କେନ୍ଦୁଝର/ନରଣପୁର: କେନ୍ଦୁଝର ଗଡଜାତ ରାଜ୍ୟର ରାଷ୍ଟ୍ରଦେବତା ପ୍ରଭୁ ଶ୍ରୀବଳଦେବଜିଉ। ସବୁ ପର୍ବପର୍ବାଣୀ ଭଳି ଶ୍ରୀଜିଉଙ୍କ ମନ୍ଦିରରେ ପ୍ରତି ବର୍ଷ ବୈଶାଖ ପୂର୍ଣ୍ଣିମା ତିଥିରେ ଚନ୍ଦନ ପୂର୍ଣ୍ଣିମାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଏ। ମହାରାଜା ଜନାର୍ଦ୍ଦନ ଭଞ୍ଜଙ୍କ ଶାସନ କାଳ ୧୭୯୨ରୁ ୧୮୩୧ ମସିହା ମଧ୍ୟରେ ପ୍ରାୟ ୧୭୯୯ ମସିହାରେ କେନ୍ଦୁଝର ଚନ୍ଦନ ପୋଖରୀରେ ଚାପଖେଳ ଆରମ୍ଭ କରାଯାଇଥିବା ବିଶିଷ୍ଟ ଐତିହାସିକ ହଳଧର ପଣ୍ଡା କୁହନ୍ତି।
ପ୍ରବଳ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ନିସ୍ତାର ପାଇଁ ପ୍ରଭୁ କେନ୍ଦୁଝର ରାଜଉଆସ ନିକଟ ଚନ୍ଦନ ପୋଖରୀକୁ ଚାପ ଖେଳିବା ପାଇଁ ଯାଇଥାଆନ୍ତି।
ଅଚଳାଚଳ ସମ୍ପତିର ମାଲିକ ରାଷ୍ଟ୍ରଦେବତା ବଳଦେବଜିଉ ପାରମ୍ପରିକ ବାଜା ଭେରୀ ତୁରୀ ସହ ଖୋଳତାଳର ମଧୁର ବାଦ୍ୟରେ ଗଗନ ପବନ ପ୍ରକମ୍ପିତ କରି ସମସ୍ତ ଦେବଦେବୀଙ୍କ ସହ ବିମାନରେ ବସି ଚନ୍ଦନ ପୋଖରୀକୁ ବିରାଜମାନ ହୁଅନ୍ତି। ସେତେବେଳେ ଶ୍ରୀବଳଦେବଜିଉ ହାତୀ ପିଠିରେ ବିମାନରେ ହଲି ହଲି ଚାପ ଖେଳିବାକୁ ବାହାରନ୍ତି। ସେଦିନ ଆଉ ନାହିଁ କି ଭାବଭକ୍ତି ନାହିଁ। ସୀମିତ ଭକ୍ତ ବିମାନକୁ କାନ୍ଧରେ ଧରି ଶୋଭାଯାତ୍ରାରେ ଚନ୍ଦନ ପୋଖରୀକୁ ନେଇ ପ୍ରଭୁଙ୍କ ଚାପ ଖେଳ ସମ୍ପର୍ଣ୍ଣ କରୁଛନ୍ତି। ଏଥିନିମନ୍ତେ ଦୁଇଟି ଚାପ ଡଙ୍ଗା ଦେବୋତର ବିଭାଗ ଓ ମନ୍ଦିର ପ୍ରଶାସନ ପକ୍ଷରୁ ରଖାଯାଇଛି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଏହି ଚାପ ଡଙ୍ଗା ଭାଙ୍ଗି ତା ଭିତରେ ପାଣି ଭର୍ତି ହୋଇଯାଉଛି।
ଅନୁଗୁଳ ଚାଷୀଙ୍କ କ୍ଷତକୁ ବିଷାକ୍ତ…
ପ୍ରଶାସନିକ ଅବହେଳା କାରଣରୁ ଚନ୍ଦନ ଯାତ୍ରା ପୂର୍ବରୁ ଡଙ୍ଗାର ଆବଶ୍ୟକୀୟ ମରାମତି କରାଯାଇପାରି ନଥିବା କେନ୍ଦୁଝର ପୁରୁଣା ସହରର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଯଦି ମଧୁସୂଦନଙ୍କ ଚାପ ଖେଳ ବା ଜଳକ୍ରୀଡା ସମୟରେ କିଛି ଅଘଟଣ ଘଟେ ବା ଡଙ୍ଗା ଓଲଟି ଯାଏ ସେଥିପାଇଁ କିଏ ଦାୟୀ ରହିବ ବୋଲି ସ୍ଥାନୀୟ ଭକ୍ତ ପ୍ରଶ୍ନ ଉଠାଇଛନ୍ତି। ଏ ବିଷୟରେ ଦେବୋତର ଅଧିକାରୀ ତଥା ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ କହିଛନ୍ତି ଯେ, ଚାପ ଖେଳ ସମୟରେ ଅଗ୍ନିଶମ ବିଭାଗର କର୍ମଚାରୀ ଉପସ୍ଥିତ ରହୁଛନ୍ତି। ଡଙ୍ଗା ଭାଙ୍ଗି ତା ମଧ୍ୟରେ ପାଣି ପଶି ଯାଉଥିବା ଅଭିଯୋଗ ସେ ପାଇନାହାନ୍ତି। ସେ ଏହାର ନିରୀକ୍ଷଣ କରି ଆବଶ୍ୟକୀୟ ମରାମତି ଖୁବ୍ ଶୀଘ୍ର କରାଇଦେବେ ବୋଲି ଉତର ରଖିଛନ୍ତି।
ତେବେ ପ୍ରଶ୍ନ ଉଠୁଛି ଅଚଳାଚଳ ସମ୍ପତି, ହେକ୍ଟର ହେକ୍ଟର ଚାଷଜମି, ପର୍ଯ୍ୟାପ୍ତ ଅନୁଦାନ ସତ୍ୱେ କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ବଳଦେବଜିଉଙ୍କ ବର୍ଷକୁ ଥରେ ହେଉଥିବା ଚାପ ଖେଳ ପାଇଁ ବ୍ୟବହୃତ ଡଙ୍ଗା ମରାମତି ବି କରାଯାଉନି। ଏଥିପାଇଁ ପ୍ରଶାସନିକ ସ୍ତରରେ ତତ୍ପରତାର ଘୋର ଅଭାବ। ଲକ୍ଷେ ରାଜାର ମଉଡମଣି ବିଶ୍ୱ ନିୟନ୍ତା ହାତଟେକା ଅର୍ଥକୁ ଅପେକ୍ଷା କରି କରି ଭଙ୍ଗା ଦଦରା ନାବରେ ଚାପ ଖେଳିବାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

