ସମ୍ପ୍ରତି ପୃଥିବୀର ଜଳବାୟୁ ଧାରା ଏମିତି ବିଗିଡି ଯାଇଛି ଯେ ଅତୀତରେ କେବେ ଏଭଳି ଅବସ୍ଥା ହୋଇଥିବା କଥା ରେକର୍ଡଭୁକ୍ତ ହୋଇନାହିଁ। ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱ ସନ୍ତୁଳନ ହରାଇବାକୁ ଯାଉଛି। ଅସନ୍ତୁଳନତାର ଗୋଟିଏ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି କହି ବୈଜ୍ଞାନିକମାନେ ସତର୍କ କରିଛନ୍ତି।
ନିକଟରେ ପ୍ରକାଶିତ ବିଶ୍ୱ ଜଳବାୟୁ ମୂଲ୍ୟାୟନ ରିପୋର୍ଟ କହେ, ୨୦୧୫ରୁ ୨୦୨୫ ଏହି ୧୧ ବର୍ଷରେ ନାହିଁ ନ ଥିବା ଗରମ ଅନୁଭୂତ ହୋଇଥିଲା।ସେହି ରିପୋର୍ଟରୁ ଆହୁରି ମଧ୍ୟ ଜଣାପଡିଛି ଯେ ସର୍ବାଧିକ ୩ଟି ତାପଯୁକ୍ତ ବର୍ଷ ମଧ୍ୟରେ ସର୍ବାଗ୍ରେ ଥିଲା୨୦୨୫।
ଏ ସମୟରେ ବୈଶ୍ୱିକ ତାପମାତ୍ରା ଥିଲା ପ୍ରାକ୍-ଶିଳ୍ପାୟନସ୍ତର (୧୮୫୦-୧୯୦୦) ଅପେକ୍ଷା ୧.୪୩ ଡିଗ୍ରି ସେଲ୍ସିୟସ୍ ଅଧିକ। ଏତାଦୃଶ ଧୀର ତାପମାତ୍ରା ବୃଦ୍ଧି କିନ୍ତୁ ପ୍ରାକୃତିକ ତାପଗତ ତାରତମ୍ୟ ନୁହେଁ। ଏହା ଦୀର୍ଘସ୍ଥାୟୀ ଜଳବାୟୁ ପରିବର୍ତନର ସ୍ପଷ୍ଟ ସଙ୍କେତ।
ବିଶ୍ୱ ପାଣିପାଗ ସଂସ୍ଥାନର ମହାସଚିବ ସିଲେଷ୍ଟ୍ ସାଉଲୁ କହିଛନ୍ତି, ''ବିଜ୍ଞାନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଯୋଗୁଁ ସମ୍ପ୍ରତି ପୃଥିବୀର ଶକ୍ତି ଅସନ୍ତୁଳନ ଓ ସେ ସମ୍ମୁଖୀନ ହେଉଥିବା ବାସ୍ତବତା ଏବଂ ତା'ର ଜଳବାୟୁ ବିଷୟରେ ଆମ ବୋଧଶକ୍ତି ଉନ୍ନତ କରିଛି।ମାନବୀୟ କାର୍ଯ୍ୟକଳାପ ଅଧିକରୁ ଅଧିକ ପ୍ରାକୃତିକ ସନ୍ତୁଳନ ବିଗାଡିବାରେ ଲାଗିଛି। ତେଣୁ, ଏହାର ପରାଭବ ମଧ୍ୟରେ ହିଁ ଆମକୁ ସହସ୍ରାଧିକ ବର୍ଷ ବଂଚିବାକୁ ପଡିବ।''
ସେ ଆହୁରି ମଧ୍ୟ କହିଛନ୍ତି, ''ଧୀରେ ଧୀରେ ଆମ ପାଣିପାଗ ଉଗ୍ର ହେଉଛି। ୨୦୧୫ରେ ଝାଞ୍ଜି, ବନାଗ୍ନି, ମରୁଡି, ଉଷ୍ମମଣ୍ଡଳୀୟ ତୋଫାନ, ଝଡ ଓ ବନ୍ୟା ହେତୁ ହଜାର ହଜାର ଲୋକ ପ୍ରାଣ ହରାଇଲେ। ଉପରୋକ୍ତ ପ୍ରାକୃତିକ ଦୁର୍ବିପାକଜନିତ କୁପ୍ରଭାବ କୋଟି କୋଟି ଲୋକଙ୍କ ଉପରେ ପଡିଥିଲା ଏବଂ କୋଟି କୋଟି ଟଙ୍କାର ଆର୍ଥିକ କ୍ଷତି ମଧ୍ୟ ହୋଇଥିଲା।
