Dailyhunt
ପାନପୋଷରୁ ବେଦବ୍ୟାସ ଶୈବପୀଠକୁ ଯୋଡ଼ିବ ୬୨ କୋଟି

ପାନପୋଷରୁ ବେଦବ୍ୟାସ ଶୈବପୀଠକୁ ଯୋଡ଼ିବ ୬୨ କୋଟି

ରାଉରକେଲା: ଯୋଡିହେବ ରାଉରକେଲା ପାନପୋଷ ହାଡପକା ଘାଟରୁ ବେଦବ୍ୟାସ ଶୈବପୀଠ। ବ୍ରାହ୍ମଣୀ ନଦୀ ଉପରେ ବହୁ ପ୍ରତୀକ୍ଷିତ ପାଦଚଲା ସେତୁ ଡିଜାଇନ୍‌କୁ ସବୁଜ ସଙ୍କେତ ମିଳିବା ପରେ ଏହି ଆଶା ଉଜ୍ଜୀବିତ ହୋଇଛି। ୫୭୦ ମିଟର ଲମ୍ବର ସେତୁ ନିର୍ମାଣରେ ଖର୍ଚ୍ଚ ହେବ ସାଢେ଼ ୬୨ କୋଟି ଟଙ୍କା। ୧୦ ମିଟର ଚଉଡା ବିଶିଷ୍ଟ ଏହି ସେତୁ କେବଳ ପଥଚାରୀ ଏବଂ ସାଇକେଲ ଆରୋହୀଙ୍କ ଲାଗି ଉଦ୍ଦିଷ୍ଟ ହେବ।

ଏଥିରେ ସ୍ୱତନ୍ତ୍ର ଭାବେ ୪ ମିଟରର ସାଇକେଲ ପାଥ୍‌ ଏବଂ ଉଭୟ ପାଶ୍ୱର୍ରେ ଅଢେ଼ଇ ମିଟର ଲେଖାଏଁ ଫୁଟ୍‌ପାଥ ରହିବ। ଖୁବ୍‌ ଶୀଘ୍ର ଏଥିଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।

୧୮ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବାର ଆକଳନ କରାଯାଇଚି। ପାନପୋଷ ହାଡପକା ଘାଟରୁ ବେଦବ୍ୟାସ ମନ୍ଦିର ପର୍ଯ୍ୟନ୍ତ ଝୁଲା ପୋଲ ନିର୍ମାଣ କରାଯିବାକୁ ଯୋଜନା କରାଯାଇଥିଲା। ଏହାଦ୍ୱାରା ବେଦବ୍ୟାସ ମନ୍ଦିରକୁ କମ୍‌ ସମୟରେ ପହଂଚି ହେବ ଏବଂ ଦୂରତା ହାରାହାରି ୫ କିମି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କୁହାଯାଇଥିଲା।

