Dailyhunt
ପିଲାଙ୍କ ମିଛ ଉପସ୍ଥାନ ଦେଖାଇ ଲୁଟିଲେ ମଧ୍ୟାହ୍ନ ଭୋଜନ

ପିଲାଙ୍କ ମିଛ ଉପସ୍ଥାନ ଦେଖାଇ ଲୁଟିଲେ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: ରାଜ୍ୟରେ ବିଜେଡି ସରକାରଙ୍କ ଅମଳରେ ଛାତ୍ରୀଛାତ୍ରଙ୍କ ଯୋଜନା କିଭଳି ହରିଲୁଟ୍‌ ହେଉଥିଲା ତା'ର ଗୁମର ପଦାକୁ ଆସିଛି। ଶିକ୍ଷୟିତ୍ରୀ/ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ନାଁରେ ସରକାରଙ୍କ ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ ଅର୍ଥ ଆତ୍ମସାତ୍‌ କରୁଥିଲେ। ଜଣେ କି ଦୁଇଜଣ, କିମ୍ବା ଗୋଟିଏ ଜିଲ୍ଲାରେ ଏହି ଅନିୟମିତତା ଚାଲିଥିଲା, ତା' ନୁହେଁ, ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଜାଲ ଛାତ୍ରୀଛାତ୍ର ଦର୍ଶାଇ ପ୍ରଧାନ ଶିକ୍ଷକମାନେ ମଧ୍ୟାହ୍ନଭୋଜନରେ ବ୍ୟାପକ ଅନିୟମିତତା କରିଛନ୍ତି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ମାର୍ଚ୍ଚ ୩୧ରେ ସିଏଜିଙ୍କ ପକ୍ଷରୁ ମଧ୍ୟାହ୍ନଭୋଜନ ସମେତ ପୋଷଣର କାର୍ଯ୍ୟକାରିତା ଉପରେ ସମ୍ପାଦିତ ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରକୃତ ଉପସ୍ଥାନ ଅପେକ୍ଷା ମିଡ୍‌୍‌ ଡେ ମିଲ୍‌ (ଏମ୍‌ଡିଏମ୍‌) ପରିବେଷଣ, ପରିଚାଳନାରେ ବ୍ୟାପକ ଅମେଳ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅକ୍ଟୋବର ୨୦୧୬ରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ଚାଲିବ ସେ ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। କେଉଁ ବିଦ୍ୟାଳୟରେ କେତେ ଛାତ୍ରୀଛାତ୍ର ମଧ୍ୟାହ୍ନଭୋଜନ ଖାଇଲେ ତା'ର ମାସିକ ପ୍ରୋଗ୍ରେସ ରିପୋର୍ଟ (ଏମ୍‌ପିିଆର୍‌) ସଂଗ୍ରହ ଏବଂ ନିର୍ଦ୍ଧାରିତ ଫର୍ମାଟରେ ବିଇଓଙ୍କ ନିକଟରେ ଦାଖଲ ଲାଗି ପ୍ରଧାନଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି।

ପିଲାଙ୍କୁ ବିପଦ ନୂଆ କୋଭିଡ୍‌…

ଭୂତଙ୍କ ଗାଁ: କୁଲଧାରା

ସମୁଦ୍ରଗର୍ଭରୁ ତାଜମହଲର ଗୁପ୍ତଧନ…

କାଶୀରେ ପ୍ରତିଷ୍ଠିତ ଦଶମୁଣ୍ଡିଆ…

ଏହାବ୍ୟତୀତ ଏମ୍‌ଡିଏମ୍‌ ସୁପରିଚାଳନା ପାଇଁ ଡିଇଓ ମାସିକ ପାଂଚଟି ବିଦ୍ୟାଳୟ ପରିଦର୍ଶନ କରିବାର ନିଷ୍ପତି ନିଆଯାଇଥିଲା। ତେବେ ୨୦୧୮-୧୯, ୨୦୧୯-୨୦ ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୫ଟି ଜିଲ୍ଲାର ଡିଇଓଙ୍କ ଦ୍ୱାରା ନମୁନା ଯାଂଚ୍‌ କରାଯାଇଥିଲା। ସେଥି ମଧ୍ୟରେ ୬୪୨ଟି ବିଦ୍ୟାଳୟର ଉପସ୍ଥାନ ପଞ୍ଜିକା ଏବଂ ଦୈନିକ ଉପଯୋଗ ପଞ୍ଜିକା (ଡିସିଆର୍‌) ଯାଂଚ ବେଳେ ଜଣାପଡ଼ିଥିଲା, ଉପସ୍ଥାନ ପଞ୍ଜିକା ସହିତ ବଲାଙ୍ଗୀର, ମୟୂରଭଞ୍ଜ, ଝାରସୁଗୁଡ଼ା, ରାୟଗଡ଼ା ଏବଂ ଗଞ୍ଜାମ ଜିଲାର ୪୨ଟି ବିଦ୍ୟାଳୟର ଡିସିଆର୍‌ ପ୍ରକୃତରେ ବିଦ୍ୟାଳୟରେ ଯୋଗଦାନ କରିଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ତୁଳନାରେ ମଧ୍ୟାହ୍ନଭୋଜନ ପାଇଥିବା ପିଲାଙ୍କ ସଂଖ୍ୟା ଅଧିକ ରହିଥିଲା। ଉପସ୍ଥାନ ପଞ୍ଜିକା ଅନୁଯାୟୀ, ସମ୍ପୃକ୍ତ ୪୨ଟି ବିଦ୍ୟାଳୟରେ ପ୍ରାଥମିକ ଛାତ୍ରୀଛାତ୍ରଙ୍କ ପାଇଁ ୮୨,୨୭୦ ଏମ୍‌ଡିିଏମ୍‌ ଏବଂ ଉଚ୍ଚ ପ୍ରାଥମିକ ଛାତ୍ରୀଛାତ୍ରଙ୍କ ପାଇଁ ୧,୩୬,୫୪୬ ଏମ୍‌ଡିିଏମ୍‌ ଡିସିଆର୍‌ରେ ପ୍ରକୃତ ଛାତ୍ର ସଂଖ୍ୟାଠାରୁ ଅଧିକ ଦର୍ଶାଯାଇଛି। ତେବେ ରାଜ୍ୟରେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ୫ଟି ଜିଲାରେ ହୋଇଥିବା ସର୍ଭେ ବେଳେ ଜଣାଯାଇଛି ଯେ, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାପନ ଅପେକ୍ଷା ଅଧିକ ଦର୍ଶାଇ ମଧ୍ୟାହ୍ନଭୋଜନ ଆତ୍ମସାତ୍‌ ହୋଇଛି।