ଏ ସଙ୍କଟର ମୂଳ କାରଣ ପୃଥିବୀର ଶକ୍ତି ଅସନ୍ତୁଳନ ବୋଲି ବୈଜ୍ଞାନିକମଣ୍ଡଳୀ କହନ୍ତି।ପୃଥିବୀ କେତେ ପରିମାଣର ତାପ ବିଶୋଷଣ କରୁଛି ଏବଂ କେତେ ପରିମାଣର ତାପ ମହାକାଶକୁ ବିକିରିତ କରୁଛି- ଏହାକୁ ଆଧାର କରି ତା'ର ଶକ୍ତି ସନ୍ତୁଳନ ମପାଯାଏ।
ସାଧାରଣତଃ, ତାପ ବିଶୋଷଣ ଓ ବିକିରଣ କ୍ରିୟା ସ୍ଥିର ରହିବା ଉଚିତ। କିନ୍ତୁ, କାର୍ବନ୍ ଡାଇଅକ୍ସାଇଡ୍, ମିଥେନ୍ ଓ ନାଇଟ୍ରସ୍ ଅକ୍ସାଇଡ୍ ଭଳି ଗ୍ରିନ୍ ହାଉସ୍ ଗ୍ୟାସ୍ ବା ତାପ ଆବଦ୍ଧକାରୀ ବାଷ୍ପ ଏବେ ସର୍ବୋଚ୍ଚ ସ୍ତରକୁ ବୃଦ୍ଧି ପାଇ ବିଶ୍ୱ ଶକ୍ତି ସନ୍ତୁଳନର ବିଭ୍ରାଟ ଘଟାଇଛି।ଫଳତଃ, ପୂର୍ବାପେକ୍ଷା ଅଧିକ ତାପ ଆବଦ୍ଧ ହୋଇ ରହୁଛି। ୧୯୬୦ ଦଶକରୁ ଆରମ୍ଭ ହୋଇଥିବା ଏ ଅସନ୍ତୁଳନତା ୨୦୨୫ରେ ଗୋଟାଏ ନୂତନ ରେକର୍ଡ ସ୍ତର ପର୍ଯ୍ୟନ୍ତ ବୃଦ୍ଧି ପାଇଛି।
ମାତ୍ରାଧିକ ତାପରୁ ବହୁଳାଂଶ ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ସମୁଦ୍ର ଦ୍ୱାରା ବିଶୋଷିତ ହୋଇଥାଏ। କିନ୍ତୁ, ଏବେ ତ ସମୁଦ୍ରର ତାପମାତ୍ରା ମଧ୍ୟ ଅଭୂତପୂର୍ବ ହାରରେ ବୃଦ୍ଧି ପାଉଛି। ପ୍ରାୟ ଏକ ଦଶନ୍ଧି ହେବ ସମୁଦ୍ର ତାପମାତ୍ରା ମଧ୍ୟ ରେକର୍ଡସ୍ତରରେ ପହଂଚିଛି। ଏଥିଯୋଗୁଁ ଭୀଷଣ ବାତ୍ୟା, ସାମୁଦ୍ରିକ ଝାଞ୍ଜି ପରି ଆହୁରି ଅନେକ ସାମୁଦ୍ରିକ କୁପ୍ରଭାବ ପରିଲକ୍ଷିତ ହେବ। ସେହିପରି, ପୃଥିବୀରେ ଗଚ୍ଛିତ ବରଫ ମଧ୍ୟ ହ୍ରାସ ପାଇବା ଆରମ୍ଭ କରିଛି। ଆର୍କଟିକ୍ ସାଗର ବରଫ ମଧ୍ୟ ସର୍ବନିମ୍ନ ସ୍ତରକୁ ଖସି ଗଲାଣି, ଆଂଟାର୍କଟିକା ବରଫ ସ୍ତର ବି ନିମ୍ନସ୍ତରକୁ ଚାଲିଗଲାଣି। ତା'ଛଡା, ବିଶ୍ୱବ୍ୟାପୀ ହିିମବାହ ମଧ୍ୟ ଦ୍ରୁତ ବେଗରେ ତରଳି ଯାଉଛି।
ଏତାଦୃଶ ପରିବର୍ତନ ହେତୁ ସମୁଦ୍ର ପତନ ବୃଦ୍ଧି ପାଉଛି। ଜଣାପଡିଛି ଯେ ୧୯୯୩ ଠାରୁ ଅଦ୍ୟାବଧି ସମୁଦ୍ର ପତନ ୧୧ ସେଂଟିମିଟର୍ ବୃଦ୍ଧି ପାଇଲାଣି। ବୈଜ୍ଞାନିକଙ୍କ ମତରେ ଜଳବାୟୁ ପରିବର୍ତନ ଖାଦ୍ୟ ସଙ୍କଟ, ସ୍ୱାସ୍ଥ୍ୟ ସମସ୍ୟା ଓ ରୋଗ ବ୍ୟାପିବା ସହ ମଧ୍ୟ ଜଡିତ। ଏଥିଯୋଗୁଁ ବିପୁଳ ଲୋକ ବାସହରା ହେବେ।

