Dailyhunt
'ଜନଜାତୀୟ ଖେଳ ପ୍ରତିଭା: ଆମ ଗୌରବ'

'ଜନଜାତୀୟ ଖେଳ ପ୍ରତିଭା: ଆମ ଗୌରବ'

କିଛି ମାସ ତଳେ ଆୟୋଜିତ ବସ୍ତର ଓ ସରଗୁଜା ଅଲିମ୍ପିକରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଏପରି କେତେକ ଖେଳାଳି ଥିଲେ ଯେଉଁମାନେ ନକ୍ସଲବାଦର ପଥ ପରିତ୍ୟାଗ କରି କ୍ରୀଡ଼ାର ସତ୍‌ ପଥରେ ଅଗ୍ରସର ହୋଇଛନ୍ତି। ଖେଳକୁଦ ଯୁବଶକ୍ତିକୁ ସକାରାତ୍ମକ ଅଭିବ୍ୟକ୍ତି ପ୍ରଦାନ କରିଥାଏ। ଯୁବାଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ କରିବା ଦିଗରେ ସରକାରଙ୍କ ପ୍ରଚେଷ୍ଟାର ସୁପରିଣାମ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାଗୁଡ଼ିକରେ ପରିଦୃଷ୍ଟ ଆରମ୍ଭ ହୋଇଛି।

ମୁଁ ଦେଖିଛି ଯେ ଆମ ଦେଶର ଗ୍ରାମାଂଚଳ ଓ ବନାଂଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା'ନ୍ତି। ସେମାନେ ପ୍ରାକୃତିକ ପରିବେଶରୁ ହିଁ ଖେଳକୁଦର ସହଜ ଉପାୟମାନ ଖୋଜି ନିଅନ୍ତି। ଭୂଇଁରେ ଗାର କାଟି, ଭଳିକି ଭଳି ଚିହ୍ନ ଆଙ୍କି ନିଜ ପାଇଁ କ୍ରୀଡ଼ାସ୍ଥଳୀ ପ୍ରସ୍ତୁତ କରିଥା'ନ୍ତି। ସେମାନେ ଫଳର ଶୁଖିଲା ମଞ୍ଜିକୁ ଖେଳର ଗୋଟି ଭାବରେ ବ୍ୟବହାର କରି ନିଅନ୍ତି। ଶୁଖିଲା ପତ୍ର, ଗଛର ଚେର ଏବଂ ପୁରୁଣା ଅବ୍ୟବହୃତ ପୋଷାକପତ୍ରରୁ ପେଣ୍ଡୁ ତିଆରି କରି ଖେଳନ୍ତି।