ଏହି ଅବଧି ମଧ୍ୟରେ ଶିକ୍ଷକମାନେ ଖାତା ପତ୍ରରେ ୩୩ ଲକ୍ଷ ୧୩ ହଜାର ୭୭୪ ଜଣ ଛାତ୍ରୀଛାତ୍ର ଦର୍ଶାଇ ଥିବାବେଳେ ବାସ୍ତବରେ ୩୦ ଲକ୍ଷ ୯୪ ହଜାର ୯୫୮ ଜଣ ଛାତ୍ରୀଛାତ୍ର ମଧ୍ୟାହ୍ନ ଭୋଜନ ଖାଉଥିଲେ। ମାତ୍ର ପ୍ରଧାନଶିକ୍ଷକମାନେ ଅତିରିକ୍ତ ଭାବେ ୨ ଲକ୍ଷ ୧୮ ହଜାର ୮୧୬ ଜଣ ଛାତ୍ରୀଛାତ୍ରଙ୍କ ଅଧିକ ଉପସ୍ଥାନ ଦର୍ଶାଇ ଏ ବାବଦ ଖାଦ୍ୟ ସାମଗ୍ରୀ ଆତ୍ମସାତ୍‌ କରିଛନ୍ତି। ଏହି ଅନିୟମିତ ଅତିରିକ୍ତ ଉପସ୍ଥାନ ଯୋଗୁ ଏମ୍‌ଡିଏମ୍‌ ବ୍ୟବହାର ୯.୧୨ ଲକ୍ଷ ଟଙ୍କା ମୂଲ୍ୟର ୨୮୭.୦୯ କୁଇଂଟାଲ ଚାଉଳ ଏବଂ ରନ୍ଧନ ଖର୍ଚ୍ଚ ୧୪.୩୩ ଲକ୍ଷ ଟଙ୍କା ବୃଦ୍ଧି ପାଇଥିଲା ବୋଲି ରିପୋର୍ଟରେ କୁହାଯାଇଛି।

ରାଜ୍ୟ ସରକାରଙ୍କ ଦ୍ୱାରା ଏହି ଘଟଣାର ବିସ୍ତୃତ ତଦନ୍ତ କରାଯିବା ଏବଂ ଖାଦ୍ୟଶସ୍ୟର ଯେକୌଣସି ଅପବ୍ୟବହାର ପାଇଁ ଦାୟିତ୍ୱ ନିଶ୍ଚୟ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସିଏଜିଙ୍କ ପକ୍ଷରୁ ସୁପାରିସ କରାଯାଇଥିଲା। ହେଲେ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, (୧୪ ମଇ ୨୦୨୫) ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଅନ୍‌ଲାଇନ୍‌ ଉପସ୍ଥାନ ପ୍ରକ୍ରିୟା ଅଧୀନରେ ଅଛି। ବିଭାଗ ଆଗାମୀ ଦିନରେ ଏକ ଉନ୍ନତ ତଦାରଖ ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତଥାପି ସମୀକ୍ଷାରୁ ଜଣାଯାଇଛି, ଏମ୍‌ଡିଏମ୍‌ ସଂଖ୍ୟା ତୁଳନାରେ କମ୍‌ ଛାତ୍ରୀଛାତ୍ର ବିଦ୍ୟାଳୟରେ ଯୋଗ ଦେଇଥିଲେ। ତେଣୁ ମାମଲା ଉପସ୍ଥାନ ରେକର୍ଡିଂ ଅଧୀନରେ ନୁହେଁ ବରଂ ମଧ୍ୟାହ୍ନଭୋଜନ ବ୍ୟବହାରର ଅତ୍ୟଧିକ ଦର୍ଶାଇବା ଯୋଗୁ ହୋଇଥିଲା। ଏହାକୁ ଉପଯୁକ୍ତ ତଦାରଖ ଦ୍ୱାରା ରୋକାଯାଇ ପାରିଥାନ୍ତା ବୋଲି ସିଏଜିଙ୍କ ପକ୍ଷରୁ ରିପୋର୍ଟରେ କୁହାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News