Dailyhunt
ମେଟ୍ରୋ ରେଳ ପ୍ରକଳ୍ପରେ ପୂର୍ଣ୍ଣଚ୍ଛେଦ

ମେଟ୍ରୋ ରେଳ ପ୍ରକଳ୍ପରେ ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର: ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପରେ ପୂର୍ଣ୍ଣଚ୍ଛେଦ ପଡିଛି। ରାଜ୍ୟ ସରକାର ମେଟ୍ରୋ ରେଳ ପ୍ରକଳ୍ପକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏହା ଆଶାଜନକ ଲାଭ ଦେବନି, ଆଶାନୁରୂପ ଯାତ୍ରୀ ହେବେନି କହି ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତି ନେଇଛି। ଅପରପକ୍ଷେ ଏହି ପ୍ରକଳ୍ପ ନେଇ ଦିଲ୍ଲୀ ମେଟ୍ରୋ ରେଲ୍‌ ନିଗମ ସହ ହୋଇଥିବା ଚୁକ୍ତିକୁ ବାତିଲ୍‌ କରି ଦିଆଯାଇଛି।

ମେଟ୍ରୋ ରେଳ ପ୍ରକଳ୍ପ ନେଇ ସ୍ୱତନ୍ତ୍ର ଭାବେ ଗଠିତ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ (ବିଏମ୍‌ଆର୍‌ସିଏଲ୍‌)କୁ ନୋଡାଲ୍‌ ଏଜେନ୍ସି ନିଯୁକ୍ତ କରାଯାଇଛି। ଇଂଟର ମିନିଷ୍ଟ୍ରିଆଲ କମିଟି (ଆଇଏମ୍‌ସି) ସୁପାରିଶକ୍ରମେ ଏହି ନିଷ୍ପତି ନିଆଯାଇଥିବା ରାଜ୍ୟ ସରକାର କହିଛନ୍ତି।

ପ୍ରତି ବଦଳରେ ରାଜ୍ୟ କ୍ୟାବିନେଟ୍‌ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଆର୍ଥିକ କ୍ଷେତ୍ର (ଇକୋନୋମିକ୍‌ କରିଡର୍‌) ଉପରେ ଗୁରୁତ୍ୱ ଦେଇଛନ୍ତି। ଏସିଆନ୍‌ ଡେଭ୍‌ଲପ୍‌ମେଂଟ୍‌ ବ୍ୟାଙ୍କ (ଏଡିବି)କୁ ଏ ଦିଗରେ ବୈଷୟିକ ସହାୟତା ଦେବା ପାଇଁ ନିଯୁକ୍ତି ଦିଆଯାଇଛି। କିନ୍ତୁ ୨୦୨୫ ଡିସେମ୍ବର ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ହୋଇଥିବା ୨୭୩.୫୧ କୋଟି ଟଙ୍କାର ଖର୍ଚ୍ଚକୁ ରାଜ୍ୟ କ୍ୟାବିନେଟ୍‌ ଆଜି ମଞ୍ଜୁର କରିଛନ୍ତି। ବିଜେଡି ସରକାର ଅମଳରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିମି ରାସ୍ତାରେ ମେଟ୍ରୋ ଗଡିବ ବୋଲି ଘୋଷଣା ହୋଇଥିଲା। ବିଭିନ୍ନ ସଂସ୍ଥାଙ୍କୁ ଟେଣ୍ଡର ମାଧ୍ୟମରେ କାମ ଆବଂଟନ ହୋଇଥିଲା।

