେଷ୍ଟା ଜାରି ରହୁଛି। ଶାସନରେ ଥିଲେ ଲୋକେ ନିଜ ଲାଗି ମର୍ସିଡିଜର ସ୍ୱପ୍ନ ଦେଖୁଛନ୍ତି କିନ୍ତୁ ପଖାଳର ଭାଷା କହୁଛନ୍ତି।

କ୍ଷମତା ଓ ଅର୍ଥ ଲାଗି ସେମାନେ ଏକ ଏକ ଶଠ ପାଲଟି ଯାଉଛନ୍ତି। କ୍ଷମତାର ପରିବର୍ତନ ବି ସେମାନଙ୍କୁ କୌଣସି ଶିକ୍ଷା ଦେଉନାହିଁ। ସେମାନେ ହୁଏତ ଅତୀତକୁ ଭୁଲିଯାଇପାରନ୍ତି କିନ୍ତୁ ଲୋକେ ମନେରଖନ୍ତି। ଠିକ ସମୟରେ ପାହାଡ ବି ମନେ ପକାଇଦିଏ ଅତ୍ୟାଚାରର କାହାଣୀ। ଇତିହାସ କେବେ ନିରବି ଯାଏନି। ଲୋକଙ୍କ ପ୍ରତିବାଦ ରହିଛି ଓ ରହିଥିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News