Dailyhunt
ସରକାର ନଶୁଣିଲେ, ୧୪ରୁ ପଦଯାତ୍ରା

ସରକାର ନଶୁଣିଲେ, ୧୪ରୁ ପଦଯାତ୍ରା

ଭୁବନେଶ୍ୱର: ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ରବିବାର ସ୍ଥାନୀୟ ଉକ୍ରଳ ସାମ୍ବାଦିକ ସଂଘ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶାସନିକ କ୍ଷେତ୍ରରେ ଓଡିଆ ଭାଷାର ପ୍ରୟୋଗର କାର୍ଯ୍ୟକାରିତା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବୈଠକରୁ ମିଳିଥିବା ସୂଚନାନୁସାରେ, ୮୭୮ ଦିନ ଧରି ଶାନ୍ତିପୂର୍ଣ୍ଣ କଳାପତାକା ପଦଯାତ୍ରା କରାଯାଇଛି।

ଏହାର ପ୍ରଭାବରେ ରାଜ୍ୟ ସରାକର ୩ ଥର ଭାଷା ଆଇନକୁ ସଂଶୋଧନ କରି ୨୦୧୯ରେ ଲାଗୁ କଲେ। ଓଡିଶା ସରକାରୀ ଭାଷା ଆଇନ ୧୯୫୪ ତୃତୀୟ ଥର ପାଇଁ ସଂଶୋଧନ କରାଯିବା ସହ ୨୦୧୯ରେ ନିୟମାବଳୀ ପ୍ରକାଶ ପାଇଥିଲା। ସେହିଦିନଠାରୁ ଓଡିଆ ଏକମାତ୍ରା ସରକାରୀ ଭାଷା ରୂପେ ଆଇନତଃ ବ୍ୟବହୃତ ହେବା କଥା, କିନ୍ତୁ ଅମଲା ତାନ୍ତ୍ରିକ ଷଡଯନ୍ତ୍ର ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

ବୈଠକରେ ଭାଷା ବିଶେଷଜ୍ଞ, ଗବେଷକମାନେ ମତ ଦେଇଥିଲେ ଯେ 'ଓଡ଼ିଆ ଅସ୍ମିତା' କୁ ସମ୍ମାନ ଦେବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ସମସ୍ତ ପ୍ରକାର ଅସ୍ମିତା ବିରୋଧୀ କାର୍ଯ୍ୟ କରି ଚାଲିଛନ୍ତି। ଭାଷା ଆନ୍ଦୋଳନ ପକ୍ଷରୁ ବିରୋଧ ସତ୍ୱେ ପୁନର୍ବାର ୧୩/୦୧/୨୦୨୬ ତାରିଖରେ ୨୭/୦୮/୨୦୨୪ ତାରିଖରେ ଜାରି ହୋଇଥିବା ଅଧିସୂଚନାକୁ ମାନିବାକୁ ସରକାରୀ କର୍ମଚାରୀଙ୍କୁ ତାଗିଦ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ଏପରି ଅଧିସୂଚନା ଜାରି କରିବା ଆଇନତଃ ତ୍ରୁଟିପୂର୍ଣ୍ଣ ତଥା ବେଆଇନ୍‌। ସ୍ୱାଭାବିକ ଭାବେ ସର୍ବଶେଷ ସଂଶୋଧିତ ଆଇନ ହିଁ ସର୍ବମାନ୍ୟ ହୋଇଥିଲେ ହେଁ, ଏଭଳି ଗୁରୁତର ତ୍ରୁଟିପୂର୍ଣ୍ଣ ଅଧିସୂଚନାକୁ ସରକାର ଫେରସ୍ତ ନେଇନାହାନ୍ତି। ସେହିପରି ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ବିଜ୍ଞାପନରେ ଇଚ୍ଛାକୃତ ତ୍ରୁଟି ଦେଖିବାକୁ ମିଳିଛି, ଯେଉଁଥିରେ ମାତ୍ର ୨୦୦ ମାର୍କର ଓଡ଼ିଆ ପାଠ ପଢିଥିବା ଶିକ୍ଷାର୍ଥୀମାନେ ଓଡ଼ିଆ ଭାଷା ଶିକ୍ଷକ ଭାବେ ନିଯୁକ୍ତି ପାଇବାକୁ ଯୋଗ୍ୟ ହୋଇ ପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

କାଳବୈଶାଖୀ କୋପ: ଏନ୍‌ଏସି ତୋରଣ…

ପୁଲିସ ଏକାଡେମୀର ଦୀକ୍ଷାନ୍ତ…

ସୁଆର ଓ ବଡୁ ନିଯୋଗ ବିବାଦ: ପ୍ରଭୁ…

ଓଡ଼ିଆ ପକ୍ଷର ଷଷ୍ଠ ଦିନ:…

ଏହା ବ୍ୟତୀତ, ଓଡ଼ିଆ ଉତ୍କର୍ଷ କେନ୍ଦ୍ରକୁ ସ୍ୱୟଂଶାସିତ କରିବା, ଭାଷା ପ୍ରତିଷ୍ଠାନ ମାଧ୍ୟମରେ କର୍ମଚାରୀଙ୍କ ଭାଷା ପ୍ରଶିକ୍ଷଣକୁ ତ୍ୱରାନିତ୍ୱ କରିବା, ଓଡ଼ିଆ ବିଇଡି ଓ ଏମଇଡି ପାଠ୍ୟକ୍ରମ ପ୍ରସ୍ତୁତ କରିବା, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ଆହରଣ କରିବା, ଓଡ଼ିଶା ଗଠନ ପାଇଁ ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ "ଉତ୍କଳ ସମ୍ମିଳନୀ'କୁ ସରକାର ହାତକୁ ନେବା ଇତ୍ୟାଦି ପ୍ରାୟ ୧୮ ଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ନିଷ୍ପତି ନିଆଯାଇଥିଲା। ସରକାର ନଶୁଣିଲେ, ପୂର୍ବପରି କଳାପତାକା ଅଭିଯାନ କରିବାକୁ ସ୍ଥିର ହେଲା। ଆଗାମୀ ଅପ୍ରେଲ ୧୪ ତାରିଖରୁ ପୁନର୍ବାର କଳାପତାକା ଅଭିଯାନ କରିବା ପାଇଁ ସମସ୍ତ ସଦସ୍ୟ ସହମତ ପ୍ରକାଶ କରିଥିଲେ।

ସଂଗଠନର ଆବାହକ ପବିତ୍ର ମହାରଥାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସ୍ତମ୍ଭକାର ନଟବର ଖୁଂଟିଆ, ଅଧ୍ୟାପକ ନିରଞ୍ଜନ ପାଢ଼ୀ, ସାମ୍ବାଦିକ ଶ୍ରୀରାମ ଦାଶ, ଜାନକୀଶ ବଡ଼ପଣ୍ଡା, ସୀତାବଲ୍ଲଭ ମହାପାତ୍ର, ହରିଶଙ୍କର ମିଶ୍ର, ବିଭୂତି ଭୂଷଣ କର, ସାଗର ଶତପଥୀ, ସାରଦା ପ୍ରସାଦ ମହାପାତ୍ର, ଡମ୍ବୁରଧର ହରଣସିଂହ, ଉପେନ୍ଦ୍ର ସାମନ୍ତସିଂହାର, ଦାଶରଥି ଗୁମାନସିଂହ, ମୟୂରେଶ ଦାସ, ନବ କିଶୋର ପ୍ରଧାନ, ଶ୍ରୁତକୀର୍ତି ତ୍ରିପାଠୀ, ରବୀନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ନିଜର ସାରଗର୍ଭକ ମତାମତ ରଖିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News