ବାଉଁଶରେ ହକି ଓ ଫୁଟ୍‌ବଲ୍‌ ଖେଳର ଗୋଲ୍‌ ପୋଷ୍ଟ ତିଆରି କରନ୍ତି। ଏହିପରି ଭାବରେ ବିଭିନ୍ନ ପ୍ରାକୃତିକ ଉପାଦାନକୁ ଉପଯୋଗ କରି ସେମାନେ ନିଜନିଜର ଖେଳ ଦୁନିଆର ସର୍ଜନା କରିଥା'ନ୍ତି। ଅନେକ ପିଲା ବିନା ଜୋତା ଓ ଜର୍ସିରେ ବି ପ୍ରବଳ ଉତ୍ସାହର ସହ ଖେଳିଥାନ୍ତି। ଗାଡ଼ିଆ-ପୋଖରୀରେ ପିଲାମାନେ ଖୁବ୍‌ ପହଁରନ୍ତି। ବର୍ତମାନ ଉପଲବ୍ଧ ହେଉଥିବା ସମ୍ବଳ ଓ ପ୍ରଶିକ୍ଷଣ ସହାୟତାରେ ସନ୍ତରଣର ଏହି ପ୍ରକୃତିଦତ ପ୍ରତିଭାର ବିକାଶ କରି ଯାଜପୁରର ଝିଅ ଅଞ୍ଜଳି ମୁଣ୍ଡା ମାତ୍ର ୧୫ ବର୍ଷ ବୟସରେ ପ୍ରଥମ 'ଖେଲୋ ଇଣ୍ଡିଆ ଜନଜାତୀୟ ଖେଳ ୨୦୨୬'ର ପ୍ରଥମ ଦିବସରେ ହିଁ ତିନିଟି ସ୍ୱର୍ଣ୍ଣ ପଦକ ଜିଣି ସାରା ଦେଶର ଯୁବାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ତୀରଚାଳନା ପ୍ରତି ଜନଜାତୀୟ ଲୋକଙ୍କର ଏକ ସ୍ୱତଃସ୍ଫୂର୍ତ ଆକର୍ଷଣ ରହିଆସିଛି। ୧୮୫୫ ମସିହାରେ ଶୋଷଣ ବିରୁଦ୍ଧରେ ଭୀଷଣ ସଂଗ୍ରାମ କରିଥିଲା ସାନ୍ତାଳ ସମ୍ପ୍ରଦାୟ, ଯାହା 'ସାନ୍ତାଳ ହୁଲ୍‌' ନାମରେ ପରିଚିତ। ଯଦିଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ବ୍ରିଟିଶ ବାହିନୀ ଏହି ବିଦ୍ରୋହକୁ ଦମନ କରିବାରେ ସମର୍ଥ ହୋଇଥିଲା, ତେବେ ନିଜ ନିଜ ବିବରଣୀରେ ଇଂରେଜମାନେ ସାନ୍ତାଳ ବୀରମାନଙ୍କର ରଣକୌଶଳ, ବିଶେଷତଃ ତୀରଚାଳନା ଦକ୍ଷତା ବିଷୟରେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ କରିଛନ୍ତି। ମୁଁ ରାଜ୍ୟପାଳ ଥିବା ସମୟରେ ସାନ୍ତାଳ ହୁଲ୍‌ର ନେତୃତ୍ୱ ନେଇଥିବା ବୀର ପୁତ୍ର ସିଦ୍ଧ-କାହ୍ନୁ ଓ ଚାନ୍ଦ-ଭୈରବ ଏବଂ ବୀରାଙ୍ଗନା ଭଉଣୀଦ୍ୱୟ ଫୁଲ-ଝାନୋଙ୍କ ଗାଁ ଉରି-ମାରିକୁ ଯାଇ ସେମାନଙ୍କ ପ୍ରତିମୂର୍ତି ଉନ୍‌ମୋଚନ କରିବାର ସୌଭାଗ୍ୟ ଲାଭ କରିଥିଲି।

ତୀରଚାଳନାରେ ଏକଲବ୍ୟଙ୍କ ମହାନତା କଥା ଦେଶବାସୀଙ୍କୁ ଜଣା। ସେ ସର୍ବଶ୍ରେଷ୍ଠ ଧନୁର୍ଦ୍ଧର ରୂପେ ବିଖ୍ୟାତ। ଦେଶବାସୀଙ୍କ ପାଇଁ, ବିଶେଷତଃ ଜନଜାତୀୟ ସମାଜ ପାଇଁ ଏକଲବ୍ୟ ହେଉଛନ୍ତି ପ୍ରେରଣାର ଉତ୍ସ। ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ପ୍ରତିଷ୍ଠା କରାଯାଇଥିବା 'ଖେଳ ଉତ୍କର୍ଷ କେନ୍ଦ୍ର' ଆଧୁନିକ କ୍ରୀଡ଼ା ଉପକରଣ ଓ ପ୍ରଣାଳୀ ମାଧ୍ୟମରେ ପିଲାମାନଙ୍କର ସାମର୍ଥ୍ୟ ବୃଦ୍ଧି କରୁଛି। ଏହିପରି ଭାବରେ ବିଦ୍ୟାଳୟର ଖେଳ ବ୍ୟବସ୍ଥା ସଙ୍ଗେ ସଙ୍ଗେ ଅନ୍ୟତ୍ର ଥିବା ଖେଳ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷିତ କରିବା କାର୍ଯ୍ୟକ୍ରମ ମଧ୍ୟ ଚାଲୁ ରହିଛି।