୨୩ ଜିଲ୍ଲାକୁ ସମ୍ଭାଳିବେ ଅଧ୍ୟକ୍ଷ,…

କି ପାପ କରିଛି ଆଦିବାସୀ…

କ୍ୟାପିଟାଲ ହସ୍ପିଟାଲ ହାଲଚାଲ:…

୧୪ ବିଶ୍ୱବିଦ୍ୟାଳୟକୁ ମିଳିଲେ ନୂଆ…

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଏଲିଭେଟେଡ୍‌ କରିଡର ହେବ ବୋଲି ନିଷ୍ପତି ହୋଇଥିଲା। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ମେଟ୍ରୋ ରେଳ ପ୍ରକଳ୍ପର ଡିଜାଇନ୍‌ ପ୍ରସ୍ତୁତି, ନିର୍ମାଣ ତଦାରଖ କାର୍ଯ୍ୟ ନେଇଥିଲା। ଏହାର ଟେଣ୍ଡର ମଧ୍ୟ ଆହ୍ୱାନ କରିଥିଲା। ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ୍‌ ୬୨୨୫କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏହାର ନିର୍ମାଣ ପାଇଁ ରଞ୍ଜିତ ବିଲ୍‌ଡକନ୍‌ ସଂସ୍ଥାକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ କାର୍ଯ୍ୟକୁ ୨ଟି ପର୍ଯ୍ୟାୟରେ ୧୧୮୭ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା।

ସୈଗଲ ଇଣ୍ଡିଆକୁ କିଟ୍‌ ଛକରୁ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ୮୯୯ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। ସେହିପରି ସାଇଷ୍ଟ୍ରା ଏମ୍‌ଭିଏ କନସଲଟିଂ ଇଣ୍ଡିଆକୁ ୧୦୧୨ କୋଟି ଟଙ୍କାର, ଏମ୍‌ଆଇଏ କନଷ୍ଟ୍ରକ୍ସନକୁ ୭୯.୭୫କୋଟି ଟଙ୍କାର ଓ ଆଇସିଟିକୁ ୧୩.୦୪ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲା। କିନ୍ତୁ ଗତବର୍ଷ ଜୁଲାଇ ମାସରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏକାଧିକ ସଂସ୍ଥାର ଟେଣ୍ଡରକୁ ଦିଲ୍ଲୀ ମେଟ୍ରୋ ରେଲ୍‌ ନିଗମ ବାତିଲ୍‌ କରି ଦେଇଥିଲା। ଏହାର ସ୍ଥିତି ସମୀକ୍ଷା କରି ଆବଶ୍ୟକ ପରାମର୍ଶ ଦେବାକୁ ଇଂଟର ମିନିଷ୍ଟ୍ରିଆଲ କମିଟି ଗଠନ କରାଯାଇଥିଲା।

ଆଜି ରାଜ୍ୟ ସରକାର କହିଛନ୍ତି, ଇଂଟର ମିନିଷ୍ଟ୍ରିଆଲ କମିଟି ବିସ୍ତୃତ ସମୀକ୍ଷା ପରେ କହିଛନ୍ତି ଯେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଜାତୀୟ ମେଟ୍ରୋ ରେଳ ନୀତି-୨୦୧୭ର ଅନୁସରଣ କରୁନି।ମେଟ୍ରୋ ରେଳ ପାଇଁ ଆଶାଜନକ ଯାତ୍ରୀ ବି ହେବେନି। ବର୍ତମାନ ଯାହା ସ୍ଥିତି ଅଛି, ମେଟ୍ରୋ ଚାଲିଲେ ପ୍ରତିବର୍ଷ ପରିଚାଳନାଗତ କ୍ଷତି ବଢ଼ିବଢ଼ି ଚାଲିବ। ଏହାକୁ ଦୃଷ୍ଟିରେ ରଖି ମେଟ୍ରୋ ବନ୍ଦ ନିଷ୍ପତି ନିଆଯାଇଛି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଦୀର୍ଘସ୍ଥାୟୀ ସହରାଂଚଳ ପରିବହନ ଯୋଜନା ପାଇଁ ଅନ୍ତଃବିଭାଗୀୟ ସମନ୍ୱୟ ନୋଡାଲ୍‌ ଏଜେନ୍ସି ଭାବେ କାମ କରିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News