Dailyhunt
ଓଡ଼ିଶାରେ ହାତୀ ଡାକ୍ତର ଅଭାବ

ଓଡ଼ିଶାରେ ହାତୀ ଡାକ୍ତର ଅଭାବ

ଭୁବନେଶ୍ୱର: ଓଡ଼ିଶାରେ ପଶୁପକ୍ଷୀଙ୍କ ଚିକିତ୍ସା ପାଇଁ ଅଭିଜ୍ଞ ଡାକ୍ତରଙ୍କ ଅଭାବ ରହିଛି । ନନ୍ଦନକାନନ ଓ ଅଭୟାରଣ୍ୟରେ ରହୁଥିବା ପଶୁପକ୍ଷୀଙ୍କ ଅକାଳ ମୃତ୍ୟୁ ସମ୍ପର୍କିତ ତଥ୍ୟରୁ ତାହା ଅନୁମାନ କରାଯାଉଛି । ରାଜ୍ୟ ସରକାର ମଣିଷଙ୍କ ପାଇଁ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ଖୋଲୁଛନ୍ତି । ମାତ୍ର ରାଜ୍ୟର ପ୍ରତି ଜିଲ୍ଲାରେ ପଶୁପକ୍ଷୀଙ୍କ ପାଇଁ ମେଡିକାଲ କଲେଜ ଖୋଲୁନାହାନ୍ତି ।

ତା'ର କାରଣ କ'ଣ ଏଇୟା ବୁଝିବାକୁ ପଡ଼ିବ ଯେ ଓଡ଼ିଶାରେ ଭେଟେରିନାରୀ ଡାକ୍ତରଙ୍କ ଚାହିଦା ନାହିଁ । ଏଇୟା ବୁଝିବାକୁ ପଡିବ ଯେ ଓଡ଼ିଶାରେ ପଶୁପକ୍ଷୀମାନଙ୍କୁ ରୋଗ ସଂକ୍ରମଣ କରୁନାହିଁ । ଏଇୟା ବୁଝିବାକୁ ପଡ଼ିବ ଯେ ଓଡ଼ିଶା ସରକାରଙ୍କ ପଶୁ ସମ୍ପଦ ବିଭାଗ ନାମକୁ ମାତ୍ର ରହିଛି କିଛି ସରକାରୀ କର୍ମଚାରୀଙ୍କୁ ପେଟକୁ ଦାନା ଯୋଗାଇବା ପାଇଁ ।

ସବୁଠାରୁ ବଡ଼ ଦୁଃଖର ବିଷୟ ହେଉଛି, ଆମ ରାଜ୍ୟର ବଣଜଙ୍ଗଲରେ ସ୍ୱାଧିନ ଭାବେ ବିଚରଣ କରୁଥିବା ହାତୀ, ହେଟା, ଚିତାବାଘ ଭଳି ବନ୍ୟପ୍ରାଣୀଗୁଡ଼ିକ ବିଭିନ୍ନ କାରଣରୁ କ୍ଷତାକ୍ତ ହୋଇ ଠିକଣା ସମୟରେ ଚିକିତ୍ସା ସେବା ନପାଇ ଅକାଳରେ ମରିଯାଉଛନ୍ତି । ଆମ ଗହଣରେ ରହୁଥିବା ହାତୀ, ଚିତାବାଘକୁ ହରାଇବା ପରେ ଆମ ସରକାର ଅନ୍ୟ ରାଜ୍ୟ ବା ବିଦେଶରୁ ହାତୀ ଓ ଚିତାବାଘକୁ କିଣି ଆଣି ଆମ ଜଙ୍ଗଲରେ ଛାଡ଼ି ବାହାଦୁରି ନେଉଛନ୍ତି ।

ନଭେମ୍ବର ୧୮ ତାରିଖରେ ଦୈନିକ ସମ୍ବାଦ ରେ ପ୍ରକାଶିତ ତଥ୍ୟ ଅନୁସାରେ ବିଗତ ୬ ବର୍ଷ ଭିତରେ କେବଳ ସାତକୋଶିଆରେ ୨୯ଟି ହାତୀ ମରିଛନ୍ତି । ୨୯ଟି ହାତୀ ଭିତରୁ ୧୯ଟି ରୋଗରେ ପୀଡ଼ିତ ହୋଇ ମରିଛନ୍ତି । ସରକାରୀ ନଥିପତ୍ରରୁ ସଂଗୃହୀତ ତଥ୍ୟ ଅନୁସାରେ ୨୦୧୮ ମସିହାରେ ଦୁଇଟି, ୨୦୧୯ ମସିହାରେ ତିନୋଟି, ୨୦୨୦ ମସିହାରେ ତିନୋଟି, ୨୦୨୧ରେ ଦୁଇଟି, ୨୦୨୨ରେ ଚାରୋଟି, ୨୦୨୩ରେ ତିନୋଟି ଓ ୨୦୨୪ ଜୁଲାଇ ସୁଦ୍ଧା ଦୁଇଟି ହାତୀ ମରିଛନ୍ତି । ସେମାନଙ୍କ ଭିତରୁ ୧୧ଟି ମାଈ ହାତୀ, ୬ଟି ଅଣ୍ଡିରା ହାତୀ ଓ ୨ଟି ଛୁଆ ହାତୀ ।

ବାଉଁଶ ବୁଦା ରେ ପିଟି ହୋଇ ବାଇକ୍…

କେନ୍ଦୁଝର ଔଷଧ ପ୍ରତିନିଧିଙ୍କ ୧୪…

ନଭେମ୍ବର ୨୪ରେ 'ଓଡ଼ିଶା ପର୍ବ…

ସାତକୋଶିଆ ଅଭୟାରଣ୍ୟର ପ୍ରାକୃତିକ ପରିବେଶ ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ପ୍ରତି କେତେଦୂର ଉପଯୋଗୀ, ସେ ସଂପର୍କରେ ରାଜ୍ୟ ସରକାରଙ୍କ ନିକଟରେ ଠୋସ୍‌ ସୂଚନା ନାହିଁ । ଜଙ୍ଗଲରେ ଏଭଳି କି ଭୂତାଣୁଙ୍କ ସଂଖ୍ୟା ବଢ଼ିଚାଲିଛି ଯେ ହାତୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଲାଣି । ସେ ବିଷୟରେ ଆମ ଜଙ୍ଗଲ ବିଭାଗ ସଂପୂର୍ଣ୍ଣ ଅଜ୍ଞ ।

ବନ୍ୟପ୍ରାଣୀଙ୍କ କଥା ଛାଡ଼ନ୍ତୁ । ଆମ ଗହଣରେ ରହୁଥିବା କୁକୁର ବିଲେଇ କୁକୁଡ଼ା ବତକ ଗାଈଗୋରୁ ଛେଳି ମେଣ୍ଢାଙ୍କ ଚିକିତ୍ସା ପାଇଁ ମଧ୍ୟ ଆମ ରାଜ୍ୟରେ ଅଭିଜ୍ଞ ଡାକ୍ତର ନାହାନ୍ତି । ଯୋଉ କିଛି ପଶୁ ଡାକ୍ତର ଅଛନ୍ତି, ସେମାନଙ୍କ ଭିତରୁ ଅଧିକାଂଶ ଡାକ୍ତର ପ୍ରକୃତ ରୋଗ ଚିହ୍ନି ପାରୁନାହାନ୍ତି । ପଶୁପକ୍ଷୀଙ୍କ ପାଟି ଫିଟୁ ନଥିବାରୁ ସେମାନଙ୍କୁ ଦିଆଯାଉଥିବା ଔଷଧର ପ୍ରତିକ୍ରିୟା ଅବା ପାଶ୍ୱ ପ୍ରତିକ୍ରିୟା ହଠାତ୍‌ ଜାଣି ହେଉନି । ଜାଣିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ଚାଲିଯାଉଛି ।

ଆମ ନନ୍ଦନକାନନରେ ରଖା ଯାଇଥିବା ପଶୁପକ୍ଷୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ବେଶ ଉଦ୍‌ବେଗଜନକ । ଅଭିଜ୍ଞ ଡାକ୍ତରଙ୍କ ଅଭାବରୁ ନନ୍ଦନକାନନରେ ବହୁ ପଶୁପକ୍ଷୀ ମରଣମୁଖରେ ପଡୁଛନ୍ତି ।

ରାଜ୍ୟରେ ଆଉ ଚାରୋଟି ଭେଟେରିନାରୀ ମେଡିକାଲ କଲେଜରେ ଆବଶ୍ୟକତା ରହିଛି ବୋଲି ଆମ ସରକାର କେବେ ବୁଝିବେ? ସେହି ଉଚିତ ସମୟକୁ ଅପେକ୍ଷା କରି ରହିବା ଛଡ଼ା ଆମ ପାଖରେ ବିକଳ୍ପ ନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News