ମୋର ବ୍ୟକ୍ତିଗତ ପ୍ରଚେଷ୍ଟାରେ ମୋ ଗାଁ'ର ବଂଚିତ ବର୍ଗର ପିଲାମାନଙ୍କ ନିମନ୍ତେ ଏକ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏହି ବିନମ୍ର ପ୍ରଚେଷ୍ଟା କ୍ରମରେ ବିଦ୍ୟାଳୟ ପରିସରରେ ତୀରଚାଳନା ପ୍ରଶିକ୍ଷଣର ବ୍ୟବସ୍ଥା ମଧ୍ୟ କରାଯାଇଛି। ସରକାରୀ ଉଦ୍ୟମ ସାଙ୍ଗକୁ ବ୍ୟକ୍ତିଗତ ଓ ସାମୂହିକ ସ୍ତରରେ ଛୋଟ ଛୋଟ ପ୍ରୟାସ ମଧ୍ୟ ଜନଜାତୀୟ ପିଲାମାନଙ୍କ ଭିତରେ ଥିବା କ୍ରୀଡ଼ା ପ୍ରତିଭାର ବିକାଶ ଦିଗରେ ସହାୟକ ହେବ।

ମୋ ଗାଁର ଜନଜାତୀୟ ସମାଜର ଅନ୍ୟମାନଙ୍କ ପରି ମୋ ଭିତରେ ମଧ୍ୟ ସନ୍ତରଣ ସାଙ୍ଗକୁ କ୍ରୀଡ଼ା ଓ ବ୍ୟାୟାମ ପ୍ରତି ବେଶ୍‌ ଆଗ୍ରହ ଥିଲା। ବିଦ୍ୟାଳୟ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ମୁଁ ପ୍ରାୟତଃ ପ୍ରଥମ ହେଉଥିଲି। ଥରେ ପ୍ରତିଯୋଗିତାରେ ମୋ ସାଙ୍ଗ କିପରି ପ୍ରଥମ ହେବ, ସେଥିପାଇଁ ମୁଁ ଜାଣିଜାଣି ପଛେଇ ଯାଇଥିଲି। ଖେଳକୁଦରେ ଟିମ୍‌-ସ୍ପିରିଟ୍‌ର ଉନ୍‌ମେଷ ଘଟିଥାଏ ଏବଂ ସାମାଜିକ ସମ୍ପର୍କ ସୁଦୃଢ଼ ହୋଇଥାଏ। ସାଧାରଣତଃ ଖେଳାଳିମାନଙ୍କ ମଧ୍ୟରେ ଖେଳପଡ଼ିଆରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଏବଂ ଖେଳପଡ଼ିଆ ବାହାରେ ଗଭୀର ବନ୍ଧୁତା ଦେଖିବାକୁ ମିଳିଥାଏ।

ବର୍ଷା ପବନ ମାଡ଼ରେ ଉଡିଗଲା ଦଶାନନ…

ସିଇସିଙ୍କ ବିରୋଧରେ ମହାଭିଯୋଗ ଖାରଜ

୧୯୪୪ରେ ଜୋର ଧରିଥିଲା ଅଳଙ୍କାର…

ଏପ୍ରିଲରେ ୩ ରାଶିର ଚମକିବ ଭାଗ୍ୟ

ମୋ ଭାଇ ଜଣେ ବହୁତ ଭଲ ଫୁଟ୍‌ବଲ୍‌ ଖେଳାଳି ଥିଲେ କିନ୍ତୁ ଗଭୀର ଆଘାତ ଯୋଗୁଁ ଆଉ ଖେଳିପାରିଲେ ନାହିଁ। ମୋ ପରିବାରର ଅନ୍ୟ କେତେଜଣ ମଧ୍ୟ ବିଭିନ୍ନ ଖେଳରେ ଉକ୍ରୃଷ୍ଟ ପ୍ରଦର୍ଶନ କରିଛନ୍ତି। ଏହି ବ୍ୟକ୍ତିଗତ ଆଲେଖ୍ୟରେ ମୁଁ କହିବାକୁ ଚାହେଁ ଯେ ଜନଜାତୀୟ ପରିବାରଗୁଡ଼ିକରେ କ୍ରୀଡ଼ାର ଏକ ଜୀବନ୍ତ ପରମ୍ପରା ବିଦ୍ୟମାନ। ସେମାନଙ୍କ ଭିତରେ କ୍ରୀଡ଼ାର ଅସରନ୍ତି ପ୍ରତିଭା ରହିଛି, ଉତ୍ସାହ ରହିଛି, ରୁଚି ରହିଛି ଏବଂ ଆଗକୁ ବଢ଼ିବାର ଆଗ୍ରହ ବି ରହିଛି। ସୁବିଧାସୁଯୋଗ ଓ ପ୍ରଶିକ୍ଷଣ ମାଧ୍ୟମରେ ଏପରି ପ୍ରତିଭାମାନଙ୍କର ଉପଯୁକ୍ତ ବିକାଶ କରାଯାଇପାରିଲେ କ୍ରୀଡ଼ା ସେମାନଙ୍କ ପାଇଁ କେବଳ ମନୋରଞ୍ଜନ ଓ ସାମାଜିକ ମିଳାମିଶାର ମାଧ୍ୟମ ନ ହୋଇ ସେମାନଙ୍କର ଉନ୍ନତି ଓ ଆର୍ଥିକ ସ୍ୱାବଲମ୍ବନ ତଥା ସାମାଜିକ ପ୍ରତିଷ୍ଠାର ମାଧ୍ୟମ ହୋଇପାରିବ। ଏ ପରିପ୍ରେକ୍ଷୀରେ ୨୦୧୮ ମସିହାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ରାଜ୍ୟ ସରକାର ଓ କ୍ରୀଡ଼ା ପ୍ରତିଷ୍ଠାନର ସହଭାଗିତାରେ ପ୍ରତି ବର୍ଷ ଆୟୋଜିତ ହୋଇଆସୁଥିବା 'ଖେଲୋ ଇଣ୍ଡିଆ' ଅଭିଯାନ ଦେଶର କ୍ରୀଡ଼ା ବିକାଶ କ୍ଷେତ୍ରରେ ଆଖିଦୃଶିଆ ପରିବର୍ତନ ଆଣିଛି।

କିଛି ବର୍ଷ ତଳେ ଆମ ଦେଶରେ କ୍ରୀଡ଼ାର ଉତମ ସୁବିଧାସୁଯୋଗ କେବଳ ମହାନଗରଗୁଡ଼ିକ ଭିତରେ ସୀମିତ ଥିଲା। ଅଥଚ ଅନେକ ପ୍ରତିଭାବାନ ଖେଳାଳି ଆମ ଗ୍ରାମାଂଚଳ ଓ ବନାଂଚଳରେ ରହିଛନ୍ତି। ଜନଜାତି ଅଧ୍ୟୁଷିତ ଅଂଚଳରେ କ୍ରୀଡ଼ା ଏକାଡେମି ଏବଂ ପ୍ରଶିକ୍ଷଣ ସୁବିଧାମାନ ପୂର୍ବେ ସୁଲଭ ନଥିଲା। ଅଧୁନା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ପିଲାମାନଙ୍କର ଖେଳକୁଦ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଠାରୁ ଆରମ୍ଭ କରି 'ଖେଲୋ ଇଣ୍ଡିଆ ଜନଜାତୀୟ ଖେଳ' ପରି ପ୍ରୟାସ ବଳରେ ଜନଜାତୀୟ ପ୍ରତିଭାମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ମିଳୁଛି।

ମୋର ମନେ ଅଛି ଯେ ମୋର ଛାତ୍ରୀ ଜୀବନରେ ଗ୍ରାମ୍ୟ ସ୍ତରରେ ପାଂଚ-ସାତ ଖଣ୍ଡ ଗାଁର ଲୋକେ ମିଶି ଖେଳ ପ୍ରତିଯୋଗିତା ଆୟୋଜନ କରୁଥିଲେ। କେତେକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ମଧ୍ୟ ଜନଜାତୀୟ ଅଂଚଳରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସିଛନ୍ତି। ତେବେ ଗ୍ରାମାଂଚଳର କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିବା ଭଲ ଭଲ ଖେଳାଳିମାନେ ଗ୍ରାମ୍ୟ ସ୍ତରରୁ ଉପରକୁ ଉଠି ପାରୁନଥିଲେ। ବିଗତ କିଛି ବର୍ଷ ହେବ ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ଅନେକ ପ୍ରଶଂସନୀୟ ଉଦ୍ୟମ କରାଯାଇଅଛି। ଏହି ଉଦ୍ୟମକୁ ଆଗକୁ ନେଇ 'ଖେଲୋ ଇଣ୍ଡିଆ ଜନଜାତୀୟ ଖେଳ ୨୦୨୬'ର ଆୟୋଜନ କରାଯାଇଛି। ଏହା ଦ୍ୱାରା ତୃଣମୂଳ ସ୍ତରର ଜନଜାତୀୟ ଖେଳାଳିମାନଙ୍କୁ ପରିଚୟ ମିଳିପାରିଛି ଏବଂ ସେମାନଙ୍କ ପାଇଁ ବିଭିନ୍ନ ସୁବିଧାସୁଯୋଗ ଓ ପ୍ରଶିକ୍ଷଣ ଉପଲବ୍ଧ କରାଯାଇଛି। ଏହି ରାଷ୍ଟ୍ରୀୟ କ୍ରୀଡ଼ାରେ ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର କ୍ରୀଡ଼ାବିତ୍‌ ମାନେ ନିଜନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।

ଆମ ଖେଳାଳିମାନଙ୍କର ସ୍ୱାଭାବିକ ପ୍ରତିଭା ବଳରେ ଭାରତ ୧୯୨୮ ମସିହାରେ ଆୟୋଜିତ ଅଲିମ୍ପିକ୍ସ କ୍ରୀଡ଼ାରେ ହକିରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିଣିଥିଲା। ଭାରତର ସେହି ଐତିହାସିକ ବିଜୟରେ ଜନଜାତୀୟ ଖେଳାଳିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସେବେଠାରୁ ଏ ପର୍ଯ୍ୟନ୍ତ ଦିଲୀପ ତିର୍କୀ, ସୁବୋଧ ଲାକ୍ରା ଓ ସଲିମା ଟେଟେଙ୍କ ପରି ହକି ଖେଳାଳିମାନେ ଭାରତର ପୁରୁଷ ଓ ମହିଳା ଟିମ୍‌କୁ ନିଜ ପ୍ରତିଭା ଦ୍ୱାରା ସମୃଦ୍ଧ କରିଆସିଛନ୍ତି।

ଭାରତ ସରକାରଙ୍କ ପକ୍ଷରୁ ଆୟୋଜିତ ହୋଇଆସୁଥିବା 'ଖେଲୋ ଇଣ୍ଡିଆ' ନାମକ ରାଷ୍ଟ୍ରୀୟ କ୍ରୀଡ଼ା ବିକାଶ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ସବୁ ଭୌଗୋଳିକ କ୍ଷେତ୍ର, ସାମାଜିକ ବର୍ଗ ଓ ଅନୁଷ୍ଠାନଗୁଡ଼ିକ ନିମନ୍ତେ ଏକ ସମୁଚିତ କ୍ରୀଡ଼ା ପରିବେଶ ଉପଲବ୍ଧ କରାଯିବା ନେଇ ପ୍ରୟାସ କରାଯାଉଅଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ କ୍ରୀଡ଼ାରେ ଝିଅମାନଙ୍କର ଅଂଶ୍ରଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜାରି ରହିଥିବା 'ଅସ୍ମିତା' ଯୋଜନା ବଳରେ ଜନଜାତୀୟ ଝିଅମାନଙ୍କର କ୍ଷମତା ମଧ୍ୟ ବିକଶିତ ହେଉଛି। 'ଖେଲୋ ଇଣ୍ଡିଆ ଜନଜାତୀୟ ଖେଳ ୨୦୨୬' ମାଧ୍ୟମରେ ଆରମ୍ଭ କରାଯାଇଥିବା ପ୍ରୟାସଗୁଡିକୁ ସୁଦୃଢ଼ କରି ଜନଜାତୀୟ କ୍ରୀଡ଼ା ପ୍ରତିଭାମାନଙ୍କୁ ପ୍ରୋତ୍ସାହନ ଦେଲେ ଖେଳାଳିମାନଙ୍କର ଏପରି ଗୋଷ୍ଠୀ ଗଢ଼ାଯାଇପାରିବ ଯାହାଦ୍ୱାରା ବିଶ୍ୱ ଦରବାରରେ ଭାରତ କ୍ରୀଡ଼ା ମହାଶକ୍ତି ରୂପେ ପ୍ରତିଷ୍ଠିତ ହୋଇପାରିବ।

କିଛି ମାସ ତଳେ ଆୟୋଜିତ ବସ୍ତର ଓ ସରଗୁଜା ଅଲିମ୍ପିକରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଏପରି କେତେକ ଖେଳାଳି ଥିଲେ ଯେଉଁମାନେ ନକ୍ସଲବାଦର ପଥ ପରିତ୍ୟାଗ କରି କ୍ରୀଡ଼ାର ସତ୍‌ ପଥରେ ଅଗ୍ରସର ହୋଇଛନ୍ତି। ଖେଳକୁଦ ଯୁବଶକ୍ତିକୁ ସକାରାତ୍ମକ ଅଭିବ୍ୟକ୍ତି ପ୍ରଦାନ କରିଥାଏ। ଯୁବାଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ କରିବା ଦିଗରେ ସରକାରଙ୍କ ପ୍ରଚେଷ୍ଟାର ସୁପରିଣାମ ଏବେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାଗୁଡ଼ିକରେ ପରିଦୃଷ୍ଟ ହେବା ଆରମ୍ଭ ହୋଇଛି।

ଜନଜାତୀୟ ଯୁବକଯୁବତୀଙ୍କ ସମେତ ଆମ ଯୁବବର୍ଗଙ୍କ କ୍ରୀଡ଼ା ପ୍ରତିଭା ଆମର ଅମୂଲ୍ୟ ରାଷ୍ଟ୍ରୀୟ ପୁଞ୍ଜି। ମୋର ବିଶ୍ୱାସ ଏହି ଅମୂଲ୍ୟ ସମ୍ବଳର ସଦୁପଯୋଗ କରି ଆମ ଦେଶ କ୍ରୀଡାକ୍ଷେତ୍ରରେ ଉତ୍କର୍ଷର ଅନେକ ଗୌରବଶାଳୀ କୀର୍ତିସ୍ତମ୍ଭ ସ୍ଥାପନ କରିବ। ଏହି ବିଶ୍ୱାସ ସହିତ ମୋର ବାର୍ତା ଏହି ଯେ, ଖେଲୋ ଇଣ୍ଡିଆ! ଖୁବ୍‌ ଖେଲୋ ଇଣ୍ଡିଆ!

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News