କିନ୍ନରଙ୍କ ଅଧିକାରକୁ ପାହାରେ

ଶ୍ରୀବଳଦେବଜୀଉଙ୍କୁ ଦଦରା ଡଙ୍ଗାରେ…

ପ୍ଲଟ୍‌ ବ୍ୟବସାୟୀ ହତ୍ୟା ମାମଲା:…

'ମହିଳା ସଂରକ୍ଷଣ ବିଲ୍‌'କୁ…

ଅନ୍ତିମ ସମୟରେ ଝୁଲା ପୋଲ୍‌ ପ୍ରସ୍ତାବକୁ ବାତିଲ କରି ଦିଆଯାଇଛି। ଏବେ ସିମେଂଟ୍‌ ପିଲର ଉପରେ ପାଦଚଲା ପୋଲ ନିର୍ମାଣ କରାଯିବାକୁ ସ୍ଥିର କରାଯାଇଛି। ଏହାର ନିର୍ମାଣ ଦାୟିତ୍ୱ ଓଡିଶା ବ୍ରିଜ ଆଣ୍ଡ୍‌ କନ୍‌ଷ୍ଟ୍ରକ୍ସନ୍‌ କର୍ପୋରେସନ୍‌ (ଓବିସିସି)କୁ ଦିଆଯାଇଛି।
ବ୍ରାହ୍ମଣୀ ନଦୀ ଉପରେ ଏକ ଝୁଲା ପୋଲ ନିର୍ମାଣ କରିବାକୁ ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ଏବଂ ପୂର୍ତମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ସହ ବିଚାରବିମର୍ଷ କରିଥିଲେ। ଗତବର୍ଷ ମାର୍ଚ୍ଚ ୨୪ରେ ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ରାଉରକେଲା ଗସ୍ତରେ ଆସିଥିବା ବେଳେ କାଚର ଝୁଲା ପୋଲ ହେବ ବୋଲି ଘୋଷଣା କରିଥିଲେ।
ପ୍ରାୟ ୩୫ କୋଟିରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ସ୍ଥାୟିତ୍ୱ ୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବୋଲି ମନ୍ତ୍ରୀ ସେତେବେଳେ କହିଥିଲେ। କିନ୍ତୁ ବୈଷୟିକ କାରଣରୁ ଝୁଲା ପୋଲ ଏବଂ କାଚ ପୋଲ ପ୍ରସ୍ତାବ ବାତିଲ୍‌ ହୋଇଛି। ଶେଷରେ ପାଦଚଲା ସେତୁ ନିର୍ମାଣ କରାଯିବ ବୋଲି ନିଷ୍ପତି ଚୂଡାନ୍ତ କରାଯାଇ ଡିଜାଇନ୍‌ ପ୍ରସ୍ତୁତ ହୋଇଛି।
ସୂଚନାଯୋଗ୍ୟ, ୨୦୧୪ରେ ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଝୁଲା ପୋଲ ନିର୍ମାଣ ପାଇଁ ତାଙ୍କ ମନ୍ତ୍ରଣାଳୟରୁ ପ୍ରାୟ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ।

କିନ୍ତୁ ପାନପୋଷ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଏଥିଲାଗି ପ୍ରାୟ ୧୩ କୋଟି ଟଙ୍କା ଆକଳନ କରିଥିଲା। ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ରାଉରକେଲାରେ ବିକାଶ ପ୍ରକଳ୍ପ ପାଇଁ ଜନଜାତି ଉପ-ଯୋଜନା ଅଧୀନରେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତାରୁ ୫.୮୦ କୋଟି ଟଙ୍କା ଆଉ ଏକ ପର୍ଯ୍ୟାୟରେ ଆବଶ୍ୟକ ପାଣ୍ଠି ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ତତ୍କାଳୀନ ସରକାର ବୈଷୟିକ କାରଣ ଯୋଗୁଁ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତାରୁ ପାଣ୍ଠିର ଅନ୍ୟତ୍ର ସ୍ଥାନାନ୍ତର ନେଇ ଆପତି କରିଥିଲେ। ବର୍ଷ ବର୍ଷ ଧରି ପାଣ୍ଠି ପଡି ରହିବା ପରେ ୨୦୧୮ରେ ଏହା ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିଲା। ଫଳରେ ସେତୁ ଭାଗ୍ୟ ଝୁଲି ରହିଥିଲା। ୨୦୨୩ ମସିହାରେ ପୂର୍ତ ବିଭାଗ ପକ୍ଷରୁ ବଜେଟରେ ବ୍ୟବସ୍ଥା ନିମନ୍ତେ ସର୍ଭେ ମଧ୍ୟ କରାଯାଇଥିଲା। ହେଲେ ଏହା କାଗଜ କଲମରେ ରହି ଯାଇଥିଲା। ଦୀର୍ଘ ବର୍ଷ ବିଳମ୍ବରେ ପାଦଚଲା ସେତୁ ପାଇଁ ସବୁଜ ସଙ୍କେତ ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News