Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଜାପାନରେ ଭୟଙ୍କର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି

Yuva Samay 1 week ago

Share this article:

ଟୋକିଓ: ଜାପାନର କୁମାମୋଟୋ ପ୍ରିଫେକ୍ଚରରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି। ରବିବାର କୁମାମୋଟୋ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରବିବାର ସକାଳେ ହୋଇଥିବା ବିପର୍ଯ୍ୟୟ ପରିଚାଳନା ବୈଠକରେ ଅଧିକାରୀମାନେ କହିଛନ୍ତି ଯେ, ୩୮ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ମୃତ୍ୟୁ ୭.୧ ତୀବ୍ରତାର ଭୂମିକମ୍ପ ଯୋଗୁଁ ହୋଇଛି କି ନାହିଁ, ତାହାର ଯାଞ୍ଚ ଚାଲିଛି।

ଭୂମିକମ୍ପରେ ୟାତ୍ସୁଶିରୋ ସହରର ଏକ ନିପ୍ପନ୍ ପେପର କାରଖାନାର ଚିମନି ଭୁଶୁଡ଼ି ପଡ଼ିଥିଲା। ଉଦ୍ଧାରକାରୀ ଦଳ ସେଠାରୁ ୧୦ ଜଣଙ୍କୁ ବାହାର କରିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଜଣେ ନିଖୋଜ ବ୍ୟକ୍ତିଙ୍କୁ ମଧ୍ୟ ଭଗ୍ନାବଶେଷ ମଧ୍ୟରୁ ଉଦ୍ଧାର କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ମିଳିନାହିଁ।

ସେହିପରି କାଶିମା ସହରର ଏଓନ୍ ମଲ୍ କୁମାମୋଟୋରେ ଭୂମିକମ୍ପ ପରେ ବିସ୍ଫୋରଣ ଘଟିଥିଲା। ଏଠାରୁ ୧୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେଥିରୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଆହୁରି କେହି ଭିତରେ ଫସି ରହିଛନ୍ତି କି ନାହିଁ, ସେନେଇ ପୋଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ଜାରି ରଖିଛନ୍ତି।

ଅଧିକାରୀଙ୍କ ସୂଚନା ଅନୁସାରେ, କୁମାମୋଟୋର ୪୦୬ଟି ଆଶ୍ରୟ କେନ୍ଦ୍ରରେ ବର୍ତ୍ତମାନ ୯ ହଜାର ୪୦୦ରୁ ଅଧିକ ଲୋକ ରହୁଛନ୍ତି।

ଭୂମିକମ୍ପ ଯୋଗୁଁ ପ୍ରାୟ ୭୯ ହଜାର ୭୦୦ ଘରକୁ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ପ୍ରଭାବିତ ଅଞ୍ଚଳରେ କେବେ ପାଣି ଯୋଗାଣ ସ୍ୱାଭାବିକ ହେବ, ସେନେଇ ଏପର୍ଯ୍ୟନ୍ତ କୌଣସି ସମୟ ଧାର୍ଯ୍ୟ ହୋଇନାହିଁ।

ଏହା ସହ ପ୍ରାୟ ୧୯ ହଜାର ଘରେ ବିଦ୍ୟୁତ୍ ସେବା ବନ୍ଦ ରହିଛି। କ୍ୟୁଶୁ ଇଲେକ୍ଟ୍ରିକ୍ ପାୱାର କମ୍ପାନୀ କହିଛି ଯେ, ମରାମତି କାମ ଠିକ୍ ଭାବେ ଚାଲିଲେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସେବା ପୁଣି ଆରମ୍ଭ ହୋଇପାରେ।

ଭୂମିକମ୍ପ ପରେ ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚି କୁମାମୋଟୋ ବିପର୍ଯ୍ୟୟ ପରିଚାଳନା ନେଇ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ କୁମାମୋଟୋ ରାଜ୍ୟପାଳ କିମୁରା ଓ କ୍ୟାବିନେଟ୍ କାର୍ଯ୍ୟାଳୟର ଉପମନ୍ତ୍ରୀ ତ୍ସୁଶିମା ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ।

ପ୍ରଧାନମନ୍ତ୍ରୀ ତାକାଇଚି ଭୂମିକମ୍ପରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଯେ, କ୍ଷୟକ୍ଷତିର ଆକଳନ ଓ ଉଦ୍ଧାର କାର୍ଯ୍ୟ ପାଇଁ ଜାପାନ ସରକାର ଦ୍ରୁତ ଗତିରେ କାମ କରୁଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ ଓ ସଂସ୍ଥା ମଧ୍ୟ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।


About the Author

Author


Post navigation
Previous: ମହିଳାଙ୍କ ବ୍ୟାଗ୍‌ରେ ଥିବା ବୋମା ଫାଟି ୩ ମୃତ, ୨୧ ଆହତNext: ରାତି ୧୧ ଟା ପୂର୍ବରୁ ଶୋଇବା ଶରୀର ପାଇଁ କେତେ ଉପକାରୀ, ଜାଣନ୍ତୁ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay